ବିଲ୍ଡର ସୁଝିଲା ନାହିଁ ବ୍ୟାଙ୍କ ଲୋନ: ଆପାର୍ଟମେଣ୍ଟର ୨୦୦ ପରିବାରକୁ ମିଳିଲା ଫ୍ଲାଟ୍ ଖାଲି କରିବାକୁ ନୋଟିସ୍

Published By : Prameya-News7 Bureau | August 14, 2019 IST

ନୋଏଡ଼ା ୧୪/୮: ବିଲ୍ଡରଙ୍କ କାରନାମାର ଫଳ ସବୁବେଳେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ିଥାଏ। ଏପରି ଏକ ମାମଲା ଉତ୍ତର ପ୍ରଦେଶର ନୋଏଡ଼ାରେ ହୋଇଛି। ନୋଏଡ଼ା ସେକ୍ଟର-୭୫ର ଏକ ହାଉସିଙ୍ଗ ସୋସାଇଟି ଗାର୍ଡ଼େନିଆ ଗେଟଓ୍ବେରେ ରହୁଥିବା ପାଖାପାଖି ୨୦୦ପରିବାରକୁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଫ୍ଲାଟ୍ ଖାଲି କରିବାକୁ ନୋଟିସ୍ ପଠାଯାଇଛି। ଖବର ଅନୁସାରେ ଅଗଷ୍ଟ ୨୦ତାରିଖ ସୁଦ୍ଧା ଫ୍ଲାଟ୍ ଖାଲି କରିବାର ନୋଟିସ୍ ମିଳିବା ପରେ ଏଥିରେ ରହୁଥିବା ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ବ୍ୟାଙ୍କ ତରଫରୁ ସୋସାଇଟି ବାସିନ୍ଦାଙ୍କୁ କୁହାଯାଇଛି ଯେ ଗାର୍ଡ଼େନିଆ ଇଣ୍ଡିଆ ଲିମିଟେଡ ବ୍ୟାଙ୍କଠୁ ୨୦୧୫ ମସିହା ଡିସେମ୍ବରରେ ୭୮.୪୫କୋଟି ଟଙ୍କାର ଲୋନ୍ ନେଇଥିଲା । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ପରିଶୋଧ କରାଯାଇନାହିଁ। ଏପରି ପରିସ୍ଥିତିରେ ଲୋନ୍ ଆଦାୟ ପାଇଁ କମ୍ପାନୀର ସମ୍ପତ୍ତି ଜବତ କରିବା ଲାଗି ବ୍ୟାଙ୍କ ପାଖରେ ପୂରା ଆଇନସମ୍ମତ ଅଧିକାର ରହିଛି।

ସୋସାଇଟିର ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନ ଅଧ୍ୟକ୍ଷ ବିଏସ୍ ଲଭାନିଆ କହିଛନ୍ତି ଯେ ବିଲ୍ଡର ସମସ୍ତ ଫ୍ଲାଟ୍ ମାଲିକଙ୍କଠୁ ପୂରା ଟଙ୍କା ଆଦାୟ କରିସାରିଛି । ଏହା ପରେ ସେମାନଙ୍କୁ ଫ୍ଲାଟର ମାଲିକାନା ଦିଆଯାଇଥିଲା। ବ୍ୟାଙ୍କ ସହ ଯଦି ବିଲ୍ଡର ଫ୍ରଡ କରିଥାଏ ତେବେ ଏହି ଫ୍ଲାଟ୍ ମାଲିକମାନେ ଏଥିପାଇଁ ଦାୟୀ ନୁହନ୍ତି। ଫ୍ଲାଟ୍ ମାଲିକମାନେ କହିଛନ୍ତି ଯେ ସୋସାଇଟିର ଲୋକମାନେ ଏକମତ ହୋଇ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଯେକୌଣସି ପରିସ୍ଥିତିରେ ଫ୍ଲାଟ୍ ଖାଲି କରିବେ ନାହିଁ।

ସୋସାଇଟିର ଲୋକଙ୍କ କହିବାନୁସାରେ ସେମାନେ ଏହା ବିରୁଦ୍ଧରେ ଆଇନର ସହାୟତା ଲୋଡ଼ିବେ। ଏହି ମାମଲାରେ ସମସ୍ତେ ମିଶି ନୋଏଡ଼ାର ସେକ୍ଟର ୪୯ ସ୍ଥିତ ପୋଲିସ୍ ଥାନାରେ ଅଭିଯୋଗ କରିଛନ୍ତି। ବିଲ୍ଡରଙ୍କ ଭୁଲର ଦଣ୍ଡ ଫ୍ଲାଟ୍ କିଣିଥିବା ଲୋକେ କାହିଁକି ଭୋଗିବେ? ସେମାନେ ଏହି ଫ୍ଲାଟକୁ ପୂରା ଟଙ୍କା ଦେଇ କିଣିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.