‘ମାସ୍କ ପିନ୍ଧିବୁନି, ଅନ୍ତବସ୍ତ୍ର ପିନ୍ଧିବୁନି, ନିୟମ କରୁଥିବା ଲୋକଙ୍କୁ ଭଗବାନ ଶାସ୍ତି ଦେବେ’…

Published By : Prameya-News7 Bureau | June 27, 2020 IST

ଫ୍ଲୋରିଡା, ୨୭|୦୬:  ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଲକଡାଉନ୍ ନିୟମକୁ କଡାକଡି ଭାବେ ପାଲନ କରାଯାଉନଥିବା ଦେଖିବାକୁ ମିଳିଛି । ଏପରିକି କିଛି ସ୍ଥାନରେ ଲୋକମାନେ ମାସ୍କ ପିନ୍ଧିବାକୁ ଚାହୁଁନାହାଁନ୍ତି । ଅଜବ ଯୁକ୍ତି ମଧ୍ୟ ବାଢୁଛନ୍ତି । କହିବାକୁ ଗଲେ ଏଠାରେ ମାସ୍କବିରୋଧି କ୍ୟାମ୍ପେନ୍ ଆରମ୍ଭ ହୋଇଯାଇଛି ।

ଆମେରିକାର କିଛି ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହାକୁ ବିରୋଧ କରୁଥିବା ଲୋକମାନେ କହିଛନ୍ତି ଯେ, ସେମାନେ କଣ ପିନ୍ଧିବେ ନପିନ୍ଧିବେ ତାହା ତାଙ୍କର ବ୍ୟକ୍ତିଗତ ଅଧିକାର । ଏହା ମାନବିକତାର ହନନ ବୋଲି କେହି କହିଛନ୍ତି । ଏପରି କରିବା ଦ୍ୱାରା ଭଗବାନଙ୍କ ସହ ଖେଳିବା ସମାନ ବୋଲି ଯୁକ୍ତି ବାଢୁଛନ୍ତି । 

ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ମାସ୍କ ପିନ୍ଧିବା ଦ୍ୱାରା ଲୋକାମାନେ ମୃତ୍ୟୁମୁଖରେ ପଡୁଛନ୍ତି । ମାସ୍କ ପିନ୍ଧିବା ଶୈତାନର ନିୟମ ମାନିବା ସଙ୍ଗେ ସମାନ । ଏପରି ମାନବାଧିକାର ବିରୋଧରେ ଅପରାଧ ଯେଉଁମାନେ କରନ୍ତି ସେମାନେ ଦିନେ ନା ଦିନେ ଗିରଫ ହେବେ । ଭଗବାନ ଏମାନଙ୍କୁ ଶାସ୍ତି ଦେବେ । ଆଉ ଜଣେ ମହିଳା ମଧ୍ୟ ମାସ୍କ ନପିନ୍ଧିବା  ଓ ଅନ୍ତବସ୍ତ୍ର ନପିନ୍ଧିବା ସମାନ ବୋଲି କହିଛନ୍ତି ।

ମାସ୍କ ବିରୋଧି ଅଭିଯାନରେ ସାମିଲ ଥିବା ଜଣେ ଯୁବକ କହିଛନ୍ତି ଯେ, ସେମାନଙ୍କ ସ୍ୱାଧିନତା ଛଡାଇ ନିଆଯାଉଛି । ସେ ଏକ ପାଗଳ କୁକୁର ଭଳି ବଞ୍ଚିବାକୁ ଚାହାଁନ୍ତି ନାହିଁ ।

ସୂଚନାଯୋଗ୍ୟ, ଫ୍ଲୋରିଡା ରାଜ୍ୟପାଳ କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କକୁ ବାଧ୍ୟତାମୂଳକ କରିଥିଲେ । କାରଣ ଏଠାରେ ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩,୦୦କୁ ବୃଦ୍ଧି ପାଉଥିବା ବେଳେ ଗତ ୭ ଦିନ ଭିତରେ ୩୨ ହଜାରରୁ ଅଧିକ ନୂଆ କେସ୍ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.