ରାଜ୍ୟରୁ ମୌସୁମୀ ଉଭାନ : ୧୪ ଜିଲ୍ଲାରେ ବର୍ଷା ଗାଏବ, ଶୁଖିଲା ପଡିଛି ୧୫୨ ବ୍ଲକ

Published By : Prameya-News7 Bureau | July 01, 2021 IST

ଭୁବନେଶ୍ୱର,୦୧/୦୭: ଧୋକା ଦେଲା ମୌସୁମୀ । ରଜ ପରଠୁ କାଁ ଭାଁ ବରଷୁଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଗାଏବ । ଜୁନ୍‌ ସରିଲା ନିଅଣ୍ଟିଆ ବର୍ଷାରେ । ରାଜ୍ୟରେ ୧୭% ବର୍ଷା କମ୍‌ ଥିବାବେଳେ ୧୪ ଜିଲ୍ଲାରେ ବର୍ଷା ଅଭାବ । ଏଥିମଧ୍ୟରୁ ୭ ଜିଲ୍ଲାରେ ସ୍ଥିତି ଗମ୍ଭୀର । ଏ ୭ ଜିଲ୍ଲାରେ ୩୭%ରୁ ୫୨% ପର୍ଯ୍ୟନ୍ତ ନିଅଣ୍ଟିଆ ରହିଛି ବର୍ଷା ପରିମାଣ । ସେତିକି ନୁହେଁ, ରାଜ୍ୟର ୧୫୨ ବ୍ଲକରେ ବର୍ଷା ଅଭାବ ନାକେଦମ କଲାଣି ଚାଷୀଙ୍କୁ । ସେଥିରୁ ୯୧ଟି ବ୍ଲକରେ ସମସ୍ୟା ସଙ୍ଗୀନ ହେଲାଣି ।

ପାଣିପାଗ ପୂର୍ବାନୁମାନ ଯାହା, ଆଗାମୀ ୧୦ ଦିନ ଭିତରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଏମିତିରେ କେମିତି ଚାଷ କାମ ଆଗେଇବ, ସେ ନେଇ ଚାଷୀ ମୁଣ୍ଡ ଗୋଲ୍‌ । ଧାନ ବୁଣା, ତଳି ପକା ଅଟକି ରହିଛି । ପାଗ ନ ବଦଳିଲେ ଏ ବର୍ଷ ଚାଷ କାମ ବାଧାପ୍ରାପ୍ତ ହେବା ଆଶଙ୍କା ଘାରିଲାଣି । ବେଶି ଚିନ୍ତା ଦକ୍ଷିଣ ଓଡ଼ିଶା ସ୍ଥିତି ନେଇ ।

ପାଣିପାଗ ବିଭାଗର ହିସାବ କହୁଛି, ଜୁନ୍‌ ପହିଲାରୁ ୩୦ ତାରିଖ ସୁଦ୍ଧା ରାଜ୍ୟରେ ୧୮୧.୩ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୧୭% କମ୍‌ । ୧୪ ଜିଲ୍ଲା ଶୁଖିଲା ପଡ଼ିଛି ବର୍ଷା ଅଭାବରୁ ।ସବୁଠୁ ସାଂଘାତିକ ସ୍ଥିତି ଭଦ୍ରକ, ଗଞ୍ଜାମ ଓ ଗଜପତିରେ । ଭଦ୍ରକରେ ଜୁନ୍‌ ମାସରେ ୫୨% କମ୍‌ ବର୍ଷା ଦେଇଛି ମୌସୁମୀ। ଜିଲ୍ଲାରେ ମାତ୍ର ୧୦୧.୯ ମିମି ବର୍ଷା ହୋଇଛି ।

ଗଞ୍ଜାମରେ ୫୧% କମ୍‌ ବର୍ଷା ହୋଇଥିବାବେଳେ ଗଜପତିରେ ୪୬% ନିଅଣ୍ଟିଆ ସ୍ଥିତି । କେନ୍ଦୁଝରରେ ୪୦% ବର୍ଷା କମିଥିବାବେଳେ ବଲାଙ୍ଗିରରେ ୩୯%, ବୌଦ୍ଧରେ ୩୮%, ଯାଜପୁରରେ ୩୮% ଓ କନ୍ଧମାଳରେ ୩୭% କମ୍‌ ବର୍ଷା ହୋଇଛି ଜୁନ୍‌ ମାସରେ । ଏ ମାସରେ ମୟୂରଭଞ୍ଜରେ ୩୪%, ଅନୁଗୁଳରେ ୩୦%, ନୟାଗଡ଼ରେ ୨୮%, ନବରଙ୍ଗପୁରରେ ୨୯%, କଳାହାଣ୍ଡିରେ ୨୮% ଓ ରାୟଗଡ଼ାରେ ୨୬% ନିଅଣ୍ଟିଆ ବର୍ଷା ରହିଛି ।

