କଂଗ୍ରେସକୁ ଚଳାଇବା ପାଇଁ ଅର୍ଥ ନାହିଁ, କର୍ପୋରେଟ୍ ମଧ୍ୟ କରୁ ନାହାନ୍ତି ଫଣ୍ଡିଂ, ଚିନ୍ତା ପ୍ରକାଶ କଲେ ପାର୍ଟି ନେତା

Published By : Prameya-News7 Bureau | May 14, 2022 IST

ଉଦୟପୁର: ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ ସାମିଲ୍ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପାର୍ଟି ଚଳାଇବାକୁ ଅର୍ଥ ନାହିଁ। କର୍ପୋରେଟ୍ ମଧ୍ୟ ଫଣ୍ଡିଂ କରୁ ନାହାନ୍ତି। ପାର୍ଟି କାର୍ଯ୍ୟକ୍ରମ ପାଇଁ ଅର୍ଥ ମିଳୁନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା। ସେମାନଙ୍କ ମତରେ ଶିବିରରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉ ନାହିଁ। ପାର୍ଟି ଅଧ୍ୟକ୍ଷଙ୍କୁ ନେଇ ମଧ୍ୟ ସ୍ଥିତି ସ୍ପଷ୍ଟ କରାଯାଉ ନାହିଁ। ଅଧ୍ୟକ୍ଷଙ୍କୁ ନେଇ ପାର୍ଟି ନେତାଙ୍କ ମଧ୍ୟରେ ଅଲଗା ଅଲଗା ରାୟ ଦେଖିବାକୁ ମିଳିଛି।  

ନେତାମାନେ କହିଛନ୍ତି, କଂଗ୍ରେସରେ ଅଧ୍ୟକ୍ଷ ଚୟନ ନହେବା ଦଳକୁ କ୍ଷତି କରୁଛି। ପଲିଟିକାଲ କମିଟିରେ ସାମିଲ୍ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ କହିବା ସମୟରେ ଜଣେ ନେତା କହିଥିଲେ, ରାହୁଲ ଗାନ୍ଧୀ ଯଦି ଅଧ୍ୟକ୍ଷ ହେବାକୁ ଚାହୁଁ ନାହାନ୍ତି ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧ୍ୟକ୍ଷା କରାଯାଉ। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଉଭୟ ଉପସ୍ଥିତ ଥିଲେ। ସେହି ସମୟରେ ପ୍ରମୋଦ କୃଷ୍ଣନ ଉକ୍ତ ନେତାଙ୍କୁ ଚୁପ୍ କରାଇ କହିଛନ୍ତି ଏହି ଚିନ୍ତନ ଶିବିର ଅଧ୍ୟକ୍ଷ କରାଯିବା ନେଇ ହେଉ ନାହିଁ।

କିଛି ନେତାଙ୍କ କହିବା କଥା କଂଗ୍ରେସକୁ ବିଧାନସଭା ନିର୍ବାଚନରେ ମେଣ୍ଟ କରିବା ଉଚିତ୍ ନୁହେଁ। ଏଥିରେ ୟୁପି-ବିହାର ପରି ରାଜ୍ୟଗୁଡିକରେ ଦଳର କ୍ଷତି ଘଟିଛି ଏବଂ ପାର୍ଟି ସଂଗଠନ ଦୁର୍ବଳ  ହୋଇ ପଡିଛି। ଏହା ବ୍ୟତୀତ ଶିବିରରେ ସାମିଲ୍ ନେତା କହିଛନ୍ତି ପୂର୍ବର ଭୁଲ୍ କଥା ନକହି କମିଟି ଭବିଷ୍ୟତ ବିଷୟରେ ଆଲୋଚନା କରୁ।

ଶିବିରରେ କୁହାଯାଇଛି ଯେ, ଆରଏସଏସ ସହ ମୁକାବିଲା ପାଇଁ ଏହି ଧରଣର ସାମାଜିକ ସଂଗଠନ ଗଠନ କରାଯାଉ ଯାହା ଜରିଆରେ କଂଗ୍ରେସ ଲୋକଙ୍କ ଘରେ ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଲୋକଙ୍କ କାମରେ ଆସିବ। ନେତା ଏହା ମଧ୍ୟ କହିଛନ୍ତି ଆରଏସଏସ ନିକଟରେ କଲେଜ, ହସ୍ପିଟାଲ୍ ସବୁ କିଛି ରହିଛି। ଆଉ କଂଗ୍ରେସ ପାଖରେ କାର୍ଯ୍ୟାଳୟଟିଏ ମଧ୍ୟ ନାହିଁ। କାର୍ଯ୍ୟକର୍ତ୍ତାଙ୍କୁ ନେଇ ଶିବିରରେ କିଛି ଆଲୋଚନା କରାଯାଉ ନାହିଁ। ଜିଲ୍ଲା ଏବଂ ପଞ୍ଚାୟତ କମିଟି ଉପରେ କୌଣସି ଚିନ୍ତନ କରାଯାଉ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.