ବର ଯାତ୍ରୀଙ୍କ ପାଇଁ ହୋଇନଥିଲା ମଟନ, ବର କହିଲା- ବାହା ହେବିନି, ମଙ୍ଗୁଳା ଝିଅକୁ ଛାଡି ଅନ୍ୟ ଜଣଙ୍କ ହାତ ଧରି ଚାଲିଗଲା

Published By : Prameya-News7 Bureau | June 25, 2021 IST

କେନ୍ଦୁଝର ୨୫।୦୬: କେଉଁଠି ଯୌତୁକ ପାଇଁ ବର ବେଦୀ ଉପରୁ ଉଠି ଆସୁଛି ତ ଆଉ କେଉଁଠି କନ୍ୟା ଅସୁନ୍ଦର ଥିବା ଦେଖି ବାହାଘର ଭାଙ୍ଗି ଯାଉଛି। ପୁଣି କେଉଁଠି ମଦ୍ୟପାନ କରୁଥିବା ବର ପାଇଁ ମଙ୍ଗୁଳା କନ୍ୟା ହାତ ଗଣ୍ଠି ପଡୁ ପଡୁ ଉଠି ଆସୁଛି। ବାହାଘରକୁ ନେଇ ଏମିତି ଅନେକ ଅଜବ ଏବଂ ବିଚିତ୍ର ଘଟଣା ଆପଣମାନେ ନିଜ ଆଖପାଖରେ ଦେଖିଥିବେ ନଚେତ୍ ଖବର ପଢିଥିବେ। ଏହି କ୍ରମରେ ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି ଯେଉଁଠି ବରଯାତ୍ରୀଙ୍କୁ ଖାସି ମାଂସ ଖାଇବାକୁ ନମିଳିବାରୁ ବର ବାହାଘରକୁ ଅଧାରେ ଭାଙ୍ଗି ବେଦୀରୁ ଉଠି ଆସିଛି। ଏପରିକି ସେହି ଦିନ ବର ଅନ୍ୟ ଏକ ଝିଅକୁ ବାହା ହୋଇ ଘରକୁ ଫେରିଛି।

ବର ହେଉଛନ୍ତି ରମାକାନ୍ତ ପାତ୍ର(୨୭)। ଗତ ବୁଧବାର ଅର୍ଥାତ ଜୁନ ୨୪ ତାରିଖରେ ଥିଲା ବାହାଘର। ବର ନିଜ  ବରଯାତ୍ରୀ ଏବଂ ବନ୍ଧୁବାନ୍ଧକ ସଂପର୍କୀୟ ସହ କନ୍ୟା ଘର ଗାଁ ବନ୍ଧୁଗାଁରେ ବୁଧବାର ଅପରାହ୍ନରେ ପହଞ୍ଚିଥିଲା। ବାହାଘର ସ୍ଥଳରେ ପହଞ୍ଚିବା ପରେ କନ୍ୟା ଘର ପକ୍ଷରୁ ବରଯାତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା।

ଏହା ପରେ ବରଯାତ୍ରୀ ଭୋଜି ଖାଇବାକୁ ବସିଥିଲେ। କନ୍ୟାଘର ଲୋକ ଖାଦ୍ୟ ପରସି ଚାଲିଥିଲେ। ହେଲେ ଯେତେବେଳେ ଜାଣିଲେ ଭୋଜିରେ ଖାସି ମାଂସ ନାହିଁ, ବର ଯାତ୍ରୀ ଉତକ୍ଷୀପ୍ତ ହୋଇ ଉଠିଥିଲେ। ଖାସି ମାଂସ ନାହିଁ ଆମେ ଭୋଜି ଖାଇବୁ ନାହିଁ କହି ହୋହାଲ୍ଲା କରିଥିଲେ। ଏହା ପରେ କନ୍ୟା ଓ ବର ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଆରମ୍ଭ ହୋଇ ଯାଇଥିଲା। ସେପଟେ ବାହାଘର ଆରମ୍ଭ ହୋଇ ଯାଇଥିଲା ଏବଂ ବେଦୀରେ ବସିଥିଲେ ବର। ହେଲେ ବର ଯାତ୍ରୀଙ୍କ ପାଇଁ ଖାସି ମାଂସ ହୋଇନଥିବାରୁ ବର ମଧ୍ୟ କ୍ଷୁବ୍ଧ ହୋଇ ପଡିଥିଲେ। ଖାସି ମାଂସ ନାହିଁ ତ ବାହାଘର ହେବି ନାହିଁ କହି ବର ସିଧାସଳଖ ବେଦୀରୁ ଉଠି ଆସିଥିଲେ। ବାସ୍ ଖାସି ମାଂସ ପାଇଁ ବାହାଘର ଭାଙ୍ଗି ଯାଇଥିଲା। ବରଯାତ୍ରୀ ବରକୁ ନେଇ ଫେରିଗଲେ। ହେଲେ ସେହି ସମାନ ଦିନରେ ବର ଅନ୍ୟ ଜଣେ ଝିଅକୁ ବାହାଘର ଘରକୁ ଫେରିଥିଲେ। ଏ ପର୍ଯ୍ୟନ୍ତ ବର ନାମରେ କୌଣସି ଅଭିଯୋଗ ହୋଇନଥିବା ସ୍ଥାନୀୟ ପୋଲିସ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.