ଭାରତୀୟ ପାଣିପାଗ ବିଭାଗ କହିଥିଲା, ଏ ବର୍ଷ ଜୁନ୍‌ରେ ଭଲ ବର୍ଷା ହେବ । ଏପରିକି ସ୍ୱାଭାବିକଠାରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା । ଚଳିତ ବର୍ଷ ଜୁନ୍‌ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥିଲା । ଅନୁମାନ କରାଯାଉଥିଲା, ସ୍ୱାଭାବିକ ସମୟରେ ଆସିଥିବାରୁ ଭଲ ବର୍ଷା ଢାଳିବ ଜୁନରେ । ମାତ୍ର ସବୁ ଅଙ୍କ ଭୁଲ୍‌ ହୋଇଗଲା । କିଛି ଦିନ ହେବ ମୌସୁମୀ ଦୁର୍ବଳ ରହିଛି ।

କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ରାଜ୍ୟର ୩୪ଟି ବ୍ଲକରେ ସ୍ଥିତି ଅତି ସାଂଘାତିକ । ଏଠାରେ ୫୯%ରୁ ଅଧିକ ନିଅଣ୍ଟିଆ ରହିଛି ବର୍ଷା ପରିମାଣ । ଏ ବ୍ଲକଗୁଡ଼ିକରେ ବିନା ଜଳସେଚନରେ ଧାନ ବୁଣାବୁଣି କାମ ଆରମ୍ଭ ହୋଇପାରି ନଥିବ । ଏଥିରେ ଗଞ୍ଜାମର ୮ଟି, ରାୟଗଡ଼ାର ୪ଟି, ଗଜପତିର ୩ଟି, ଭଦ୍ରକର ୩ଟି, କେନ୍ଦୁଝରର ୩ଟି, ମୟୂରଭଞ୍ଜର ୩ଟି ବ୍ଲକ ରହିଛି ।୫୭ଟି ବ୍ଲକରେ ୩୯ ପ୍ରତିଶତରୁ ୫୯% ପର୍ଯ୍ୟନ୍ତ ନିଅଣ୍ଟିଆ ରହିଛି ବର୍ଷା ପରିମାଣ । ଏଠାରେ ବୁଣାବୁଣି ନ ହୋଇଥାଇପାରେ । ଯଦି ହୋଇଥିବ, ତେବେ ଗଜା ମରୁଡ଼ି ଆଶଙ୍କା ରହିଛି । ବାକି ୬୧ଟି ବ୍ଲକରେ ୧୨୮.୫ ମିମିରୁ ୧୭୦.୭ ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକ ତୁଳନାରେ ୧୯%ରୁ ୩୯% ପର୍ଯ୍ୟନ୍ତ କମ୍‌ । ଏଠାରେ ଖାଲୁଆ ଜମିରେ ଧାନ ବୁଣାବୁଣି ହୋଇପାରିବ । କିନ୍ତୁ, ଢିପ ଜମିରେ ଫସଲ ତଳି ବଞ୍ଚିବା ପାଇଁ ଜଳସେଚନ ଆବଶ୍ୟକ ରହିଛି । ଯେହେତୁ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ଜମି ଢିପ, ତେଣୁ ସେଠାରେ ଏହି ନିଅଣ୍ଟିଆ ବର୍ଷା ବଡ଼ ସମସ୍ୟା ସୃଷ୍ଟି କରିଛି ।

ନିଅଣ୍ଟିଆ ବର୍ଷା ଥିବା ମୋଟ ୧୫୨ ବ୍ଲକ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୨୨ଟି ବ୍ଲକ, ବୌଦ୍ଧର ୩ଟି ବ୍ଲକ ଥିବାବେଳେ କନ୍ଧମାଳ, ଗଜପତି, ଭଦ୍ରକ, ରାୟଗଡ଼ାର ସମସ୍ତ ବ୍ଲକରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ଏହାସହଅନୁଗୁଳ ଜିଲ୍ଲାର ୬ଟି ବ୍ଲକ ମଧ୍ୟରୁ ୫ଟି, ବଲାଙ୍ଗିରର ୧୪ଟିରୁ ୯ଟି ବ୍ଲକ, ଢେଙ୍କାନାଳର ୪ଟି, କେନ୍ଦୁଝରର ୭ଟି, କଳାହାଣ୍ଡିର ୮ଟି, ମୟୂରଭଞ୍ଜର ୧୨ଟି ବ୍ଲକରେ ବର୍ଷା ଅଭାବ ରହିଛି । ଭଦ୍ରକ ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ନିଅଣ୍ଟିଆ ଉପକୂଳ ଜିଲ୍ଲା ମଧ୍ୟରେ ଯାଜପୁରର ୪ଟି, ଖୋର୍ଦ୍ଧାର ୫ଟି, ପୁରୀର ୪ଟି ବ୍ଳକରେ ଜୁନ୍‌ ମାସରେ ବର୍ଷା ନିଅଣ୍ଟିଆ ସ୍ଥିତି ଉପୁଜିଛି । ତେବେ ଉପକୂଳ ଅଞ୍ଚଳରେ ମଧ୍ୟମ ଓ ଖାଲ ଜମି ଥିବାରୁ ବୁଣାବୁଣି ଓ ଧାନ ତଳି ପକାଇବାରେ ବିଶେଷ ସମସ୍ୟା ହେବନାହିଁ ।

