କରୋନା ଭୟରେ ମୃତଦେହକୁ ମିଳିଲାନି ୪ କାନ୍ଧ, ପିପିଇ କିଟ୍ ପିନ୍ଧି ଶ୍ମଶାନ ନେଲେ ସରପଞ୍ଚ

Published By : Prameya-News7 Bureau | July 12, 2020 IST

ପାତ୍ରପୁର, ୧୨|୦୭: : କରୋନା ଭୟ ଆଗରେ ହଜିଗଲା ମାନବିକତା । ମୃତଦେହ ପଡ଼ିରହିଲା ପ୍ରାୟ ୭ ଘଣ୍ଟା। ମରଶରୀର ପାଖ ମାଡ଼ିଲେନି କେହି । ମୃତକଙ୍କୁ ଶ୍ମଶାନ ନେବା ପାଇଁ ମିଳିଲାନି ଚାରିକାନ୍ଧ। ପାଖରେ ସ୍ତ୍ରୀ, ଦୁଇ ଝିଅ ଓ ପୁଅ କାନ୍ଦୁଥିଲେ। ଘରେ ପଡ଼ି ରହିଥିଲା ଶବ। ପୁଅ ନାବାଳକ। ଏକୁଟିଆ ବସି ଲୁହ ଝରାଇ ଛଡ଼ା ତା’ ପାଖରେ ଆଉ କିଛି ବିକଳ୍ପ ନଥଲା। ଶେଷରେ ସରପଞ୍ଚ ବୋହିଲେ । ମୃତକଙ୍କ ପୁଅ ଓ ଶାଳକଙ୍କ ସହାୟତାରେ ସରପଞ୍ଚ ଶବକୁ କାନ୍ଧ ଦେଇ ଶ୍ମଶାନ ନେଲେ । ଏହିଭଳି ଏକ କରୁଣ ଘଟଣା ଦେଖିବାକୁ ମିଳିଛି ପାତ୍ରପୁର ବ୍ଲକ ମନ୍ଦରଡ଼ା ପଞ୍ଚାୟତର ହୁକୁମା ଗାଁରେ।

ଗ୍ରାମର ଦିଲ୍ଲୀପ ରଣା(୫୦)ଙ୍କ ଶୁକ୍ରବାର ମଧ୍ୟରାତ୍ରରେ ମୃତ୍ୟୁ ହୋଇଥିଲା । ପୂର୍ବରୁ ଦିଲ୍ଲୀପ ଜ୍ୱରରେ ପୀଡ଼ିତ ଥିଲେ । ତାଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଏବେ ପଜିଟିଭ ରିପୋର୍ଟ ଆସିଛି । ତାଙ୍କ ସହ ପୁଅ ଓ ପତ୍ନୀ ମଧ୍ୟ ଆକ୍ରାନ୍ତ ହୋଇଥିବା ମନ୍ଦରଡ଼ା ଏଏନ୍‌ଏମ୍‌ ଟୁନି ଦଳାଇ ସୂଚନା ଦେଇଛନ୍ତି । ଶୁକ୍ରବାର ରାତି ଗୋଟାଏ ବେଳେ ଦିଲ୍ଲୀପ ଗୁରୁତର ହୋଇ ପଡ଼ିଥିଲେ । ପରିବାର ଲୋକ ସରପଞ୍ଚ ବସନ୍ତ କୁମାର ପ୍ରଧାନକୁ ଜଣାଇବା ପରେ ସରପଞ୍ଚ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ । ତାଙ୍କର ମୃତ୍ୟୁ ହୋଇ ଯାଇଥିଲେ ବି ଶରୀର ଉଷୁମ ଥିବାରୁ ସେ ଜୀବିତ ଥିବା ଭାବି ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ମହିଳା ସ୍ୱାସ୍ଥ୍ୟ କର୍ମୀ ପହଞ୍ଚି ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା କହିବା ପରେ ଆମ୍ବୁଲାନ୍ସ ଫେରି ଯାଇଥିଲା। ଶବ ସତ୍କାର କରିବାକୁ ଗାଁ ଲୋକ କେହି ଆସିଲେନି। ମୃତକଙ୍କ ନାବାଳକ ପୁଅ ଓ ଶାଳକଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ନଥିଲେ । ସରପଞ୍ଚ ପିପିଇ କିଟ ପିନ୍ଧି ଶବ କାନେ୍ଧଇବାକୁ ଆଗେଇ ଆସିଲେ। ଆଉ ତିନି ଜଣ ବିପିନ ସାହୁ, ରିପନ ପ୍ରଧାନ ଓ ଇଶ୍ୱର ସାହୁଙ୍କ ସହାୟତାରେ ଶ୍ମଶାନ ଯାଏଁ ବୋହି ନେବା ପରେ ଶବ ସତ୍କାର ହୋଇଥିଲା । ମୃତ ଦିଲ୍ଲୀପଙ୍କ ଘର ଦିଗପହଣ୍ଡି ବ୍ଲକ ବାଲିଜୁଡି ଗାଁ । ସେ ପ୍ରାୟ ୧୨ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ପାତ୍ରପୁର ବ୍ଲକର ହୁକୁମା ଗ୍ରାମରେ ରହି ଜଣେ କ୍ୱାକ୍‌ ଭାବେ ରାଗୀ ଚିକିତ୍ସା କରୁଥିଲେ । ହୁକୁମା ଗ୍ରାମରେ ଗତ ୧୦ ଦିନ ମଧ୍ୟରେ ୨୬ ଜଣଙ୍କ କରୋନା ପଜିଟିଭ ବାହାରିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି । ପୂର୍ବରୁ ଚିକିଟି ବ୍ଲକରେ ନୂଆପଡ଼ାରେ ଶବ ଉଠାଇବା ପାଇଁ କେହି ନଆସିବାରୁ ଆର୍ଯ୍ୟ ସମାଜର କର୍ମକର୍ତ୍ତା ଶବ ସତ୍କାର କରିଥିଲେ । ସେହିପରି ପାତ୍ରପୁର ବ୍ଲକରେ କରୋନା ଡର ସତ୍ତେ୍ୱ ମନ୍ଦରଡ଼ାର ଯୁବ ସରପଞ୍ଚ ମୃତକଙ୍କ ଶବକୁ କାନେ୍ଧଇ ନେବା ଘଟଣା ସବୁ ମହଲରେ ପ୍ରଶଂସିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.