ଅନ୍ୟ ଜାତିରେ ବାହା ହେଲେ ବୋଲି ସମାଜରୁ ହେଲେ ବାସନ୍ଦ ; ମରିଗଲା ପରେ ବି ଶବ ନେବାକୁ ଆସିଲେ ନାହିଁ କେହି

Published By : Prameya-News7 Bureau | November 13, 2018 IST

ଦେବଗଡ ୧୩|୧୧:  ଅନ୍ୟ ଜାତିରେ ବାହା ହେଲେ ବୋଲି ସମାଜରୁ ବାସନ୍ଦ ହେଲେ । ଜାତି ଭାଇ କୌଣସି ସାମାଜିକ କାମକୁ ଡାକିଲେ ନାହିଁ । ଘରେ ରହିବାକୁ ଅନୁମତି ମିଳିଲା ନାହିଁ । ଶେଷରେ ରୋଗାକ୍ରାନ୍ତ ହୋଇ ମରିଗଲା ପରେ ବି ଶବ ନେବାକୁ କେହି ଆସିଲେ ନାହିଁ । ତେବେ ପୋଲିସ ହସ୍ତକ୍ଷେପ ପରେ ଘଟଣାରେ ସମାଧାନ ଘଟିଥିଲା । ଏମିତି ଘଟଣା ଦେଖିବାକୁ ମିଳିଥିଲା ଦେବଗଡରେ ଦେବଗଡ ମୁଖ୍ୟ ଚିକିତ୍ସାଳୟ ପୁରୁଷ ଭେଷଜ ୱାର୍ଡ ବାରଣ୍ଡାରେ ପଡିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ମୃତକ ହେଲେ ତିଲେଇବଣି ପ୍ରଭାଶୁଣି ଗାଁର ପ୍ରମୋଦ କୁମୁରା । ରବିବାର ରାତିରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ତାଙ୍କ ମୃତଦେହ ନେବାକୁ କେହି ସଂପର୍କୀୟ କି ଜାତି ଭାଇ ଆସିଲେ ନାହିଁ । କାରଣ ପ୍ରମୋଦ ବାହା ହୋଇଥିଲେ ଅନ୍ୟ ଜାତିରେ । ଏଥିପାଇଁ ତାଙ୍କୁ ଘରଲୋକେ ଓ ଜାତିଭାଇ ବାସନ୍ଦ କରିଥିଲେ । ଦୁଇଟି ଛୁଆଙ୍କୁ ଧରି ପ୍ରମୋଦଙ୍କ ସ୍ତ୍ରୀ ଅନ୍ୟତ୍ର ରହୁଥିବା ବେଳେ ପ୍ରମୋଦ ବାହାରେ ରହୁଛନ୍ତି । କିଛି ଦିନ ହେବ ପ୍ରମୋଦ ଟି.ବି. ରୋଗରେ ଆକ୍ରାନ୍ତ ହୋଇଥିଲେ । ଗାଁର ଜଣେ ବ୍ୟକ୍ତି ତାଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ହସ୍ପିଟାଲ କର୍ମଚାରୀ ତାଙ୍କର ଦେଖାଶୁଣା କରୁଥିଲେ । ରବିବାର ରାତିରେ ପ୍ରମୋଦଙ୍କର ମୃତ୍ୟୁ ହୋଇଥିଲା । ବାସନ୍ଦ ଭୟ ଯୋଗୁଁ ତାଙ୍କ ବଡ ଭାଇ ମଧ୍ୟ ଶବ ନେଇ ସତ୍କାର କରିବାକୁ ଅମଙ୍ଗ ହୋଇଥିଲେ । ପ୍ରମୋଦଙ୍କ ମୃତଦେହ ନେବାକୁ କେହି ନଆସିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ଆଲୋଚନା ପରେ ମୃତଦେହ ନେଇଥିଲେ ବଡଭାଇ । ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବେଶ୍ ନାକେଦମ୍ ହେବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.