ଆଜି ରାତି ୯ରୁ ପୁରୀକୁ ଗଡିବନି ବସ୍, ପାସେଞ୍ଜର ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ

Published By : Prameya-News7 Bureau | June 30, 2020 IST

ପୁରୀ, ୩୦|୦୬: ମଙ୍ଗଳବାର ରାତି ୯ରୁ ପୁରୀରୁ ବସ ଚଳାଚଳ ବନ୍ଦ ରହିବ ।ଏହାସହ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳରୁ ମଧ୍ୟ ବନ୍ଦ ରଖାଯାଇଛି ।

ବାହୁଡା ଯାତ୍ରା ଓ ସୁନାବେଶକୁ ନଜରରେ ରଖି ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ରାତି ୯ଟା ରୁ ଆସନ୍ତା ୨ ତାରିଖ ରାତି ୧୧ଟା ୩୦ ଯାଏଁ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସିଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସୁରୁଖୁରରେ ସମ୍ପନ୍ନ ହୋଇଛି । ପ୍ରଶାସନ, ସେବାୟତ ଓ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । କରୋନା ସଂକ୍ରମଣ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏବେ ବାହୁଡା ଓ ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ ହୋଇଛି ।

ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କ କହିଥିଲେ ଯେ, ଜୁନ ୩୦ ରାତି ୧୦ଟାରୁ ଜୁଲାଇ ୨ ତାରିଖ ଯାଏଁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ । ସହରକୁ ସମ୍ପୂର୍ଣ୍ଣ ସଟଡାଉନ୍ କରାଯିବ । ସେହିପରି ଜୁଲାଇ ୪ ଯାଏଁ ହୋଟେଲ, ଲଜ୍, ଧର୍ମଶାଳାରେ ଥିବା ଲୋକମାନେ ବାହାରକୁ ବାହାରି ପାରିବେ ନାହିଁ । ଏପରିକି ରଥଯାତ୍ରା ଭଳି ବଡଦାଣ୍ଡରେ ଥିବା ଘରର ଛାତ ଉପରେ କେହି ଗହଳି କରିପାରିବେ ନାହିଁ । ଯଦି ଏପରି ଦେଖିବାକୁ ମିଳେ ତେବେ ସଂପୃକ୍ତ ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.