ଭାରତରେ ଲକ୍‌ଡାଉନ କୋହଳ ନିଷ୍ପତ୍ତିକୁ ଆପତ୍ତି , ନୋବେଲ ବିଜେତା ବୈଜ୍ଞାନିକଙ୍କ ମତରେ ଏତେ ଶୀଘ୍ର କଟକଣା ହଟିବା ଠିକ୍‌ ନୁହେଁ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୦୫: ସାରାବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି । ଭାରତରେ ମଧ୍ୟ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଜାରି କରିଥିଲା । କିନ୍ତୁ ଏବେ ଲକ୍‌ଡାଉନ୍‌ ଅବଧିକୁ ଧୀରେ ଧୀରେ କୋହଳ କରାଯାଉଛି । ତେବେ ଭାରତରେ ଲକ୍‌ଡାଉନକୁ ଧୀରେ ଧୀରେ କୋହଳ କରାଯାଉଥିଲାବେଳେ ଏହାକୁ ନେଇ ଅଷ୍ଟ୍ରେଲିଆର ନୋବେଲ ପୁରସ୍କାର ପ୍ରାପ୍ତ ଜଣେ ବୈଜ୍ଞାନିକ ଚିନ୍ତା ବ୍ୟକ୍ତ କରିଛନ୍ତି ।

ମେଲବୋର୍ଣ୍ଣ ୟୁନିଭରସିଟିର ମାଇକ୍ରୋବାୟୋଲୋଜିଷ୍ଟ ପିଟର ଚାର୍ଲସ ଡୋହେଟ୍ରି କହିଛନ୍ତି ଯେ, ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ଏତେ ଶୀଘ୍ର ଲକ୍‌ଡାଉନ କୋହଳ କରାଯିବା ଠିକ୍‌ ହୋଇନାହିଁ । ଯଦି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲେ, ତାହାହେଲେ ଏହାକୁ ରୋକିବା ପାଇଁ କମ ସମୟ ଭିତରେ ପ୍ରଶାସନକୁ ପଦକ୍ଷେପ ନେବାକୁ ପଡିବ ।

ଶୀଘ୍ର କଣ୍ଟାକ୍ଟ ଟ୍ରେସିଂ କରିବାକୁ ପଡିବ ଏବଂ ସବୁ ଲୋକଙ୍କୁ ବି ଦାୟିତ୍ୱବାନ ହେବାକୁ ପଡିବ । ମାତ୍ର ଭାରତ ପରି ଜନସଂଖ୍ୟା ବହୁଳ ଦେଶରେ ଏପରି କରାଯିବା ଅତି ମୁସ୍କିଲ । ସେ ଆହୁରି କହିଛନ୍ତି ଯେ ଲକ୍‌ଡାଉନର ପ୍ରକୃତ ଅର୍ଥ ହେଉଛି ସବୁକିଛି ବନ୍ଦ ରଖାଯିବା । ମାତ୍ର ସାମାଜିକ ଓ ଅର୍ଥନୈତିକ କାରଣରୁ ଏପରି କରିବା ଏକପ୍ରକାର ଅସମ୍ଭବ । ତେଣୁ ବିଭିନ୍ନ ଦେଶରେ ଯେଉଁ ଲକ୍‌ଡାଉନ କରାଯାଉଛି, ତାହା ଆଂଶିକ ମାତ୍ରାରେ କରାଯାଉଛି । ହେଲେ ଏବେ ଏହାର କିଛି ବିକଳ୍ପ ନାହିଁ । କାରଣ କରୋନା ଟିକା ବ୍ୟବହାରଯୋଗ୍ୟ ହେବାକୁ ଆହୁରି ୯ରୁ ୧୨ ମାସ ସମୟ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.