ମଦ ଡିପୋ ଫୁଲ୍ : ଲକ୍ ନଖୋଲି ଅଟକି ରହିଛନ୍ତି ଅନେକ ମଦ ବୋଝେଇ ଟ୍ରକ‌

Published By : Prameya-News7 Bureau | May 11, 2020 IST

କଟକ ୧୧।୦୫ : ଲକ୍‌ଡାଉନ୍‌ରେ ମଦ ଦୋକାନ ବନ୍ଦ ରହିଛି । ଫଳରେ ରାଜ୍ୟ ପାନୀୟ ନିଗମ ଡିପୋଗୁଡ଼ିକର ସ୍ଥିତି ଜଟିଳ ହୋଇପଡିଛି । ଶହଶହ ସଂଖ୍ୟାରେ ମଦ ବୋଝେଇ ଟ୍ରକ୍‌ ରାଜ୍ୟର ବିଭିନ୍ନ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଡିପୋ ଆଗରେ ଠିଆ ହୋଇଛି । ଗତ ମାର୍ଚ୍ଚ ମାସରୁ ମଦ ବୋଝେଇ ଟ୍ରକ୍‌ଗୁଡ଼ିକୁ ଠିଆ ହୋଇରହିଛି । ଉକ୍ତ ଗାଡ଼ିଗୁଡ଼ିକ କେବେ ଅନଲୋଡ୍‌ ହୋଇ ଡିପୋ ଭିତରେ ଗଚ୍ଛିତ ହେବ ସେ କଥା ମଧ୍ୟ କାହାରି ପାଖରେ ସ୍ପଷ୍ଟ ସୂଚନା ନାହିଁ । ଟ୍ରକ୍‌ ମଧ୍ୟରୁ ମଦ ବୋଝେଇ ପେଟି ଅନଲୋଡିଂ କରାଯାଇ ପାରୁନଥିବାରୁ ଡ୍ରାଇଭର ଏବଂ ହେଲପର ଆଦି କର୍ମଚାରୀମାନେ ଦୀର୍ଘ ୨ ମାସ ହେଲା ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

{"id":268102,"width":578,"height":406,"sizeSlug":"large"}

ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମଦ ମହଜୁଦ ରହୁଥିବା ରାଜ୍ୟ ପାନୀୟ ନିଗମର ନିର୍ଗୁଣ୍ଡି ଡିପୋରେ ଏବେ ଅଭାବନୀୟ ପରିସ୍ଥିତି ଲାଗି ରହିଛି । ପାଖାପାଖି ଶହେଟି ମଦ ବୋଝେଇ ଟ୍ରକ୍‌ ଡିପୋ ପରିସରରେ ୨ ମାସ ହେଲା ଠିଆ ହୋଇରହିଛି ।

