ସରକାରଙ୍କ ‘ନୋ ୱାର୍କ ନୋ ପେ’ ଧମକ ଆନ୍ଦୋଳନକାରୀ କର୍ମଚାରୀଙ୍କୁ ଡରାଇପାରୁନି, ବିରୋଧୀ କଲେଣି ସମାଲୋଚନା
27/09/2018 at 6:43 PM

ଭୁବନେଶ୍ବର୨୭|୯: ଆନ୍ଦୋଳନ ଓ ଧର୍ମଘଟରେ ସରକାର ଅସ୍ତବ୍ୟସ୍ତ । ଗୋଟିଏ ପରେ ଗୋଟିଏ ସରକାରୀ କର୍ମଚାରୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବା ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । କାମ କରୁ ନଥିବାରୁ ସରକାର ଏବେ ଆପଣାଉଛନ୍ତି ନୋ ଓ୍ବାର୍କ ନୋ ପେ ଛାଟ । ହେଲେ ସରକାରଙ୍କ ଏହି ଅସ୍ତ୍ରକୁ କିନ୍ତୁ ଡରିବେନି ବୋଲି ସିଧା ସିଧା କହିଛି କର୍ମଚାରୀ ସଙ୍ଗଠନ ।
ବଢୁଛି ସରକାରୀ କର୍ମଚାରୀ ସଂଗଠନଗୁଡିକର ଚାପ । ଗୋଟିଏ ପରେ ଗୋଟିଏ ସଂଗଠନ ଏବେ ଆନ୍ଦୋଳନ ମୁହାଁ । ସରକାରଙ୍କ ଆଲୋଚନା ପରେ ବି ଜିଦିରେ ଅଟଳ ବିଭିନ୍ନ ବିଭାଗର କାର୍ଯ୍ୟ ଏକରକମର ଠପ୍ ହେବାରେ ଲାଗିଲାଣି। । ଏସବୁ କୁ ନେଇ ଲୋକେ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଅସନ୍ତୋଷ ମଧ୍ୟ ବଢ଼ିଲାଣି ।ଏଭଳି ସ୍ଥିତିର ମୁକାବିଲା କରିବା ଲାଗି ଏବେ ଛାଟ ଧରିଲେଣି ସରକାର। ସିଧା ଚେତାବନୀ ଦେଇଛନ୍ତି ନୋ ଓ୍ବାର୍କ ନୋ ପେ । କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଯୋଗୁ ରାଜ୍ୟରେ ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଛି । ସରକାରଙ୍କ ପ୍ରତିଶୃତି ପରେ ବି ଆନ୍ଦୋଳନରୁ ଓହରୁ ନାହାନ୍ତି ସଙ୍ଗଠନ । ନିର୍ବାଚନୀ ବର୍ଷରେ ଚାପ ସୃଷ୍ଟି କରି ସରକାରଙ୍କଠୁ ଦାବି ହାସଲ କରିବା ଜିଦରେ ଅଡି ବସିଛନ୍ତି ସଙ୍ଗଠନ । ତେବେ ସରକାରଙ୍କ ନୋ ଓ୍ବାର୍କ ନୋ ପେ ଛାଟ ଓ କାର୍ଯ୍ୟର ଗୁରୁଦାୟିତ୍ବ ଅନୁଭବ କରି ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତ। କିନ୍ତୁ ଅନ୍ୟ କର୍ମଚାରୀଙ୍କୁ ଏସବୁ କାଟୁ କରିବନି ବୋଲି ଜଣେଇଛନ୍ତି ସେମାନେ। ସେପଟେ ବିରୋଧୀ କହିଛନ୍ତି ରାଜ୍ୟରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ସରକାର ପଦକ୍ଷେପ ନେଇ ସମସ୍ୟା ସମାଧାନ କରନ୍ତୁ ।
ଆନ୍ଦୋଳନକୁ ଏଡାଇ ସ୍ବାଭାବିକ ସ୍ଥିତି ଫେରିବାକୁ ସରକାରଙ୍କ ଏହି ଶେଷ ଛାଟ ନୋ ଓ୍ବାର୍କ ନୋ ପେ କାମ ନକଲେ ସରକାର ଆଉ କି ଆଭିମୁଖ୍ୟ ଗ୍ରହଣ କରିବେ ତାହା ହିଁ ପ୍ରଶ୍ନ । କାରଣ ଲୋକେ ଅତିଷ୍ଠ ହୋଇଗଲେଣି, ଏସବୁ ଆନ୍ଦୋଳନ ପାଇଁ ଆନ୍ଦୋଳନକାରୀଙ୍କୁ ଯେତିକି ଦାୟୀ କରୁଛନ୍ତି ସରକାରଙ୍କୁ ମଧ୍ୟ ସେତିକି ଦାୟୀ କରୁଛନ୍ତି।