ମାସ୍କ ନପିନ୍ଧିଲେ ଖୋଳିବାକୁ ପଡିବ କରୋନା ମୃତକଙ୍କ ପାଇଁ କବର, ଅଜବ ନିୟମ ଜାରି କଲା ପ୍ରଶାସନ
15/09/2020 at 4:25 PM

ଜାକର୍ତ୍ତା, ୧୫।୦୯: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହି ଭାଇରସର ଭାକସିନ୍ ମଧ୍ୟ ବାହାରି ନାହିଁ । ଏହି ଭାଇରସଠୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଛି । ଅନେକ ସ୍ଥାନରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉ ନାହିଁ । ତେବେ ଗୋଟିଏ ଦେଶରେ ମାସ୍କ ନପିନ୍ଧିଲେ ଏକ ଅଜବ ଦଣ୍ଡବିଧାନ ହୋଇଛି ।
ଇଣ୍ଡୋନେସିଆର ପୂର୍ବ ଜାଭାର ପ୍ରଶାସନ ମାସ୍କ ନପିନ୍ଧିଲେ ଦଣ୍ଡ ସ୍ୱରୂପ କରୋନା ଭାଇରସରେ ମୃତକଙ୍କ କବର ଖୋଳିବାକୁ କହିଛନ୍ତି । ପୂର୍ବ ଜାଭାର ଗେରାସିକ୍ ରିଜେନ୍ସିର ୮ଜଣ ଲୋକ ମାସ୍କ ପିନ୍ଧିବାକୁ ମନା କରିବାରୁ ସେମାନଙ୍କୁ କବର ଖୋଳିବାକୁ ନିର୍ଦ୍ଦେଶ ଦିଆଗଲା । ଏଠାରେ କୌଣସି ସାଧାରଣ ଲୋକଙ୍କୁ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଦିଆଯାଉ ନାହିଁ । ଫଳରେ କବର ଖୋଳିବା ନେଇ ଲୋକଙ୍କ ଅଭାବ ପରିଲକ୍ଷିତ ହେଉଛି ।
ଜାଭାର କୋର୍ମ ଜିଲ୍ଲାରେ ମୁଖ୍ୟ ସ୍ୟୁନୋ କହିଛନ୍ତି ଯେ, ସେମାନଙ୍କ ପାଖରେ କବର ଖୋଳିବା ଲୋକଙ୍କ ଅଭାବ ରହିଛି । ତେଣୁ ନିୟମ ଉଲଙ୍ଘନକାରୀଙ୍କୁ ଏହି କାମରେ ଲଗାଯିବ । ଏପରି ହେଲେ ଲୋକ ଆଉ ଭବିଷ୍ୟତରେ ନିୟମର ଉଲଙ୍ଘନ କରିବେ ନାହିଁ । ଏବେ ଲୋକଙ୍କୁ କେବଳ କବର ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଇଣ୍ଡୋନେସିଆରେ ଏବେ କରୋନା ଭାଇରସର ୨୧୮,୩୮୨ଟି ମାମଲା ସାମ୍ନାକୁ ଆସିଛି । ରାଜଧାନୀ ଜାକର୍ତ୍ତାରେ ମଧ୍ୟ ୫୪,୨୨୦ଜଣ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ଇଷ୍ଟ ଜାଭାରେ ୩୮୦୮୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ୮୭୨୩ଜଣ ପ୍ରାଣ ହରାଇଛନ୍ତି ।