ଲକଡାଉନ୍‌ରେ କାମ ଦେବନି ଆଇଡି-କାର୍ଡ, ଘରୋଇ ସଂସ୍ଥା କର୍ମଚାରୀଙ୍କ ଲିଷ୍ଟ୍ ମାଗିଲା ପୋଲିସ

Published By : Prameya-News7 Bureau | May 09, 2021 IST

ଭୁବନେଶ୍ୱର,୦୯/୦୫: କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଛି ଲକ୍‌ଡାଉନ ଓ ସଟଡାଉନର ଜାରି ରହିଛି। ରବିବାର ସପ୍ତାହାନ୍ତ ସଟଡାଉନ ଦ୍ବିତୀୟ ଦିନ। ଏହା ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସପ୍ତାହାନ୍ତ ସଟଡାଉନରେ ଜରୁରୀ ସେବାକୁ ଛାଡିଦେଲେ ଆଉ ସବୁ ବନ୍ଦ ରହିଛି । ଆଜି ସମସ୍ତ ଦୋକାନ ବଜାର ବନ୍ଦ ରହଛି । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି ।

ସେହିପରି ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଘରୋଇ ସଂସ୍ଥାର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍‌ ଚାଲିବ । ହେଲେ ଅନେକ ସଂସ୍ଥାର କର୍ମଚାରୀ ଏହି ନିୟମକୁ ଦଳି ମକଚି ଚାଲିଛନ୍ତି । ମୋଟା ମୋଟି ଭାବେ କହିବାକୁ ଗଲେ ବେସରକାରୀ କର୍ମଚାରୀ ବେଶି ଅମାନିଆ ହେଉଛନ୍ତି । ବେକରେ ଆଇକାର୍ଡ ପକାଇ ମନ ଇଚ୍ଛା ବୁଲୁଛନ୍ତି । ହେଲେ ଏବେ ଏହି ବୁଲିବା ଉପରେ ରୋକ ଲଗାଇଛି କମିଶନରେଟ୍‌ ପୁଲିସ୍‌ । ଏଣିକି ଆଉ ଖାଲି ଆଇ କାର୍ଡ ଦେଖାଇଲେ ଚଳିବନି । ଅଫିସିଆଲ ଲେଟର ବି ଦେଖାଇବାକୁ ପଡ଼ିବ । ଏନେଇ ସବୁ ଅଫିସ୍‌କୁ ତାଲିକ ମାଗିଛି ପୁଲିସ୍‌ । ତାଲିକାରେ ଯାହା ନା ଥିବ ସେ ହିଁ କେବଳ ଅଫିସ ଯାଇ ପାରିବ । ଅନ୍ୟମାନେ ଗଲେ ଜରିମାନା ଦେବା ସହ ସେମାନଙ୍କ ଗାଡ଼ି ବି ଜବତ ହେବ ।

