ଏସପ୍ତାହରେ କର୍ଣ୍ଣାଟକରେ ରବିବାର କର୍ଫ୍ୟୁ ନାହିଁ, କେବଳ ସନ୍ଧ୍ୟା ୭ରୁ ସକାଳ ୭ ବନ୍ଦ

Published By : Prameya-News7 Bureau | May 30, 2020 IST

ବେଙ୍ଗାଲୁରୁ, ୩୦|୦୫: କର୍ଣ୍ଣାଟକରେ ଆସନ୍ତା ରବିବାର ଦିନ କର୍ଫ୍ୟୁ ପାଳନ ହେବ ନାହିଁ । ଏନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ତେବେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟରେ କର୍ଫ୍ୟୁ ଜାରି ରହିବ ବୋଲି ସରକାର କହିଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ରାଜ୍ୟବାସୀଙ୍କ ଅନୁରୋଧକ୍ରମେ ପ୍ରତି ରବିବାର ହେଉଥିବା ରବିବାର କର୍ଫ୍ୟୁକୁ ହଟାଯାଇଛି ବୋଲି କହିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଟିଏମ ବିଜୟ ଭାସ୍କର ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ରାଜ୍ୟରେ ରବିବାରଠାରୁ ସମସ୍ତ ବସ ଚଳାଚଳ କରିବ । ଅତିକମରେ ୩୫୦୦ ବସ୍ ପ୍ରାଥମିକ ପର୍ଯ୍ୟାୟରେ ଚଳାଚଳ କରିବ ।

ଲକଡାଉନ୍ ୪.୦ ଆରମ୍ଭ ହେବା ପରେ କର୍ଣ୍ଣାଟକ ସରକାର ରବିବାର ଦିନ ରାଜ୍ୟରେ ସଟଡାଉନ୍ ଲାଗୁ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଗତ ରବିବାର ଦିନ ଇଦ୍ ସମୟରେ ମଧ୍ୟ ରାଜ୍ୟ ସମ୍ପୂର୍ଣ୍ଣ ଭାବେ ସଟଡାଉନ୍ ରହିଥିଲା । ଏହାକୁ ନଜରରେ ରଖି ସରକାର ଶନିବାର ସନ୍ଧ୍ୟାରୁ ହିଁ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଥିଲେ ।

ସୂଚନାଯୋଗ୍ୟ, ଶୁକ୍ରବାର କର୍ଣ୍ଣାଟକରେ ୨୪୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ । ଯାହା ଗୋଟିଏ ଦିନରେ ସର୍ବାଧିକ । ରାଜ୍ୟରେ ଏବେସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୮୧ ଥିବା ବେଳେ ୧୮୩୭ଟି ସକ୍ରିୟ କେସ୍ ରହିଛି । ଏହାସହ ୪୮ଜଣ ପ୍ରାଣ ହରାଇ ସାରିଥିବା ବେଳେ ୮୯୪ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.