{"id":268103,"width":567,"height":252,"sizeSlug":"large"}

ଲକ୍‌ଡାଉନ୍‌ ପୂର୍ବରୁ ପ୍ରାୟ ୨୦/୩୦ଟି ମଦ ବୋଝେଇ ଟ୍ରକ୍‌ ଅନଲୋଡ କରାଯାଇଥିଲା ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଲକ୍‌ ଡାଉନ୍‌ ଘୋଷଣା ହେବା ପରେ ମଦ ଦୋକାନଗୁଡ଼ିକ ବନ୍ଦ ହୋଇଯିବା ପରେ ଡିପୋରୁ ମଦ ବିକ୍ରି ହୋଇପାରିନଥିଲା । ବିନିଯୋଗ ହୋଇନପାରିବାରୁ ଡିପୋରେ ଏବେ ବିପୁଳ ପରିମାଣର ମଦ ମହଜୁଦ ରହିଛି । ମଦ ରଖିବା ପାଇଁ ଜାଗା ନଥିବାରୁ ଅବଶିଷ୍ଟ ମଦ ବୋଝେଇ ଟ୍ରକ୍‌ରୁ ଅନଲୋଡ୍‌ କରିବା ପାଇଁ ସୁଯୋଗ ନାହିଁ । ଏମିତି ଏବେ ପଞ୍ଜାବ, ଝାଡ଼ଖଣ୍ଡ,ବିହାର, କର୍ଣ୍ଣାଟକ ଆଦି ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ଶହେ ଟ୍ରକ୍‌ ମଦ ବୋଝେଇ ଗାଡ଼ି ନିର୍ଗୁଣ୍ଡି ଡିପୋରେ ୨ ମାସ ହେଲା ଠିଆ ହୋଇରହିଥିବା ସୂଚନା ମିଳିଛି । ମଦ ଅନଲୋଡ୍‌ ହୋଇନପାରିବା ଦ୍ୱାରା ଏଥିରେ ଡ୍ରାଇଭର ଓ ହେଲପର ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । କର୍ଣ୍ଣାଟକ ରାଜ୍ୟରୁ ମଦ ବୋଝେଇ ଟ୍ରକ୍‌ ଆଣି ଆସିଥିବା ବିଜୟ ରାଏ ଅଭିଯୋଗ କରିଛନ୍ତି, ୫୦ ଦିନରୁ ଅଧିକ ହେବ ଗାଡ଼ି ଆଣି ନିର୍ଗୁଣ୍ଡିରେ ପଡି ରହିଛୁ । ଖାଇବା ପିଇବା ଭଲ କି ଗଣ୍ଡେ ପାଉନାହୁଁ । ମୋ ଭଳି ଡ୍ରାଇଭର ଏବଂ ହେଲପର ମିଶି ପ୍ରାୟ ଦେଢ଼ ଶହରୁ ୨ଶହ କର୍ମଚାରୀ ମଦ ଗାଡ଼ି ଧରି ନିର୍ଗୁଣ୍ଡି ଡିପୋରେ ଫସି ରହୁଛି । ଦିନ ବେଳା ଅସହ୍ୟ ଖରାରେ ବହୁତ କଷ୍ଟ ପାଉଛୁ । ରାତିରେ ମଶା ବଣରେ ପଡୁଛୁ । ରାତିରେ ଚୋରଙ୍କ ଭୟ ଚିନ୍ତା ବଢ଼ାଇଛି । ଗାଡ଼ିରେ ମଦ ଥିବା ଜାଣି ରାତିରେ ଅସମାଜିକ ବ୍ୟକ୍ତିମାନେ ଆମକୁ ଧମକ ଚମକ ଦେବା ସହ ମଦ ମାଗୁଛନ୍ତି ।

ସେହିପରି ବର୍ଷା ହେଲେ ଯାହା ହୀନସ୍ତା ହେଉଛୁ ସେ କଥା ଆମେ ଜାଣୁଛୁ । ଆଖପାଖରେ ହୋଟେଲ୍‌ କିମ୍ବା ଜଳଖିଆ ଦୋକାନ ଖୋଲା ନଥିବାରୁ ଖାଇବା ପାଇଁ ଅସୁବିଧାରେ ପଡିଛି । ପାଖରେ ଯାହା ଟଙ୍କା ପଇସା ଥିଲା, ସେସବୁ ଖର୍ଚ୍ଚ ହୋଇଗଲାଣି । କେତେଦିନ ଆଉ ଆମେ ଏଠାରେ ଭୋକ ଉପାସରେ ଖୋଲା ଆକାଶ ତଳେ ପଡ଼ିବୁ ବୋଲି ଡ୍ରାଇଭର ବିୟ ରାଏଙ୍କ ଅନେକ ଡ୍ରାଇଭର ଓ ହେଲପର ପ୍ରଶ୍ନ କରିଛନ୍ତି । ମଦ ଅନଲୋଡ କରିବା ଦିଗରେ ଯଦି ସରକାର ବ୍ୟବସ୍ଥା ନକରୁଛନ୍ତି, ତେବେ ଆମକୁ ଫେରାଇ ଦିଅନ୍ତୁ ବୋଲି ବାହାର ରାଜ୍ୟରୁ ମଦ ଆଣି ଆସିଥିବା ଡ୍ରାଇଭରମାନେ କହିଛନ୍ତି । ନିର୍ଗୁଣ୍ଡି ଡିପୋ ପରି ଚଣ୍ଡିଖୋଲ, ବ୍ରହ୍ମପୁର ଓ ଖୋର୍ଦ୍ଧା ଆଦି ବିଭିନ୍ନ ସ୍ଥାନରେ ଥିବା ପାନୀୟ ନିଗମ ଡିପୋରେ ଏବେ ମଦ ଅନଲୋଡିଂ ହୋଇପାରୁନଥିବାରୁ ଶହଶହ ସଂଖ୍ୟାର ମଦ ବୋଝେଇ ଟ୍ରକ୍‌ ୨ ମାସ ହେଲା ଠିଆ ହୋଇ ରହିଥିବାର ବିଭାଗୀୟ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.