Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଆଷାଢରେ ବର୍ଷା ନାହିଁ, ଶୁଖିଲା ପଡିଛି ୨୦ ଜିଲ୍ଲା : ଲଘୁଚାପ ହିଁ ଭରସା

20/07/2021 at 7:34 AM

ଭୁବନେଶ୍ୱର, ୨୦|୦୭:  କ୍ଷେତ ଫାଟି ଆଁ କରିଛି । ହଜାର ହଜାର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ଯେଉଁଠି ଧାନ ତଳି ପଡ଼ିଥିଲା, ସେଗୁଡ଼ିକ ଶୁଖିଗଲାଣି । ଅଧିକାଂଶ ପାଣି ଅଭାବରୁ ପୋଡ଼ିଗଲାଣି । ରୁଆ, ବେଉଷଣ ପାଇଁ ଚାଷୀ ଆକାଶକୁ ଅନେଇଛି । ବର୍ଷା ଅପେକ୍ଷାରେ ଅନେକ ଏବେ ବି ତଳି ପକାଇ ପାରୁନାହାନ୍ତି । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ବର୍ଷା ଅଭାବରୁ ଚାଷ ଶୁଖିଗଲାଣି । ଗଜା ମରୁଡ଼ି ଆଶଙ୍କା ଘାରିଲାଣି ଚାଷୀଙ୍କୁ ।

ଆଗକୁ ଦୁଇଟି ଲଘୁଚାପ ଆସିବା ନେଇ ପୂର୍ବାନୁମାନ କରାଯାଉଛି । ତଥାପି ବର୍ଷା ଅଭାବରୁ ଚାଷରେ ଯେତିକି କ୍ଷତି ହେଲାଣି, ସମ୍ଭାବ୍ୟ ଲଘୁଚାପ ବର୍ଷାରେ ତାହା ଭରଣା ହେବା ସମ୍ଭାବନା କମ୍‌ । ବର୍ଷା ଅଭାବରୁ ଚାଷୀ ଚିନ୍ତାରେ ଥିବାବେଳେ ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଲେଣି । ସ୍ଥିତି ସମୀକ୍ଷା ପାଇଁ ମଙ୍ଗଳବାର କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ଜରୁରୀକାଳୀନ ବୈଠକ ଡାକିଛନ୍ତି । ବୈଠକରେ ବର୍ଷା ଅଭାବଜନିତ ଚାଷ ସମସ୍ୟା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା ହେବ ।

ସ୍ଥିତି ସାଂଘାତିକ । ଜୁନ୍‌ ପହିଲାରୁ ଏଯାବତ୍‌ ବର୍ଷାର ହିସାବରୁ ଜଣାପଡ଼ିଛି, ରାଜ୍ୟର ୨୦ ଜିଲ୍ଲାରେ ବର୍ଷା ସଙ୍କଟ ରହିଛି । ଭଦ୍ରକ ସ୍ଥିତି ସବୁଠୁ ସଙ୍ଗୀନ । ଯେତିକି ବର୍ଷା ହେବା କଥା, ତା’ଠାରୁ ୬୦% କମ୍‌ ବର୍ଷା ହୋଇଛି ଭଦ୍ରକରେ ।

ଯାଜପୁରରେ ୫୩%, କେନ୍ଦୁଝରରେ ୪୪%, ବଲାଙ୍ଗିରରେ ୪୪%, ଗଜପତିରେ ୪୧%, ଝାରସୁଗୁଡ଼ାରେ ୩୯%, ବୌଦ୍ଧରେ ୩୯%, ସମ୍ବଲପୁରରେ ୩୮%, ଦେବଗଡ଼ରେ ୩୮%, ରାୟଗଡ଼ାରେ ୩୬%, କଳାହାଣ୍ଡିରେ ୩୫%, ଅନୁଗୁଳରେ ୩୫% ବର୍ଷା ନିଅଣ୍ଟିଆ ରହିଛି । ଏହାବାଦ୍‌ ନବରଙ୍ଗପୁର, କନ୍ଧମାଳ, ସୋନପୁର, ବରଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱରରେ ସ୍ୱାଭାବିକଠାରୁ କମ୍‌ ରହିଛି ବର୍ଷା । ଖୋର୍ଦ୍ଧା ଜିଲ୍ଲାରେ ବି ବର୍ଷା ପରିମାଣ ସ୍ୱାଭାବିକଠାରୁ ୧୯% କମ୍‌ ଅଛି ।

