ଦୁଇ ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ଏବଂ ଅନନ୍ତ ଜେନାଙ୍କ ନାକଚ ହେବ ପ୍ରାର୍ଥୀ ପତ୍ର! ସାଂଘାତିକ ଅଭିଯୋଗ ଆଣିଲା ବିଜେପି

Published By : Prameya-News7 Bureau | April 05, 2019 IST

ଭୁବନେଶ୍ବର୫|୪: ପଦରୁ ଇସ୍ତଫା ଦେଇ ବି ଇସ୍ତଫା ପତ୍ର ଗୃହୀତ ହୋଇନଥିବାରୁ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ ସାରସକଣା ବିଜେପି ପ୍ରାର୍ଥୀ  ବୁଧାନ ମୁର୍ମୁ। ସେପଟେ କିନ୍ତୁ ଲାଭ ଜନକ ପଦରୁ ଇସ୍ତଫା ନଦେଇ ନିର୍ବାଚନ ଲଢୁଥିବା ଅଭିଯୋଗରେ ଛନ୍ଦି ହେଲେଣି ବିଜେଡି ନେତାଏ । ବିଜେଡିର ସବୁଠାରୁ ସମ୍ବଲପୁ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ସେପଟେ ଭୁବନେଶ୍ବର ମଧ୍ୟ ପ୍ରାର୍ଥୀ ଅନନ୍ତ ଜେନାଙ୍କ ନାଁରେ ବି ସମାନ ଅଭିଯୋଗ ଆସିଛି। ଯାହାକୁ ଗଣ୍ଠି କରି ବିଜେପି ରିଟର୍ଣ୍ଣି ଅଫିସରଙ୍କ ନିକଟରେ ଫେରାଦ ହୋଇଛି।

ଥାଟବାଟ ଧରି ଆସିଲେ । ଫଟୋ ପୋଜ୍‌ ଦେଇ ପ୍ରାର୍ଥିପତ୍ର ଦାଖଲ କଲେ କିନ୍ତୁ ଅସଲ ସ୍ଥାନରେ ଝୁଣ୍ଟି ପଡ଼ିଲେ ବିଜେଡିର ପଶ୍ଚିମଓଡ଼ିଶା ଫେସ୍‌ ନଳିନୀ ପ୍ରଧାନ । ନିଜ ସରକାରୀ ପଦବୀରୁ ଇସ୍ତଫା ପରେ ବି ତାଙ୍କ କାର୍ଯ୍ୟରେ ଖୁସି ହୋଇ ସରକାର ତାଙ୍କୁ ଜାବୁଡ଼ି ଧରିଥିଲେ। ଆଉ ଏହି ଜାବୁଡ଼ି ଧରିବା ହିଁ ତାଙ୍କ ପାଇଁ ଏବେ ମହଙ୍ଗା ହେଲାଣି । ନଳିନୀଙ୍କ ବିରୋଧରେ ଆସିଛି ତଥ୍ୟ ଲୁଚାଇବାର ଅଭିଯୋଗ।

ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀ ନିତେଶ ଗଙ୍ଗଦେବ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଅଭିଯୋଗ କରିଛନ୍ତି ଯେ ନଳିନୀ ପୂର୍ତ୍ତ ସଚିବଙ୍କ ପଦରୁ ସିନା ଇସ୍ତଫା ଦେଇଛନ୍ତି କିନ୍ତୁ ଅସଲରେ ଆଉ ଦୁଇଟି ଲାଭଜନକ ପଦବୀରେ ରହିଥିବା କଥା ପ୍ରକାଶ କରିନାହାନ୍ତି।  ସେ ଓଡ଼ିଶା ଷ୍ଟେଟ୍‌ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ ଏବଂ ଓଡ଼ିଶା କନଷ୍ଟ୍ରକ୍‌ସନ କର୍ପୋରେସନ ଲିମିଟେଡ ନିର୍ଦ୍ଦେଶକ ଅଛନ୍ତି। ତେବେ ରିଟର୍ଣ୍ଣି ଅଫିସର ଏହାର ବିଚାର ପାଇଁ କାଲି ପର୍ଯ୍ୟନ୍ତ ରଖିଥିବା ବେଳେ ଶାସକ ଦଳ ଏଥିରେ ଗଡ଼ବଡ଼ି କରିବାକୁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି

ସମାନ ଅଭିଯୋଗ ମଧ୍ୟ ଆସିଛି ଭୁବନେଶ୍ବର ମଧ୍ୟ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ। ମାର୍ଚ୍ଚ ୮ ତାରିଖରେ ବିଡିଏ ଅଧ୍ୟ କ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। ଏ ମଧ୍ୟରେ ଅନନ୍ତ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି। କିନ୍ତୁ ସେ ବିଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇନଥିବା ବିଜେପି ରିଟର୍ଣ୍ଣିଟ ଅଫିସର ନିକଟରେ ଅଭିଯୋଗ କରିଛି। ସରକାରୀ ପଦବିରେ ଥାଇ ସେ କିଭଳି ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପି ପ୍ରଶ୍ନ କରିଛି।

୬ ମାସ ତଳେ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଇସ୍ତଫା ପତ୍ର ଗୃହୀତ ନହେବାରୁ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ ସାରସକଣା  ବିଜେପି ପ୍ରାର୍ଥୀ ବୁଧାନ ମୁର୍ମୁ । ଏବେ ବିଜେଡିର ଟପ ବ୍ରାଣ୍ଡ ନେତା ନଳିନୀ ପ୍ରଧାନ ଏବଂ ଅନନ୍ତ ଜେନାଙ୍କ ବିରୋଧରେ ତଥ୍ୟ ଲୁଚାଇବାର ଅଭିଯୋଗ ଦଳକୁ ଅଡୁଆରେ ପକାଇଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.