ଦିଗବିଜୟ ସିଂହଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

Published By : Prameya-News7 Bureau | February 22, 2021 IST

ହାଇଦ୍ରାବାଦ ୨୨।୦୨: ହାଇଦ୍ରାବାଦର ଏକ ଅଦାଲତ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ବିରୋଧରେ ମାନହାନୀର ଏକ ମାମଲାରେ ଜାମିନ ବିହିନ ଗିରଫ ପରଓ୍ଵାନା ଜାରି କରିଛି। ଦିଗବିଜୟଙ୍କ ବିରୋଧରେ ୨୦୧୭ରେ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଏହି ମାମଲା ଏଆଇଏମଆଇଏମ ପ୍ରମୁଖ ଅସଦୁଦ୍ଦୀନ ଅବୈସୀଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗରେ ରୁଜୁ କରାଯାଇଥିଲା। ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୮ ତାରିଖ ନିର୍ଦ୍ଧାରିତ କରିଛନ୍ତି।

ସାଂସଦ/ବିଧାୟକଙ୍କ ବିରୋଧରେ ମାମଲାର ଶୁଣାଣି ପାଇଁ ଗଠିତ ସ୍ଵତନ୍ତ୍ର ଅଦାଲତ ଦିଗବିଜୟ ସିଂହଙ୍କୁ ଅଦାଲତରେ ହାଜର ନହେବା କାରଣରୁ ସୋମବାର ଜାମିନ ବିହିନ ଗିରଫ ପରଓ୍ଵାନା ଜାରି କରିଛନ୍ତି। ଏଆଇଏମଆଇଏମ ନେତା ଏସ ଏ  ହୁସେନ ଅନଓ୍ଵର ଦିଗବିଜୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଅନଓ୍ଵର ଆବେଦନରେ କହିଥିଲେ ଯେ, ଦିଗବିଜୟ ଏଆଇଏମଆଇଏମ ଏବଂ ଏହାର ପ୍ରମୁଖ ଅସଦୁଦ୍ଦୀନ ଅବୈସୀଙ୍କ ବିରୋଧରେ ଆର୍ଥିକ ଫାଇଦା ପାଇଁ ନିର୍ବାଚନ ଲଢୁଥିବା ମିଥ୍ୟା ଅଭିଯୋଗ ଲଗାଇଥିଲେ। କଂଗ୍ରେସ ନେତା ନିଜ ବୟାନରେ ଅବୈସିଙ୍କ ଦଳ ଉପରେ ଆର୍ଥିକ ଲାଭ ପାଇଁ ଅନ୍ୟ ରାଜ୍ୟରେ ନିର୍ବାଚନ ଲଢୁଥିବା କହିଥିଲେ।

ଆବେଦନକାରୀଙ୍କ ଓକିଲ ମହମ୍ମଦ ଆସିଫ ଅଜମଦ କହିଛନ୍ତି, ସେ ଦିଗବିଜୟ  ସିଂହ ଓ ଉର୍ଦ୍ଦୁ ଦୈନିକ ଖବରକାଗଜର ସଂପାଦକ ଉଭୟଙ୍କୁ ନୋଟିସ୍ ପଠାଇଥିଲେ ଏବଂ କ୍ଷମା ମାଗିବାକୁ କହିଥିଲେ। ମାତ୍ର ଉଭୟ କୌଣସି ଉତ୍ତର ଦେଇନଥିଲେ। ଏହା ପରେ ସେ ଅଦାଲତରେ ଯାଚିକା ଦାଖଲ ଦାଖଲ କରିଥିଲେ।

ଗତ ଶୁଣାଣି ସମୟରେ ଅଦାଲତ ଦିଗବିଜୟ ସିଂହ ଓ ସମ୍ପାଦକଙ୍କୁ ଫେବୃଆରୀ ୨୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ହୋଇଥିବା ଶୁଣାଣିରେ ଉର୍ଦ୍ଦୁ ଖବରକାଗଜର ସମ୍ପାଦକ ଅଦାଲତରେ ହାଜର ହୋଇଛନ୍ତି, କିନ୍ତୁ ଦିଗବିଜୟ ସିଂହ ହାଜର  ହୋଇ ନାହାନ୍ତି। ଦିଗବିଜୟ ସିଂହଙ୍କ ଓକିଲ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଆଶ୍ଵସ୍ତି ଦେବାକୁ ଆବେଦନ କରିଥିଲେ। ହେଲେ କୋର୍ଟ ଆବେଦନ ଖାରଜ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.