ଦୀପ ତଳ ଅନ୍ଧାର: ସାନିଟାଇଜ ହୋଇନାହିଁ ସାନିଟାଇଜ କରୁଥିବା କର୍ମଚାରୀଙ୍କ ଘର

Published By : Prameya-News7 Bureau | April 07, 2020 IST

ଆଗ୍ରା ୦୭/୦୪ : କରୋନା ସଂକ୍ରମଣ ରୋକିବା ପାଇଁ ଆଗ୍ରାରେ ଅନେକ ଜାଗାକୁ ସାନିଟାଇଜ କରାଯାଉଛି | କିନ୍ତୁ ସାନିଟାଇଜ କରୁଥିବା କର୍ମଚାରୀଙ୍କ ଘରକୁ ଏବେଯାଏଁ ସାନିଟାଇଜ କରାଯାଇନାହିଁ | ଫୋନ ଆସୁ ଆସୁ ମେସିନ ଓ କେମିକାଲ ନେଇ ଦୌଡ଼ିଯାନ୍ତି କର୍ମଚାରୀ | ଅନ୍ୟ ମାନଙ୍କୁ ସଂକ୍ରମଣରୁ ରକ୍ଷା କରୁଥିବା ଏହି କର୍ମଚାରୀ ନିଜ ଏବଂ ନିଜ ପରିବାରର ସୁରକ୍ଷାରୁ ବଞ୍ଚିତ | ଏମାନେ ମଧ୍ୟ ଚାହୁଁଛନ୍ତି ଯେ ତାଙ୍କ ଘରେ ସୋଡିୟମ ହାଇପୋ କ୍ଲୋରାଇଡ କେମିକାଲ ଛିଞ୍ଚାଯାଉ | କିନ୍ତୁ ତାଙ୍କୁ ଏଯାଏଁ ଅଧିକାରୀଙ୍କ ଅନୁମତି ମିଳିନାହିଁ | ଅଧିକାରୀଙ୍କ ନିର୍ଦେଶକୁ କର୍ମଚାରୀ ଅପେକ୍ଷା କରି ରହିଛନ୍ତି |

ବର୍ତ୍ତମାନ ମୋପିଙ୍ଗ ଓ ସାନିଟାଇଜେସନ ଦାୟିତ୍ୱ ନଗର ନିଗମ କର୍ମଚାରୀଙ୍କ ଉପରେ ରହିଛି | ଏମାନଙ୍କ ଟିମ ଗଠନ କରାଯାଇଛି | ଥାନାଠୁ ଆରମ୍ଭ କରି ଜୋନ ଅଫିସ ଯାଏଁ ଏବଂ ବ୍ଲକରୁ କମିଶନରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏମାନେ ସାନିଟାଇଜ କରିଛନ୍ତି |

ସହରରେ ଏଯାଏଁ ୬୩ ଜଣ ଆକ୍ରାନ୍ତ ହୋଇଛନ୍ତି | ସମସ୍ତ ଆକ୍ରାନ୍ତଙ୍କ ଆଖପାଖ ଅଞ୍ଚଳ ଓ ଘରକୁ ଯାଇ ଏହି କର୍ମଚାରୀମାନେ ସାନିଟାଇଜ କରିଛନ୍ତି | ଏମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ କହିଛନ୍ତି ଯେ ସେ ହାଇ ରିସ୍କ ଅଞ୍ଚଳକୁ ଯାଉଛନ୍ତି | କିନ୍ତୁ ସେ ନିଜ ଦାୟିତ୍ୱ କରୁଛନ୍ତି | ପଛଘୁଞ୍ଚା ଦେଉନାହାନ୍ତି | ତେବେ ସେମାନଙ୍କ ଘର ମଧ୍ୟ ସାନିଟାଇଜ ହେଲେ ଭଲ ହୁଅନ୍ତା ବୋଲି କର୍ମଚାରୀମାନେ କହିଛନ୍ତି | ସେମାନଙ୍କୁ ମଧ୍ୟ ସାନିଟାଇଜେସନ କବଚ ମିଳିବ ଉଚିତ ବୋଲି ସେ କହିଛନ୍ତି |

ଜମାତିଙ୍କ ଯୋଗୁଁ ସଂକ୍ରମଣ ବଢିବା ପରେ ଏମାନଙ୍କ କାର୍ଯ୍ୟ ଦୁଇଗୁଣ ବଢିଯାଇଛି | ପ୍ରତିଦିନ ୪୦ ରୁ ୫୦ ଜାଗା ମୋପିଙ୍ଗ କରୁଛନ୍ତି | ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘର ଜିଲ୍ଳାଧ୍ୟକ୍ଷ ମହେନ୍ଦ୍ର ଯାଦବ କହିଛନ୍ତି ଯେ, କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ଦେଖିବା ଆବଶ୍ୟକ | ଏମାନଙ୍କ ଘର ମଧ୍ୟ ସାନିଟାଇଜ କରିବା ଉଚିତ |

ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମୁକେଶ ବତ୍ସ କହିଛନ୍ତି ଯେ, କର୍ମଚାରୀଙ୍କ ସୁରକ୍ଷା ପାଇଁ ତାଙ୍କୁ ମୋପିଙ୍ଗ କିଟ, ଗ୍ଳୋବ୍ସ, ବିଶେଷ ଜୋତା ଦିଆଯାଇଛି | ପ୍ରତିଦିନ ସେମାନଙ୍କ ସ୍କ୍ରିନିଙ୍ଗ ମଧ୍ୟ କରାଯାଉଛି | ସୁରକ୍ଷା କଣ କଣ ପଦକ୍ଷେପ ନାବାକୁ ହେବ ସେନେଇ ମଧ୍ୟ ଏମାନଙ୍କୁ ଶିକ୍ଷା ଦିଆଯାଉଛି | ଏମାନଙ୍କ ଘର ଏପର୍ଯ୍ୟନ୍ତ ସାନିଟାଇଜ କରାଯାଇନାହିଁ କିନ୍ତୁ ଆବଶ୍ୟକ ପଡିଲେ ନିଶ୍ଚୟ କରାଯିବ ବୋଲି ସେ କହିଛନ୍ତି |

ଏହି କର୍ମଚାରୀମାନେ ନିଜ କାମ ସାରିବା ପରେ ଘରକୁ ଯିବା ପୂର୍ବରୁ ଡ୍ରେସ ଖୋଲି ଅଲଗା ଡ୍ରମରେ ରଖନ୍ତି | ଏହାକୁ ସେମାନେ ନିଜେ ଗରମ ପାଣିରେ ଧୋଇ ସଫା କରନ୍ତି | ହାତ ଗୋଡରେ ସାନିଟାଇଜର ଲଗାନ୍ତି ଏବଂ ତାପରେ ଘରକୁ ପ୍ରବେଶ କରନ୍ତି | ପରିବାର ସଦସ୍ୟଙ୍କ ଠାରୁ ୧ ରୁ ୨ ମିଟର ଦୂରତା ଅବଲମ୍ବନ କରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.