ଗତ ୭ ଦିନର ବର୍ଷା ରେକର୍ଡ ଦେଖିଲେ, ଅବସ୍ଥା ଆହୁରି ସଙ୍ଗୀନ ହୋଇଥିବା ଜଳଜଳ ହୋଇ ଦିଶୁଛି । ଏଇ ସପ୍ତାହରେ କନ୍ଧମାଳକୁ ଛାଡ଼ି ଦେଲେ ସବୁ ଜିଲ୍ଲାରେ ବର୍ଷାର ଘୋର ଅଭାବ ରହିଛି । ଅଧା ଓଡ଼ିଶାରେ ଏଇ ସପ୍ତାହରେ ସ୍ୱାଭାବିକଠାରୁ ୬୦%ରୁ ୯୧% ପର୍ଯ୍ୟନ୍ତ କମ୍‌ ବର୍ଷା ହୋଇଛି । ଏହି ୭ ଦିନ ଭିତରେ ଯେତିକି ବର୍ଷା ହେବା କଥା, ଝାରସୁଗୁଡ଼ାରେ ତା’ଠାରୁ ୯୧% କମ୍‌ ବର୍ଷା ହୋଇଛି । ସ୍ୱାଭାବିକ ତୁଳନାରେ ସୋନପୁରରେ ୮୮%, ଦେବଗଡ଼ରେ ୮୩%, କଳାହାଣ୍ଡିରେ ୭୫%, ଯାଜପୁରରେ ୭୭%, ବଲାଙ୍ଗିରରେ ୭୪%, ନବରଙ୍ଗପୁରରେ ୭୧%, ବୌଦ୍ଧରେ ୭୩%, ଜଗତସିଂହପୁରରେ ୭୦%, ବରଗଡ଼ରେ ୭୩%, ଭଦ୍ରକରେ ୬୧%, ରାୟଗଡ଼ାରେ ୬୮%, ନୂଆପଡ଼ାରେ ୬୫%, ସମ୍ବଲପୁରରେ ୬୭% ଓ ବାଲେଶ୍ୱରରେ ୬୫% ବର୍ଷା ଅଭାବ ରହିଛି ।
ଏଥିରୁ ସ୍ଥିତି କିଭଳି ହୋଇଥିବ, ଅନୁମାନ କରାଯାଇପାରେ । ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼, କଳାହାଣ୍ଡି ଭଳି ଜିଲ୍ଲାରେ ଚାଷ ଜମି ଫାଟି ଆଁ କରିଛି । ଯେଉଁଠି ସର୍ବାଧିକ ଧାନ ଉତ୍ପାଦନ ହୁଏ, ସେ ଜିଲ୍ଲାରେ ବର୍ଷା ଅଭାବରୁ ଧାନ ତଳି ଶୁଖି ମରିବାକୁ ବସିଲାଣି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଏଥର ମୌସୁମୀ ଠିକ୍‌ ସମୟରେ ଆସିଥିଲା । ବର୍ଷା ଦେଖି ବହୁ ଚାଷୀ ଜୁନ୍‌ ୧୫/୧୬ ତାରିଖବେଳକୁ ଧାନ ତଳି ପକାଇଦେଲେ । ହେଲେ ତା’ପରଠୁ ବର୍ଷା ଗାଏବ୍‌ । ୨ ସପ୍ତାହରୁ ୩ ସପ୍ତାହ ଭିତରେ ତଳି ରୁଆ ହେବା କଥା । ବେଉଷଣ ବି ୩ ସପ୍ତାହରେ କରାଯାଏ । ହେଲେ ୪ ସପ୍ତାହ ବିତିଗଲାଣି, ତଳି ରୁଆ ଓ ବେଉଷଣ କାମ ଆଗେଇ ପାରୁନି । ଏମିତିରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ହେବା ପରେ ତଳି ରୁଆ ଓ ବେଉଷଣ ହେଲାବେଳକୁ ୫ ସପ୍ତାହ ହୋଇଯିବ । ତେଣୁ ଏଇ ବୁଢା ତଳି ରୁଆବେଳେ ଅଧିକ ବୁଦା (ଅଧିକ ସଂଖ୍ୟାରେ ଧାନ ତଳି) ଲଗାଇବାକୁ ହେବ । ଚାଷ ଆଗେଇବାକୁ ତଳି ଆବଶ୍ୟକତା

ବଢ଼ିପାରେ ।ଅଣ ଧାନ ଫସଲ ଅବସ୍ଥା ବି ସାଂଘାତିକ । ହରଡ଼, ମୁଗ, ବିରି, କପା ଫସଲ ଏଥର ବର୍ଷା ଅଭାବରୁ ଆଗେଇପାରିନି । ବର୍ଷାକୁ ଅପେକ୍ଷା କରି କରି କପା ଫସଲ ସମୟ ପଳାଇଲା । ଏଥିରେ ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିରର ହଜାର ହଜାର କପା ଚାଷୀ ପ୍ରଭାବିତ ହେବେ । ହରଡ଼ ଚାଷ ଉପରେ ନିର୍ଭରଶୀଳ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଚାଷୀ ବି ଆକାଶକୁ ଅନେଇଛନ୍ତି । ଯଦି ଆଗାମୀ ବର୍ଷାରେ ହରଡ଼ ଚାଷ ଆଗେଇବେ, ତେବେ ସ୍ୱଳ୍ପ ଅବଧି ଚାଷ କରିବାକୁ ହେବ ।

