ଅକ୍ସିଜେନ ଅଭାବରେ ଦେଶରେ କାହାରି ମୃତ୍ୟୁ ଘଟିନି, ସଂସଦରେ ଲିଖିତ ଉତ୍ତର ଦେଲେ କେନ୍ଦ୍ର ସରକାର

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦।୦୭: ଏବେ ବି କରୋନା ବିପଦ ଟଳିନି। ହେଲେ ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଯେ, କୋଭିଡ୍-୧୯ର ଦ୍ଵିତୀୟ ଲହରରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ଘଟିନି। କିନ୍ତୁ ସରକାର ଏହା ସ୍ଵୀକାର କରିଛନ୍ତି ଯେ, ଦ୍ଵିତୀୟ ଲହରରେ ଅକ୍ସିଜେନର ଚାହିଦା ଅହେତୁକ ବଢି ଯାଇଥିଲା।

ସଂସଦରେ କଂଗ୍ରେସ ନେତା କେସି ବେଣୁଗୋପାଳ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ ବାସ୍ତବରେ ଅକ୍ସିଜେନ ଅଭାବରୁ ହସ୍ପିଟାଲରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି ? ଏହାର ଲିଖିତ ଉତ୍ତର ଦେଇ କେନ୍ଦ୍ର ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ କହିଛନ୍ତି, ସ୍ଵାସ୍ଥ୍ୟ ରାଜ୍ୟର ବିଷୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କରୋନା ସମୟରେ ହୋଇଥିବା ମୃତ୍ୟୁ ବିଷୟରେ ସୂଚିତ କରାଇବାକୁ ଗାଇଡ୍‌ଲାଇନ୍‌ ଦିଆଯାଇଥିଲା। କୌଣସି ବି ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳର ରିପୋର୍ଟରେ କୁହାଯାଇ ନାହିଁ ଯେ, ଅକ୍ସିଜେନରେ କାହାରି ମୃତ୍ୟୁ ଘଟିଛି।

ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ମହାମାରୀର ପ୍ରଥମ ଲହରରେ ଅକ୍ସିଜେନର ଚାହିଦା ୩୦୯୫ ମେଟ୍ରିକ ଟନ ଥିଲା। କିନ୍ତୁ ଦ୍ଵିତୀୟ ଲହରରେ ଏହା ବୃଦ୍ଧି ଘଟି ପ୍ରାୟ ୯୦୦୦ ମେଟ୍ରିକ ଟନରେ ପହଞ୍ଚିଥିଲା। ହେଲେ କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ରିପୋର୍ଟରେ ଏହା ଉଲ୍ଲେଖ କରି ନାହାନ୍ତି ଯେ, କରୋନାର ଦ୍ଵିତୀୟ ତରଙ୍ଗରେ ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ଘଟିଛି। କରୋନାଜନିତ ମୃତ୍ୟୁର ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗାଇଡଲାଇନ୍‌ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.