ଡକ୍ଟର ପଶୁପାଳକ କହିଛନ୍ତି, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବା ସମ୍ଭାବନା ଅଛି । ଲଘୁଚାପ ସୃଷ୍ଟି ହେବାର ଲକ୍ଷଣ ବି ଏଯାଏଁ ମିଳୁନି । ଫଳରେ ଏ ବର୍ଷ ରାଜ୍ୟର ଅନେକ ଅଞ୍ଚଳରେ ଚାଷ କାମ ବିଳମ୍ବିତ ହେବ । ବିଳମ୍ବ ହେଲେ ମଧ୍ୟମ ଅବଧି କିମ୍ବା ସ୍ପଳ୍ପ ଅବଧି ଧାନ କିସମ କରିବାକୁ ପଡ଼ିବ । ଦକ୍ଷିଣ ଓଡ଼ିଶାରେ ହରଡ଼, କପା, ବାଦାମ ଆଦି ଫସଲ ଜୁଲାଇ ୧୫ ସୁଦ୍ଧା ନ ଲଗାଇଲେ ଅମଳ ବିଶେଷ ଭାବେ କମିଥାଏ । ନିର୍ଦ୍ଧାରିତ ସମୟ ଭିତରେ ଏସବୁ ଫସଲ ଲଗାଇ ନ ପାରିଲେ ଏହା ବଦଳରେ ମୁଗ, ବିରି, ମକା ଆଦି ଫସଲ କରିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।

ପାଣିପାଗ ତଥ୍ୟ କହୁଛି, ଗତବର୍ଷ ଜୁନ୍‌ରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା । ସ୍ୱାଭାବିକଠାରୁ ୧୫% ଅଧିକ ବର୍ଷା ଥିଲା ରାଜ୍ୟରେ । ବର୍ଷା ହୋଇଥିଲା ୨୫୧ ମିମି । ଗତବର୍ଷ ତୁଳନାରେ ଏ ବର୍ଷ ଓଡ଼ିଶାକୁ ମୌସୁମୀ ଦିନକ ଆଗରୁ ଆସିଥିଲା । ତଥାପି ଏଯାବତ୍‌ ୧୭% କମ୍‌ ବର୍ଷା ହୋଇଛି । ଅବଶ୍ୟ ୨୦୧୯ ଜୁନ୍‌ରେ ୩୩% କମ୍‌ ବର୍ଷା ହୋଇଥିବାବେଳେ ୨୦୧୮ ଜୁନ୍‌ରେ ୨୭% କମ୍‌ ବର୍ଷା ହୋଇଥିଲା । ୨୦୧୭ ଜୁନ୍‌ରେ ୨% ବର୍ଷା କମିଥିବାବେଳେ ୨୦୧୬ରେ ୨୪% ବର୍ଷା କମ୍‌ ଥିଲା । ଏ ବର୍ଷ ଜୁନ୍‌ରେ ମାତ୍ର ଗୋଟିଏ ଲଘୁଚାପ ହୋଇଥିଲା ୧୧ ତାରିଖ ବେଳକୁ ।

ବର୍ଷା କମିଥିବାବେଳେ ରାଜ୍ୟରେ ପୁଣି ଫେରିଛି ଗ୍ରୀଷ୍ମ ଜ୍ୱାଳା । ବୌଦ୍ଧରେ ପାରଦ ୩୮ ଡିଗ୍ରୀ ଥିବାବେଳେ ସୋନପୁର, ସମ୍ବଲପୁରରେ ପାରଦ ୩୭ ଛୁଇଁଛି । ଭୁବନେଶ୍ୱର, ବାଲେଶ୍ୱର, ଓ ଚାନ୍ଦବାଲିରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଛି । ଏଥିରୁ ଅନୁମାନ କରାଯାଇପାରେ, ଏବେ ବି ଗରମ ନାକେଦମ କରୁଛି ରାଜ୍ୟରେ । ଗୁରୁବାର ଦକ୍ଷିଣ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.