ଆସନ୍ତା ବର୍ଷ NEET ବାତିଲ ହେବାର ପ୍ରଶ୍ନ ଉଠୁନି, ଦୁଇ ଥର ହୋଇପାରେ JEE

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ ୧୦।୧୨: ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି । ଗୁରୁବାର ଦିନ ଛାତ୍ରମାନଙ୍କ ସହ ଲାଇଭ୍ କଥାବାର୍ତ୍ତା ବେଳେ ଶିକ୍ଷା ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି । ଯଦି କରୋନା ମହାମାରୀ ସ୍ଥିତିରେ ସୁଧାର ନଆସେ ତେବେ ଛାତ୍ରମାନଙ୍କୁ ଅଧିକ ସମୟ ଦିଆଯିବ ।

ସିବିଏସଇ ଦଶମ ଓ ଦ୍ବାଦଶ ପାଠ୍ୟକ୍ରମ ହ୍ରାସ ପ୍ରଶ୍ନର ଉତ୍ତରରେ ପୋଖରିଆଲଙ୍କ କହିଛନ୍ତି ଯେ, ବୋର୍ଡ ପୂର୍ବରୁ ହିଁ ୩୦ ପ୍ରତିଶତ ପାଠ୍ୟକ୍ରମ କମାଇଛି । ଯଦିଓ ସେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପାଠ୍ୟକ୍ରମ ହ୍ରାସ କରିବାର ସମ୍ଭାବନାକୁ ଖାରଜ କରିନାହାନ୍ତି । ମନ୍ତ୍ରୀ କହିଥିଲେ ଯେ, ମହାମାରୀ ସ୍ଥିତି ଆଧାରରେ ପାଠ୍ୟକ୍ରମ ନିର୍ଦ୍ଧାରଣ କରାଯିବ ।

ପୋଖରିଆଲ ଆହୁରି କହିଛନ୍ତି ଯେ, ଯଦି ଛାତ୍ରମାନେ ଲ୍ୟାବ୍ ସମ୍ବନ୍ଧୀୟ କାମ ପାଇଁ ସ୍କୁଲକୁ ଯାଇପାରନ୍ତିନାହିଁ ଏଥିପାଇଁ ଏକ ଭିନ୍ନ ନିଷ୍ପତ୍ତି ନିଆଯିବ । ଜେଇଇ ଏବଂ ନିଟ୍ ପରୀକ୍ଷା ବାତିଲ ହେବ ନାହିଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୨୦ରେ ଜେଇଇ ଅନଲାଇନ୍ ରେ ହୋଇଥିବା ଏବଂ ନିଟ୍ ଅଫଲାଇନ୍ ରେ ହୋଇଥିଲା । ଏବେ ଅନଲାଇନ୍ ରେ କରିବାକୁ ଆଲୋଚନା ଚାଲିଛି । ଦୁଇ ଥର ଜେଇଇ ହୋଇପାରେ ।

ସିବିଏସଇ ପରୀକ୍ଷାକୁ ନେଇ ହେଉଥିବା ବିଳମ୍ବକୁ ନେଇ ଛାତ୍ରମାନେ ଜାଣିବାକୁ ଚାହୁଁଛନ୍ତି ଯେ, ପରୀକ୍ଷା କେବେ ହେବ ଅର୍ଥାତ୍ ଅଫଲାଇନ୍ ହେବ କି ଅନଲାଇନ୍ । ପୂର୍ବରୁ ବୋର୍ଡ ଅଧିକାରୀ ଏହା ସ୍ପଷ୍ଟ କରିଦେଇଥିଲେ ଯେ, ସିବିଏସଇ ୨୦୨୧ ବୋର୍ଡ ପରୀକ୍ଷା ଅନଲାଇନ୍ ରେ ହେବନାହିଁ । ବୋର୍ଜ ପରୀକ୍ଷା ନେଇ ପ୍ରସ୍ତୁତି ଜାରି ରଖିଛି । କରୋନାକୁ ଧ୍ୟାନରେ ରଖି ବୋର୍ଡ ପରୀକ୍ଷା ଆୟୋଜନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.