ଫେସ୍‌ବୁକ୍‌ ଏବଂ ହ୍ବାଟସ୍‌ ଆପ୍‌କୁ ବି ଭରସା କରୁନାହାନ୍ତି ଆତଙ୍କବାଦୀ, ନୂଆ ଆପ୍‌ ଜରିଆରେ ରଚୁଛନ୍ତି ଷଡ଼ଯନ୍ତ୍ର

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪/୦୧: ହ୍ବାଟସ୍‌ ଆପ୍‌ର ପ୍ରାଇଭେସି ପଲିସିକୁ ନେଇ ବିବାଦ ଉପୁଜିବା ପରେ ପାକ୍‌ ଆତଙ୍କବାଦୀ ବିକଳ୍ପ ବାଛିଛନ୍ତି। ହ୍ବାଟସ୍‌ ଆପ୍‌ ଓ ଫେସ୍‌ବୁକ୍‌ ଉପରୁ ଭରସା ଉଠିଯିବା ପରେ ପାକ୍‌ ଆତଙ୍କବାଦୀ ନିଜ ନିଜ ଭିତରେ କଥାବାର୍ତ୍ତା ପାଇଁ ଅନ୍ୟ ମେସେଜିଂ ଆପ୍‌ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ନିଜ ଚକ୍ରାନ୍ତକୁ ଗୋପନ ରଖିବା ପାଇଁ ଅନ୍ୟ ମେସେଜିଂ ଆପ୍‌ର ବ୍ୟବହାର କରୁଥିବା ସୂଚନା ମିଳିଛି। ଏଥିପାଇଁ ତୁର୍କୀର ଏକ କମ୍ପାନୀ ଆପ୍‌କୁ ବିକଶିତ କରିଛି।

ଏନକାଉଣ୍ଟର ପରେ ସେନାକୁ ମିଳିଥିବା ପ୍ରମାଣ ଓ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ୩ଟି ଏଭଳି ମୋବାଇଲ୍‌ ଆପ୍‌ ସାମ୍ନାକୁ ଆସିଛି। ଏହି ସବୁ ଆପ୍‌ ଦ୍ବାରା ଆତଙ୍କବାଦୀ ନିଜ ନିଜ ମଧ୍ୟରେ ଆଲୋଚନା କରୁଛନ୍ତି ଏବଂ ଆତଙ୍କବାଦ ବଢ଼ାଇବା ପାଇଁ କାର୍ଯ୍ୟ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ସବୁ ଆପ୍‌କୁ ସାର୍ବଜନୀନ କରାଯାଇନାହିଁ। ଏଥିମଧ୍ୟରୁ ଗୋଟିଏ ଆମେରିକୀୟ କମ୍ପାନୀର ହୋଇଥିବା ବେଳେ ଅନ୍ୟ ଗୋଟିଏ ୟୁରୋପୀୟ ଆପ୍‌ ବୋଲି ଜଣାପଡ଼ିଛି। ସବୁଠୁ ଲାଟେଷ୍ଟ ଆପ୍‌ ତୁର୍କୀ କମ୍ପାନୀ ତିଆରି କରିଛି। ଏହି ଆପ୍‌ର ବ୍ୟବହାର ଆତଙ୍କବାଦୀ କାଶ୍ମୀର ଘାଟିରେ କରୁଛନ୍ତି।

ଏହି ଆପ୍‌ର ବିଶେଷତ୍ବ ହେଉଛି ଏହାର ବ୍ୟବହାର ଧିମା ଇଣ୍ଟରନେଟ୍‌ ଅର୍ଥାତ ୨ଜି ଇଣ୍ଟରନେଟ୍‌ରେ ବି ହୋଇପାରୁଛି। ଆତଙ୍କବାଦୀ ସମୂହ ହ୍ବାଟସ ଆପ୍‌ ଏବଂ ଫେସବୁକ୍‌ ବ୍ୟବହାର କରିବା ବନ୍ଦ କରିଦେଇଥିଲେ। ପରେ ସେମାନେ ଇଣ୍ଟରନେଟ୍‌ରେ ଉପଲବ୍ଧ ଅନ୍ୟ ମାଗଣା ମେସେଜିଂ ଆପ୍‌ ବ୍ୟବହାର କରିବା ଆରମ୍ଭ କରିଥିଲେ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି। ଏହି ସବୁ ଆପ୍‌ରେ ଏମିତି ପ୍ରଯୁକ୍ତିବିଦ୍ୟାର ଉପଯୋଗ ହୋଇଛି ଯେଉଁଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ପ୍ରାୟ ସମ୍ଭବ ନୁହେଁ।

ଏହି ସବୁ ଆପ୍‌ ମାଧ୍ୟମରେ କାଶ୍ମୀର ଘାଟିରେ ଯୁବକମାନଙ୍କୁ ଆତଙ୍କୀ ରାସ୍ତାରେ ଚାଲିବାକୁ ପ୍ରବର୍ତ୍ତାଯାଉଛି ଆତଙ୍କବାଦୀ । ଏହି ସବୁ ଆପ୍‌ ୟୁଜରଙ୍କୁ କୌଣସି ପ୍ରକାର ଫୋନ ନମ୍ବର କିମ୍ବା ଇମେଲ ଆଇଡି ମାଗିନଥାଏ। ତେଣୁ ଗୋପନୀୟତା ବହୁତ ଅଧିକ। ସେନା ଅଧିକାରୀଙ୍କ ଅନୁଯାୟୀ ଏହି ସବୁ ଆପକୁ ଜାମ୍ମୁ କାଶ୍ମୀରରେ ବ୍ଳକ୍‌ କରିବାକୁ ପ୍ରୟାସ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.