ଗାଁକୁ ନାହିଁ ରାସ୍ତା, ୫ଶହ ମିଟର ପାଇଁ ଯିବାକୁ ପଡୁଛି ୫କିମି

Published By : Prameya-News7 Bureau | October 23, 2021 IST

ଭଦ୍ରକ ୨୩।୧୦ : ଗାଁକୁ ଯିବା ପାଇଁ ୫୦୦ ମିଟର । ହେଲେ ସେହି ରାସ୍ତା ଦେଇ ଯାଆନ୍ତି ନାହିଁ ଲୋକେ । ବରଂ ୫ କିମି ବୁଲି ବୁଲି ଯାଆନ୍ତି ଲୋକେ । ଜରୁରୀକାଳୀନ ସେବା ବି ଏଠାରେ ଅପହଞ୍ଚ ।  ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ହିଁ ରାସ୍ତା ନିର୍ମାଣର ମୁଖ୍ୟ ସମସ୍ୟା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳି ନଗୁଆଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ଖବର ଅନୁଯାୟୀ, ନଗୁଆଁ ପଞ୍ଚାୟତର ୯ନଂ ୱାର୍ଡ ମହାପୋଖରୀ ଶାସନକୁ ରାସ୍ତାଟିଏ ରହିଛି । ପୂର୍ତ୍ତ ବିଭାଗର ଏହି ରାସ୍ତାରେ ପ୍ରାୟ ୫୦୦ ମିଟର ଗଲେ ପଡିବ ମହାପୋଖରୀ ଶାସନ ଗାଁ । କେବଳ ଗୋଟିଏ ନୁହେଁ ପ୍ରାୟ ୪ରୁ ଅଧିକ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଏଠାରେ ଅନେକ ଆଦିବାସୀ ବସ୍ତି ରହିଛି । ବର୍ଷା ହେଲେ ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ ହୋଇପଡେ । ତେଣୁ ଗାଁଲୋକେ ସେହି ରାସ୍ତାରେ ନଯାଇ ୫କିମି ବୁଲି ବୁଲି ଯାଇଥାନ୍ତି ।  ବିପଦ ଆପଦରେ ଆମ୍ବୁଲାନ୍ସ ଟିଏ ଗାଁକୁ ଯାଇପାରେ ନାହିଁ । ରୋଗୀ ହୁଅନ୍ତୁ କି ଗର୍ଭବତୀ ତାଙ୍କୁ ବୋହି ବୋହି ଆଣିବାକୁ ପଡିଥାଏ ।  ଗାଁରେ ପ୍ରାୟ ୭୦ପରିବାର ବସବାସ କରୁଥିବା ବେଳେ ଭୋଟର ସଂଖ୍ୟା ୩୦୦ ବୋଲି ଜଣାପଡିଛି । କିନ୍ତୁ ଏହି ରାସ୍ତାର ଏହି ସ୍ଥିତି ପାଇଁ ଦୁରବସ୍ଥା କହିଲେ ନସରେ । ଲୋକେ ବାରମ୍ଭାର ଅଭିଯୋଗ କଲେବି କୌଣସି ସମସ୍ୟାର ସମାଧାନ ହେଉନି ।  

ସେପଟେ ରାସ୍ତା ନିର୍ମାଣ ନହେବାର ଅନେକ କାରଣ ରହିଛି । ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ପୁଳା ପୁଳା ଅଭିଯୋଗ ପତ୍ର ଦେଇଛନ୍ତି । କିନ୍ତୁ ଫଳ ଶୁନ୍‌ । ଜଳସେଚନ ବିଭାଗ ଅଧୀନରେ ଏହି ରାସ୍ତା ଯାଉଛି । ତେଣୁ ବ୍ଲକ କିମ୍ବା ପଞ୍ଚାୟତ ତରଫରୁ ରାସ୍ତା ତିଆରି କରିହେବ ନାହିଂ । ଜଳସେଚନ ବିଭାଗ ସହ ସରପଞ୍ଚ ଏହି ସମସ୍ୟା ସଂପର୍କରେ କଥା ହୋଇଛନ୍ତି । ଜଳସେଚନ ବିଭାଗର ଯନ୍ତ୍ରୀ ଓ ଅଧିକାରୀ ମାନେ ରାସ୍ତାର ସ୍ଥିତି ପରଖିଛନ୍ତି । ମାପଚୁପ ମଧ୍ୟ ହୋଇଛି । ଆଉ କିଛି ଦିନରେ ସ୍ଥିତି ସୁଧୁରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.