‘କୋଭିଡ୍ ୧୯ ଆପେଆପେ ଚାଲିଯିବ, ଦରକାର ପଡିବନି ଭାକସିନ୍’- ଏମିତି ଭାବୁଛନ୍ତି ଅକ୍ସଫୋର୍ଡ ଗବେଷକ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ, ୦୫|୦୭: ଗତ ୭ ମାସ ଧରି ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହି ମାରାତ୍ମକ ଭାଇରସ ଏବେସୁଦ୍ଧା ୧ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୫ ଲକ୍ଷରୁ ଅଧିକ ପ୍ରାଣ ହାରିଲେଣି । ଏଯାଏଁ ଏହି ଭାଇରସର ଭାକସିନ୍ ବାହାରି ନାହିଁ । ତେବେ ବୈଜ୍ଞାନିକମାନେ ଭାକସିନ୍ ସନ୍ଧାନରେ ଲାଗି ରହିଛନ୍ତି ।

ନିକଟରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ମିଳିତ ଭାବେ ଭାକସିନର ହ୍ୟୁମାନ ଟ୍ରାଏଲ କରିଥିଲେ । ଏଥିରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏପରିକି କେତେକଙ୍କଠାରେ ଏହା କାମ ଦେଇନଥିବା ମଧ୍ୟ କୁହାଯାଉଛି । ଏହା ମଧ୍ୟରେ ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ସୁନେତ୍ର ଗୁପ୍ତା କହିଛନ୍ତି ଯେ, ଭାକସିନକୁ ନେଇ ଅନେକ ରିସର୍ଚ୍ଚ କରାଯାଉଛି । ସୁସ୍ଥ ଓ ସବଳ ଲୋକମାନେ ଏହି ଭାଇରସକୁ ନେଇ ଭୟଭୀତ ହେବା ଅନୁଚିତ୍ । ସୁସ୍ଥ ଲୋକମାନେ ଭାିରସକୁ ଶୀଘ୍ର ମାତ୍ ଦେଉଛନ୍ତି । ଆରୋଗ୍ୟ ଲାଭ ମଧ୍ୟ କରୁଛନ୍ତି ।  ଏହା କେବଳ ଅନ୍ୟ ଫ୍ଲୁ ଭଳି । ଏନଫ୍ଲୁଏନଜା ଏହାଠୁ ଅଧିକ ମାରାତ୍ମକ ଥିଲା । ତେବେ କରୋନା ଭାଇରସ ଆପେଆପେ ନଷ୍ଟ ହୋଇଯିବ ଓ ଏଥିପାଇଁ କୌଣସି ଭାକସିନ୍‌ର ଆବଶ୍ୟକତା ନାହିଁ ।

ସେ ଆହୁରି କହିଛନ୍ତି ଯେ, କରୋନା ଭାକସିନ୍ ବାହାର କରିବା ଏନଫ୍ଲୁଏନଜାଠୁ ସହଜ । ଚଳିତ ବର୍ଷ ଶେଷ ସୁଦ୍ଧା ଭାକସିନ୍ ବାହାରିବା ନେଇ ଆଶା କରାଯାଉଛି । ତେବେ କେବଳ ଭାକସିନ୍ ନୁହେଁ ଭାଇରସ୍ ମୁକାବିଲା ପାଇଁ ଅନ୍ୟ ବିଷୟ ବସ୍ତୁ ଉପରେ ନଜର ଦେବା ଜରୁରୀ । ତେବେ ଲକଡାଉନ୍ ପାଇଁ ଏହି ଭାଇରସର ସଂକ୍ରମଣ ଅନେକାଂଶରେ କମ୍ ହୋଇଛି । ତେବେ ଏହା ଭାଇରସର ମୁକାବିଲା ପାଇଁ ଏକ ସ୍ଥିର ସମାଧାନ ନୁହେଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.