କରୋନା ମହାମାରୀ ଯୋଗୁଁ ୨୦୨୦ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ
23/07/2020 at 12:58 PM

ନୂଆଦିଲ୍ଲୀ ୨୩/୦୭ : ନୋବେଲ ଫାଉଣ୍ଡେସନ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି | ୬୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ନୋବେଲ ପୁରସ୍କାର ସମାରୋହ ପାରମ୍ପରିକ ଭାବେ ଅନୁଷ୍ଠିତ ନ ହୋଇ ସ୍ଥଗିତ ରଖାଯାଇଛି | ଏହା ପୂର୍ବରୁ ୧୯୫୬ ମସିହାରେ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ ରଖ ଯାଇଥିଲା |

ନୋବେଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲର୍ସ ହେକେନଷ୍ଟେନ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ଏହିଭଳି ନିଷ୍ପତ୍ତି ନିଆଯାଇଛି | କରୋନା ପରିସ୍ଥିତିରେ ୧୩୦୦ ଲୋକଙ୍କୁ ଏକାଠି କରିବା ସମ୍ଭବ ନୁହେଁ | କରୋନା ଯୋଗୁଁ ନୋବେଲ ବିଜେତାଙ୍କୁ ସ୍ୱିଡ଼େନ ଯାତ୍ରା କରିବା ଅସୁବିଧା ହେବ | କିଭଳି ସମ୍ମାନ ସମାରୋହ ଆୟୋଜିତ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି | ଚଳିତ ବର୍ଷ ଅନ୍ୟ ବର୍ଷ ଠାରୁ ସମ୍ପୂର୍ଣ ଭିନ୍ନ | ସମସ୍ତଙ୍କୁ ସମ୍ପୂର୍ଣ ଭାବେ ନୂଆ ପରିସ୍ଥିତିକୁ ସ୍ୱୀକାର କରିବାକୁ ହେବ ବୋଲି ସେ କହିଛନ୍ତି |

ଷ୍ଟକହୋମ ସିଟି ହଲରେ ସମାରୋହ ସମୟରେ ବିଜେତା, ସ୍ୱିଡ଼େନର ରାଜ ପରିବାର ଓ ପାଖାପାଖି ୧୩୦୦ ଅତିଥିଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରାଯାଇଥାଏ | ଓସ୍ଲୋରେ ସମ୍ମାନିତ କରିବାକୁଥିବା ଶାନ୍ତି ପୁରସ୍କାର ବିଜେତାଙ୍କୁ ମଧ୍ୟ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରାଯାଇଥାଏ | ମେଡ଼ିସିନ, ଫିଜିକ୍ସ, କେମିଷ୍ଟ୍ରି, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ର କ୍ଷେତ୍ରରେ ଅକ୍ଟୋବର ୫ ରୁ ୧୨ ତାରିଖ ମଧ୍ୟରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥାଏ | ବିଜେତାଙ୍କୁ ଡିସେମ୍ବର ମାସରେ ଷ୍ଟକହୋମରେ ନୋବେଲ ପୁରସ୍କାର ସହ ସମ୍ମାନିତ କରାଯାଇଥାଏ | କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଉଭୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି | ନୂଆ ତାରିଖ କେବେ ଘୋଷଣା ହେବ ତାହା ସ୍ପଷ୍ଟ ହୋଇନାହିଁ |