ବୟସ ୧୨ ବର୍ଷ ହେଲେ ହୃଦୟ ବହୁତ ବଡ : ନିଜ ସଞ୍ଚୟରୁ ୪୮ ହଜାର ଟଙ୍କା ଖର୍ଚ୍ଚ କରି ୩ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ ଛାତ୍ରୀ

Published By : Prameya-News7 Bureau | June 01, 2020 IST

ନୋଏଡା ୦୧/୦୬ : କରୋନା ସଂକ୍ରମଣ ଯୋଗୁଁ ହଠାତ ଦେଶରେ ଲକଡାଉନ ଘୋଷଣା ହେବାପରେ ପ୍ରବାସୀ ଶ୍ରମିକ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଫଳରେ ପ୍ରବାସୀ ଶ୍ରମିକ କାମ ଧନ୍ଦା ନ ପାଇ ଏବଂ ଖାଇବା ପିଇବାରେ ସମସ୍ୟା ଯୋଗୁଁ ଘରମୁହାଁ ହୋଇଛନ୍ତି | ଅନେକ ପ୍ରବାସୀ ଚାଲି ଚାଲି ନିଜ ନିଜ ଘରକୁ ଫେରୁଥିବାବେଳେ ଆଉ କିଛି ସାଇକଲ କିମ୍ବା ରିକ୍ସାରେ ନିଜ ନିଜ ଭିଟାମାଟିକୁ ଫେରିଛନ୍ତି | ଶ୍ରମିକଙ୍କ ଏହିଭଳି ଦୁର୍ଦଶା ପରେ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ସେବା ଆରମ୍ଭ କରିଥିଲେ | ସରକାରଙ୍କ ଛଡା କିଛି ସେଲିବ୍ରିଟି ଏବଂ ସାଧାରଣ ଜନତା ମଧ୍ୟ ପ୍ରବାସୀଙ୍କୁ ସାହାଯ୍ୟ କରିଛନ୍ତି |

ନୋଏଡାର ଜଣେ ୧୨ ବର୍ଷର ଛାତ୍ରୀ ନିଜ ସଞ୍ଚିତ ଜମା ପୁଞ୍ଜିରୁ ୪୮ ହଜାର ଟଙ୍କା ଖର୍ଚ୍ଚ କରି ୩ ପ୍ରବାସୀ ଶ୍ରମିକଙ୍କୁ ଝାରଖଣ୍ଡକୁ ପଠାଇଛନ୍ତି | ଛାତ୍ରୀ ଜଣକ ବିମାନ ଯୋଗେ ୩ ଶ୍ରମିକଙ୍କୁ ଝାରଖଣ୍ଡକୁ ପଠାଇଛନ୍ତି | ନିହାରିକା ଦ୍ବିବେଦୀ ନାମକ ଏହି ୧୨ ବର୍ଷୀୟ ଛାତ୍ରୀ କହିଛନ୍ତି, ସମାଜରୁ ସେ ବହୁତ କିଛି ଶିଖିଛନ୍ତି | ସେଥିପାଇଁ ବର୍ତ୍ତମାନ ତାଙ୍କ ଦାୟିତ୍ୱ ସେ ମଧ୍ୟ ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜ ପାଇଁ କିଛି କରିବେ ବୋଲି ସେ କହିଛନ୍ତି | ନିହାରିକାଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି |

ନିହାରିକା ନିଜ ସକ୍ଷମରେ କେବଳ ୩ ଶ୍ରମିକଙ୍କୁ ନିଜ ଘରକୁ ଯିବାକୁ ସାହାଯ୍ୟ କରିନାହାନ୍ତି ବରଂ ଏହି ୩ ଶ୍ରମିକ ପ୍ରଥମଥର ପାଇଁ ବିମାନରେ ଯାତ୍ରା କରୁଛନ୍ତି | ଏହି ଶ୍ରମିକଙ୍କୁ ସାହାଯ୍ୟ କରି ନିହାରିକା ବହୁତ ଖୁସି | ଝାରଖଣ୍ଡର ଏହି ପ୍ରବାସୀ ଶ୍ରମିକ ନିହାରିକାଙ୍କୁ ବହୁତ ଧନ୍ୟବାଦ ଜଣାଈବା ସହ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି |

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ନ୍ୟାସନାଲ ଆଇନ ସ୍କୁଲ ବେଙ୍ଗାଲୁରୁର ପୂର୍ବତନ ଛାତ୍ରମାନେ ଚାନ୍ଦା ଆଦାୟ କରି ମୁମ୍ବାଇରେ ଫସି ରହିଥିବା ୧୮୦ ପ୍ରବାସୀ ଶ୍ରମିକଙ୍କୁ ରାଞ୍ଚିକୁ ପଠାଇଥିଲେ | ସେମାନେ ଯେତେବେଳେ ଜାଣିବାକୁ ପାଇଥିଲେ ଯେ କିଛି ଶ୍ରମିକ ମୁମ୍ବାଇ ଆଇଆଇଟି ନିକଟରେ ଫସି ରହିଛନ୍ତି ଏବଂ ତାଙ୍କ ପାଖରେ ଟଙ୍କା ନାହିଁ, ସେତେବେଳେ ସେହି ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଏହି ଛାତ୍ରମାନେ ଆଗେଇ ଆସିଥିଲେ | ସେମାନେ ଟଙ୍କା ଆଦାୟ କରି ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ | ଏଥିରେ ଛାତ୍ରମାନଙ୍କୁ କିଛି ପୋଲିସକର୍ମୀ ଓ ଏନଜିଓ ମଧ୍ୟ ସାହାଯ୍ୟ କରିଥିଲେ | ତେବେ ଏଥିପାଇଁ ଏହି ଛାତ୍ରମାନେ ସେମାନଙ୍କ ନାଁ ଉଜାଗର ନ କରି ଗୋପନ ରଖିଛନ୍ତି | ନାଁ କରିବା ପାଇଁ ସେମାନେ ଶ୍ରମିକଙ୍କ ସାହାଯ୍ୟ କରିନାହାନ୍ତି ବୋଲି ଛାତ୍ରମାନେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.