ନୂଆ ଶିକ୍ଷାନୀତି : କାହା ଉପରେ କୌଣସି ଭାଷାକୁ ଲଦି ଦିଆଯିବନି, କହିଲେ ରମେଶ ପୋଖରୀୱାଲ

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ ୩୧।୭: ଜାତୀୟ ଶିକ୍ଷାନୀତିକୁ  କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରି ମିଳିବା ପରଠାରୁ ଏହାକୁ ନେଇ ଦେଶରେ ଏବେ ଖୁବ୍ ଚର୍ଚ୍ଚା । ଶେଷ ଥର ରାଜୀବ ଗାନ୍ଧୀ ଦେଶ ଲାଗି ଶିକ୍ଷାନୀତି ପ୍ରଣୟନ କରିଥିଲେ।  ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷାନୀତି ପ୍ରଣୟନ କରିବାକୁ ଯାଉଥିବା ବେଳେ ଏହା ପରିବର୍ତ୍ତିତ ପରିସ୍ଥିତିରେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ନେଇ ଉଚ୍ଚମାନର ଶିକ୍ଷାନିମନ୍ତେ ଉପଯୁକ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏ ନେଇ କଣ କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ।

ନୂଆ ଶିକ୍ଷାନୀତିକୁ କ୍ୟାବିନେଟର ମଞ୍ଜୁରି ପରେ ଦେଶର ପ୍ରାଥମିକ ଓ ଉଚ୍ଚଶିକ୍ଷା କିପରି ହେବ ସେ ନେଇ ଏବେ ସମସ୍ତଙ୍କର ଚିନ୍ତା। ଏଥିରେ ପୂର୍ବ ଭଳି କେବଳ ଇଂରାଜୀ ଓ ହିନ୍ଦୀକୁ ପ୍ରାଥମିକତା ଦିଆ ନଯାଇ ବିଭିନ୍ନ ପ୍ରାଦେଶିକ ଭାଷାକୁ ମଧ୍ୟରେ ଶିକ୍ଷାରେ ସାମିଲ କରାଯିବାର ପ୍ରାବାଧାନ ରହିଛି। ଏଣୁ ପ୍ରାଥମିକ ଶିକ୍ଷାରେ ଶିକ୍ଷାଦାନର ମାଧ୍ୟମ ଓ ମାତୃଭାଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ। ତେବେ ଏଥିରେ ବ୍ୟସ୍ତ ବିବ୍ରତ ହେବା ଭଳି କିଛି ନାହିଁ ବୋଲି କହିଛନ୍ତି ମାନବ ସମ୍ବଳ ମନ୍ତ୍ରୀ।

ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ  ପିଲାମାନଙ୍କୁ ଖୁବ କମ ବୟସରୁ ବିଭିନ୍ନ ଭାଷା ସହ ପରିଚିତ କରାଯିବ। ତେବେ ମାତୃଭାଷାକୁ ମଧ୍ୟ ପ୍ରାଥମିକତା ଦିଆଯିବ ।  ସେହିପରି ସବୁ ଭାଷାକୁ ବୋଧଗମ୍ୟ ଓ ଭାବର ଆଦାନପ୍ରଦାନ ମାଧ୍ୟମରେ ଶିକ୍ଷାଦାନ କରାଯିବ ବୋଲି ସେ କହିଛନ୍ତି। ମାତୃଭାଷା ସମେତ ଅନ୍ୟଭାଷାର ପଠନ ଓ ଲିଖନ ଶୈଳୀ ଛାତ୍ରଛାତ୍ରୀଙ୍କୁ ତୃତୀୟ ଶ୍ରେଣୀରୁ ଶିକ୍ଷା ଦିଆଯିବ। ଯାହାକି ପରବର୍ତ୍ତି ଶ୍ରେଣୀମାନଙ୍କରେ ଛାତ୍ରଛାତ୍ରୀ ଏଥିରେ ଦକ୍ଷତା ହାସଲ କରିବେ।

ତେବେ ପରିବର୍ତ୍ତିତ ଶିକ୍ଷାନୀତିରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବେ। ଯାହା ଦ୍ୱାରା ସାରା ଦେଶର ବିଦ୍ୟାଳୟମାନଙ୍କରେ ଲାଙ୍ଗୁଏଜ ଟିଚରଙ୍କ ସଂଖ୍ୟା ବୃଦ୍ଧି ହେବ। ସେହିପରି ଶିକ୍ଷା ଯେପରି ଉଚ୍ଚମାନର ହେବ ସେଥିଲାଗି ମଧ୍ୟ ନୂତନ ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି। ଯେପରି ଛାତ୍ରଛାତ୍ରୀ ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଥିବା ଅହ୍ୱାନର ମୁକାବିଲାରେ ସକ୍ଷମ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.