ପାକିସ୍ତାନକୁ ଲକଡାଉନ ଘୋଷଣା କରିବାକୁ ଇମ୍ରାନ୍ଙ୍କ ଡର , କାରଣ ୨୫ ପ୍ରତିଶତ ଲୋକ ଭୋକିଲା ରହିଯିବେ
23/03/2020 at 12:44 PM

କରାଚୀ ୨୩/୦୩ : ମହାମାରୀର ରୂପ ନେଇଥିବା ଭୟଙ୍କର କରୋନା ଭାଇରସ ଏଯାଏଁ ବିଶ୍ୱର ୧୯୨ ଦେଶକୁ ସଂକ୍ରମିତ ହୋଇସାରିଲେଣି |ଏହି ଭୟଙ୍କର ଭାଇରସ୍ କୁ ରୋକିବା ପାଇଁ ଅନେକ ଦେଶ ଲକଡାଉନ ଘୋଷଣା କରିଛନ୍ତି |ଭାରତର ୭୫ ଜିଲ୍ଲାରେ ଲକଡାଉନ, ଏହା ଆଗକୁ ପୁଣି ବଢିବ । କିନ୍ତୁ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିଲେ ବି ପାକିସ୍ତାନରେ ଲକ୍ଡାଉନ ଘୋଷଣା କରିବାକୁ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ୍ ସାହସ କରିପାରୁନାହାନ୍ତି । ଏବେ କରୋନାରେ ପାକିସ୍ତାନରେ ୭୭୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | କିନ୍ତୁ ଏହାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶରେ ଲକଡାଉନ କରିବାକୁ ପ୍ରସ୍ତୁତ ନୁହନ୍ତି | ସମ୍ପୂର୍ଣ ଦେଶକୁ ଲକଡାଉନ କରିବା ସମ୍ଭବ ନୁହେଁ ବୋଲି ଇମ୍ରାନ କହିଛନ୍ତି | ତାର କାରଣହେଲା , ଲୋକଙ୍କ ରୋଜଗାରରେ ଅସମାନତା । କାରଣ ପାକିସ୍ତାନରେ ୨୫ ପ୍ରତିଶତ ଜନତା ଦାରିଦ୍ର୍ୟ ସୀମାରେଖା ତଳେ ଅଛି | ଦେଶକୁ ସମ୍ପୂର୍ଣ୍ଣ ଲକଡାଉନ କଲେ ଏହି ୨୫ ପ୍ରତିଶତ ଜନତା ଜଟିଳ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଇମ୍ରାନ କହିଛନ୍ତି |
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଲକଡାଉନକୁ ନେଇ ଟ୍ୱିଟ କରି କହିଛନ୍ତି, ” ସମ୍ପୂର୍ଣ୍ଣ ଲକଡାଉନ ଅର୍ଥାତ ଆର୍ମି ଓ ପ୍ରଶାସନ ଦ୍ୱାରା କର୍ଫ୍ୟୁ ଜାରି କରିବା | କର୍ଫ୍ୟୁ ସମୟରେ ଲୋକଙ୍କୁ ଘରେ ରହିବାକୁ ନିର୍ଦେଶ ଦିଆଯାଇଥାଏ | ଦେଶର ୨୫ ପ୍ରତିଶତ ଜନତା ଦୈନିକ ବେତନଭୋଗୀ , ଅର୍ଥାତ୍ ଦିନ ମଜୁରିଆ । ଏପଟେ, ସଂକ୍ରମଣ ରୋକିବା ପାଇଁ ଜରୁରୀ ପଦକ୍ଷେପ ନିଆଯାଉଛି | ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି | ସୁରକ୍ଷା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ, ନିଜକୁ ଆଇସୋଲେସନ ଓ କ୍ଵାରେଣ୍ଟାଇନରେ ରଖିବାକୁ ନିର୍ଦେଶ ଦିଆଯାଇଛି |
କରୋନାକୁ ନେଇ ଭୟଭୀତ ନ ହେବାକୁ ଇମ୍ରାନ ଲୋକଙ୍କୁ ପରାମର୍ଶ ଦେଇଛନ୍ତି | ମାନସିକ ଅବସାଦଗ୍ରସ୍ତ ନ ହୋଇ ଚିନ୍ତାମୁକ୍ତ ରହିବା ପାଇଁ କହିଛନ୍ତି | ଅଧିକ ଖାଦ୍ୟ ଘରେ ଜମା ନ ରଖିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି | ଅଧିକ ଖାଦ୍ୟପେୟ ଜମା ରଖିବା ଦ୍ୱାରା ଦେଶରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେବ | ଯାହାଫଳରେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସେ ପ୍ରକାଶ କରିଛନ୍ତି | ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି | ଲୋକଙ୍କ ମଧ୍ୟରେ ଭୟ ରୋକିବା ପାଇଁ ମିଡ଼ିଆ ମଧ୍ୟ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିବ | ରୋଗ ଠାରୁ ଭୟ ଅଧିକ ଭୟଙ୍କର ବୋଲି ଇମ୍ରାନ କହିଛନ୍ତି | ସେଥିପାଇଁ ନିଜେ ସୁରକ୍ଷିତ ଓ ସଚେତନ ରହିବାକୁ ସେ ଲୋକଙ୍କୁ ନିର୍ଦେଶ ଦେଇଛନ୍ତି |