ଡକ୍ଟର ପଶୁପାଳକଙ୍କ ଆକଳନ ହେଲା, ଆସନ୍ତା ସପ୍ତାହକ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏଥିରେ କୃଷି କାମ ଆଗେଇବା ସମ୍ଭାବନା ଅଛି ।ପ୍ରଥମ ଲଘୁଚାପଟି ଆସନ୍ତା ୨୧ରେ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହା ଅବପାତ ରୂପ ନେଇପାରେ । ୨୩ରେ ସମ୍ଭବତଃ ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗକୁ ଯିବ। ଏହା ପ୍ରଭାବରେ ୨୦ରେ ଭଦ୍ରକ, ଯାଜପୁର, ବାଲେଶ୍ୱରରେ ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ବର୍ଷା କରାଇବ । ୨୧ରେ ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ସମଗ୍ର ଉପକୂଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ୨୨ରେ ସାରା ରାଜ୍ୟରେ ବର୍ଷା ହେବ । ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଦକ୍ଷିଣର ଅନେକ ଜାଗାରେ ଭାରି ଓ ଗୋଟିଏ ଗୋଟିଏ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । ଖୋର୍ଦ୍ଧା, ପୁରୀ, କଟକରେ ପ୍ରବଳ ବର୍ଷା ହୋଇପାରେ । ବାକି ଉପକୂଳ ଅଞ୍ଚଳରେ ମଧ୍ୟମ ବର୍ଷା ହେବ । ୨୩ରେ ସମସ୍ତ ଉପକୂଳ ଓ ସୀମାନ୍ତ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମରୁ ଭାରି ବର୍ଷା ସମ୍ଭାବନା ଅଛି । ଏହି ଲଘୁଚାପରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ହୋଇପାରେ । ପରବର୍ତ୍ତୀ ଲଘୁଚାପଟି ୨୬ ତାରିଖବେଳକୁ ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ସୃଷ୍ଟି ହେବା ସମ୍ଭାବନା ଅଛି । ଏଥିରେ ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ ଭଲ ବର୍ଷା ହୋଇପାରେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮% କମ୍‌ ବର୍ଷା ହୋଇଛି । ଡକ୍ଟର ପଶୁପାଳକଙ୍କ ଆକଳନ ଅନୁଯାୟୀ ଯଦିଓ ସମ୍ଭାବ୍ୟ ଦୁଇଟି ଲଘୁଚାପ ଯୋଗୁ ବର୍ଷା ବଢ଼ିବ, ତଥାପି ଜୁଲାଇରେ ମୋଟ ବର୍ଷା ପରିମାଣ ନିଅଣ୍ଟିଆ ରହିପାରେ । ଦୁଇଟି ଲଘୁଚାପ ବର୍ଷାରେ ଚାଷ କାମ ଆଗେଇବ ସତ, ହେଲେ ସ୍ଥିତି ପୂରା ସୁଧୁରିବା ସମ୍ଭାବନା କମ୍‌ । ବର୍ତ୍ତମାନ ସୁଦ୍ଧା ଚାଷ କାର୍ଯ୍ୟ ଯେତିକି କ୍ଷତିଗ୍ରସ୍ତ ହେଲାଣି, ଏଥର ଫସଲ ଉତ୍ପାଦନ ୧୦% କମିପାରେ । ବର୍ତ୍ତମାନ ବର୍ଷା ପରେ ଯେଉଁ ଚାଷୀ ଚାଷ କାମ ଆଗେଇବେ, ସେମାନଙ୍କୁ ମଧ୍ୟମ ଅବଧି ଓ ସ୍ୱଳ୍ପ ଅବଧି ଫସଲ କରିବାକୁ ପଡ଼ିବ । କାରଣ ଆଗରୁ ଯେଉଁମାନେ ତଳି ପକାଇଥିଲେ, ତାହା ଦୀର୍ଘ ଅବଧି (୧୫୦ ଦିନିଆରୁ ଅଧିକ) ଥିଲା । ତାହା ବର୍ଷା ଅଭାବରୁ କ୍ଷତିଗ୍ରସ୍ତ ହେଲା । ଏବେ ହାତରେ ସମୟ କମ । ତେଣୁ ମଧ୍ୟମ ଓ ସ୍ୱଳ୍ପ ଅବଧି ଫସଲ ସହ ଆବଶ୍ୟକତା ଅନୁଯାୟୀ ସାର ପ୍ରୟୋଗ ନ କଲେ, ଅମଳ ଆହୁରି ପ୍ରଭାବିତ ହୋଇପାରେ ।

କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି, ଆଗକୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଶା ଭଲ ବର୍ଷା ହେଲେ ସ୍ଥିତି ସୁଧୁରିବ । ବର୍ତ୍ତମାନର କୃଷି ସ୍ଥିତି ନେଇ ମଙ୍ଗଳବାର ଏକ ସମୀକ୍ଷା ବୈଠକ ଡକାଯାଯାଇଛି ବୋଲି ସେ କହିଛନ୍ତି ।

   Related Posts