ଲୋକସଭା ନିର୍ବାଚନ ବେଳେ ସୁଷମା ସ୍ୱରାଜଙ୍କ ବଡ ଖୁଲାସା : "ଵାଲାକୋଟ ଏୟାର ଷ୍ଟ୍ରାଇକରେ କେହି ନିହତ ହୋଇନାହାନ୍ତି"

Published By : Prameya-News7 Bureau | April 20, 2019 IST

ନୂଆଦିଲ୍ଲୀ ୨୦/୪ : କାଶ୍ମୀର ପୁଲୱାମାରେ ଫେବୃଆରୀ ୧୪ ତାରିଖରେ ସିଆରପିଏଫ ଯବାନଙ୍କ ଗାଡିକୁ ହମଲା କରିଥିଲା ପାକିସ୍ତାନୀ ଆତଙ୍କବାଦୀ | ପାକିସ୍ତାନର ଆତଙ୍କବାଦୀ ହମଲା ପରେ ଭାରତୀୟ ବାୟୁସେନା ଫେବୃଆରୀ ୨୬ ତାରିଖରେ ପାକିସ୍ତାନ ଅନ୍ତର୍ଗତ ଵାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା | ଏୟାର ଷ୍ଟ୍ରାଇକରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଶିବିର ଧ୍ବଂସ କରିଥିଲା ଭାରତୀୟ ବାୟୁସେନା |


ବାୟୁସେନାର ଏୟାର ଷ୍ଟ୍ରାଇକରେ ପାକିସ୍ତାନର କୌଣସି ନାଗରିକ ବା ସେନାକୁ ଟାର୍ଗେଟ କରାଯାଇନଥିଲା ବୋଲି ଭାରତ ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା | ଏହି ହମଲା କେବଳ ଆତ୍ମରକ୍ଷା ପାଇଁ ଆତଙ୍କବାଦୀଙ୍କୁ ଧ୍ବଂସ କରିବା ପାଇଁ କରାଯାଇଥିଲା ବୋଲି ଭାରତ କହିଥିଲା | ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ କହିଛନ୍ତି ଯେ, ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନ ସେନା କିମ୍ବା କୌଣସି ନାଗରିକ ନିହତ ହୋଇ ନାହାନ୍ତି |


ଦେଶରେ ଲୋକସଭା ନିର୍ବାଚନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହା ଏକ ଖରାପ ଖବର | ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରୁଥିଲେ | ସେତେବେଳେ ସେ କହିଥିଲେ ଯେ, ଭାରତୀୟ ସେନାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖୋଲାଖୋଲି ଭାବେ ଅନୁମତି ଦିଆଯାଇଥିଲା | କିନ୍ତୁ କୌଣସି ପାକିସ୍ତାନୀ ନାଗରିକ ଯେମିତି ଏହି ଏୟାର ଷ୍ଟ୍ରାଇକରେ ଆହତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା | ଏପରିକି ପାକିସ୍ତାନୀ ସେନାକୁ ମଧ୍ୟ କୌଣସି କ୍ଷତି ହେବା କଥା ନୁହେଁ ବୋଲି କୁହାଯାଇଥିଲା | ଏୟାର ଷ୍ଟ୍ରାଇକ କେବଳ ଜୈସ ଆତଙ୍କବାଦ ସଂଗଠନକୁ ଟାର୍ଗେଟ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା | କାରଣ ପୁଲୱାମା ହମଲା ପାଇଁ ଜୈସ ଆତଙ୍କବାଦୀ ସଂଗଠନ ଦାୟୀ | ନିର୍ଦେଶନୁଯାୟୀ, ଭାରତୀୟ ସେନା ସେୟା ହିଁ କରିଥିଲେ | ସେମାନେ ଜୈସର ଆତଙ୍କବାଦୀ ଶିବିର ଧ୍ବଂସ କରି ଫେରି ଆସିଥିଲେ ବୋଲି କହିଥିଲେ ସୁଷମା ସ୍ୱରାଜ |


ସେ ଜୋର ଦେଇ କହିଥିଲେ ଯେ, ଏୟାର ଷ୍ଟ୍ରାଇକ କେବଳ ଆତ୍ମରକ୍ଷା ପାଇଁ କରାଯାଇଥିଲା | ଜାତିସଂଘକୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା ଏବଂ ସେମାନେ ମଧ୍ୟ ଭାରତକୁ ସମର୍ଥନ କରିଥିଲେ | ତେବେ ସୁଷମା ନିଜ ସମ୍ବୋଧନରେ ଯେଉଁ ନାଗରିକ ଶବ୍ଦ ବ୍ୟବହାର କରିଥିଲେ ତାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିଲା | କିନ୍ତୁ ଅଧିକାରୀମାନେ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିଥିଲେ ଯେ, ସୁଷମାଙ୍କ ନାଗରିକ ଶବ୍ଦ ବ୍ୟବହାର କରିବା ଅର୍ଥ ଥିଲା ସାଧାରଣ ନାଗରିକ, ଆତଙ୍କବାଦୀ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.