ଲକ୍‌ଡାଉନ ସମୟରେ ଅଧିକାଂଶ ଲୋକ ଅଫିସ କାର୍ଡ ଦେଖାଇ ଏଣେତେଣେ ଘୁରି ବୁଲୁଛନ୍ତି । ଏମାନଙ୍କ ଯୋଗୁ ସଂକ୍ରମଣ ବୃଦ୍ଧି ପାଇବା ଅଶଙ୍କା ଉପୁଜିଛି । ଏହାକୁ ଦେଖି ପୁରୁଣା ନିୟମକୁ ସୋମବାର ଠାରୁ କଡାକଡି ଭାବେ ପାଳନ କରିବ କମିଶନରେଟ୍‌ ପୁଲିସ୍‌ । ଯେଉଁମାନଙ୍କୁ ଲକ୍‌ଡାଉନ ସମୟରେ ଅଫିସ ଯିବାକୁ ଅନୁମତି ମିଳିଛି, ସେମାନେ କେବଳ ନିଜ ଘର ଠାରୁ ଅଫିସ ପର୍ଯ୍ୟନ୍ତ ସେହି ଆଇ କାର୍ଡ ଦେଖାଇ ଯାଇ ପାରିବେ । ଅନ୍ୟ କୌଣସି ସ୍ଥାନକୁ ଗଲେ କାର୍ଯ୍ୟାନୁଷ୍ଠାନ ହେବ । ଲକଡାଉନ ସମୟରେ କିଛି ଜରୁରୀକାଳିନ ସେବାରେ ଥିବା ବେସରକାରୀ ସଂସ୍ଥାକୁ ଅଫିସ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ସେହି ସଂସ୍ଥାର କର୍ମଚାରୀ ମାନେ ନିଜର ଅଫିସ ଆଇ କାର୍ଡ ଦେଖାଇଲେ ପୋଲିସ ରାସ୍ତାରେ ଅଟକାଇବ ନାହିଁ । ହେଲେ ଏହାର ଫାଇଦା ନେଇ କର୍ମଚାରୀମାନେ ଅଫିସ ଯିବା ସହ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି । ଯାହାକୁ ନେଇ କଠୋର ହୋଇଛି ପୁଲିସ୍‌ ।

ଏନେଇ ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କିଛିଦିନ ହେବ ଲକ୍ଷ୍ୟ କରୁଛୁ, ଲକଡାଉନରେ ଅଫିସ ଯାଉଥିବା ବେସରକାରୀ କର୍ମଚାରୀମାନେ ଅଫିସ ବାଦ ଏଣେତେଣେ ବୁଲୁଛନ୍ତି । ଚେକିଂ ବେଳେ ନିଜର ଆଇଡି କାର୍ଡ ଦେଖାଇ ଖସି ଯାଉଛନ୍ତି । ତେଣୁ ସେମାନଙ୍କ ପ୍ରତି ଏଥର କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ବେସରକାରୀ ସଂସ୍ଥା ଗୁଡିକର ଲକଡାଉନ ସମୟରେ ଅଫିସ ଖୋଲା ରହିଛି, ସେମାନଙ୍କ ଅଫିସ ଠିକଣା, କେତେଜଣ କର୍ମଚାରୀ ଲକଡାଉନ ସମୟରେ ଅଫିସ ଯାଉଛନ୍ତି, ସେମାନେ କେଉଁଠୁ କେଉଁ ପର୍ଯ୍ୟନ୍ତ ଯିବେ ? ସେ ସବୁର ତାଲିକା ଡିସିପିଙ୍କ ପାଖରେ ଦାଖଲ କରିବାକୁ ପ୍ରେତ୍ୟେକ ବେସରକାରୀ ଅଫିସର ମୁଖ୍ୟଙ୍କୁ କୁହାଯାଇଛି । ତାଲିକାରେ ଯାହାର ନାଁ ନଥିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲକଡାଉନ ପାଇଁ କାହାକୁ ପୋଲିସ ପକ୍ଷରୁ ପାସ୍‌ ଦିଆ ଯାଇନାହିଁ । ଯେଉଁମାନଙ୍କୁ ସରକାର ଅନୁମତି ଦେଇଛନ୍ତି ଅଫିସ ଖୋଲିବାକୁ ସେମାନେ ଆଇଡି କାର୍ଡ ଦେଖାଇ ଯିବା ଆସିବା କରି ପାରିବେ ।

ସୂଚନା ମୁତାବକ, ଲକଡାଉନ୍‌ ସମୟରେ ଆଇଟି ସଂସ୍ଥାରେ ୫୦% ପ୍ରତିଶତ କର୍ମଚାରୀ, କର୍ପୋରେଟ୍‌ ସଂସ୍ଥା ଓ ଶିଳ୍ପସଂସ୍ଥା ଗୁଡ଼ିକୁ ୩୦ ପ୍ରତିଶତ କର୍ମଚାରୀ ଏବଂ ବିଭିନ୍ନ ଘରୋଇ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ ବୋଲି ସରକାର ନିୟମ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.