ଚନ୍ଦ୍ରପୃଷ୍ଠରେ ୪ଜି ନେଟଓ୍ୱର୍କ ପ୍ରତିଷ୍ଠା କରିବ ନୋକିଆ, ନାସାଠାରୁ ପାଇଲା ୧୪.୧ ମିଲିୟନ ଡଲାର

Published By : Prameya-News7 Bureau | October 19, 2020 IST

ନ୍ୟୁୟର୍କ, ୧୯|୧୦:     ଚନ୍ଦ୍ରରେ ୪ଜି ନେଟଓ୍ୱର୍କ ପ୍ରତିଷ୍ଠା କରିବ ନୋକିଆ । ଏନେଇ ନାସା କରିବ ସହଯୋଗ । ଚନ୍ଦ୍ରରେ ୪ଜି ନେଟଓ୍ୱର୍କ ସ୍ଥାପନା କରିବା ପାଇଁ ନୋକିଆକୁ ୧୪.୧ ମିଲିୟନ ଡଲାର ପ୍ରଦାନ କରିଛି ନାସା । ଏହା ନାସାର ଟିପିଂ ପଏଣ୍ଟ ପ୍ରକଳ୍ପ ଅଂଶବିଶେଷ ଅଟେ ।

ନାସା ଏହି ଟିପିଂ ପଏଣ୍ଟ ପ୍ରକଳ୍ପରେ ୩୭୦ ମିଲିୟନ ଡଲାର ଖର୍ଚ୍ଚ କରିବ । ଏହି ଅର୍ଥରେ ମହାକାଶ ସମେତ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ବାବଦରେ ଅଧିକରୁ ଅଧିକ ଗବେଷଣା କରାଯିବ । ଏଥିରୁ ମହାକାଶର ଅନେକ ରହସ୍ୟ ଉପରୁ ପରଦା ଉଠିବା ସହ ଅଧିକ ତଥ୍ୟ ମିଳିପାରିବ ।

ନାସାର ସୂଚନା ଅନୁସାରେ, ଚନ୍ଦ୍ର ପୃଷ୍ଠରେ ନାସା ଏବେ ନୂଆ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଯୋଜନା ପ୍ରସ୍ତୁତ କରୁଛି । ୨୦୨୮ ସୁଦ୍ଧା ଏହା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଚନ୍ଦ୍ରରେ ଅଧିକ ପାଓ୍ୱାର ସିଷ୍ଟମ ଦରକାର ଯାହା ଦୀର୍ଘଦିନ ଧରି କାମ କରିବ । ଏଥିପାଇଁ ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ।

ନୋକିଆର ରିସର୍ଚ୍ଚ ବିଭାଗ ବେଲ୍ ଲ୍ୟାବସ ଏଦିଗରେ କାମ କରିବ । କମ୍ପାନୀ ଚନ୍ଦ୍ର ପୃଷ୍ଠରେ ଓୟାରଲେସ ନେଟଓ୍ୱର୍କ ସ୍ଥାପନା କରିବା ଦିଗରେ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ନାସା ମଧ୍ୟ ସହଯୋଗ କରିବ । ପ୍ରକଳ୍ପ କଷ୍ଟକର ହେଲେ ମଧ୍ୟ ଫାବ୍ରିକ ଡାଟା ଟ୍ରାନ୍ସମିଶନରେ ଲୁନାର ରୋଭର, ଲୁନାର  ଓ ଲୁନାର ନାଭିଗେସନ ଦିଗରେ କାର୍ଯ୍ୟ କରାଯିବ ।

ଏହା ନୋକିଆର ପ୍ରଥମ ପ୍ରୟାସ ନୁହେଁ । କମ୍ପାନୀ ୨୦୧୮ରେ ମଧ୍ୟ ଚନ୍ଦ୍ର ପୃଷ୍ଠରେ ପିଟିଏସ ବୈଜ୍ଞାନିକଙ୍କ ସହ ମିଶି ଚନ୍ଦ୍ରରେ ଏଲଟିଇ ନେଟଓ୍ୱର୍କ ଲଞ୍ଚ୍ କରିବା ଦିଗରେ ଉଦ୍ୟମ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.