କରୋନା ଭାଇରସ ଟିକା କାମ କରିବ କି ନାହିଁ, ତାର କିଛି ଗ୍ୟାରେଣ୍ଟି ନାହିଁ: ଡବ୍ଲୁଏଚଓ ମୁଖ୍ୟ

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩/୦୯: କରୋନା ଭାଇରସ ପାଇଁ ବିକଶିତ ହେଉଥିବା ଟିକା ପ୍ରସ୍ତୁତି ଶେଷ ହେଲେ ବି ଏହାର କିଛି ଗ୍ୟାରେଣ୍ଟି ନାହିଁ। ଅର୍ଥାତ ଏ ଟିକା କାମ କରିବ କି ନାହିଁ ଏବେଠାରୁ କିଛି କୁହାଯାଇପାରିବ ନାହିଁ। ଏହି କଥା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ ଗତକାଲି ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ କହିଛନ୍ତି ସ୍ବାସ୍ଥ୍ୟ ସଂଗଠନ ପାଖରେ ଏହି କଥାର କୌଣସି ଗ୍ୟାରେଣ୍ଟି ନାହିଁ ଯେ କରୋନା ମହାମାରୀ ପାଇଁ ବିକଶିତ କରାଯାଉଥିବା ଟିକାରୁ କିଛି କାମ କରିବ କି ନାହିଁ। ତେବେ ଏକଥା କହିଛନ୍ତି ଯେ ଅଧିକରୁ ଅଧିକ ସ୍ବେଚ୍ଛାସେବୀଙ୍କ ଉପରେ ଏହାକୁ ପରୀକ୍ଷା କରାଗଲେ ହୁଏତ ଏହା ଅଧିକ ପ୍ରଭାବି ହୋଇପାରେ।

ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ପ୍ରାୟ ୨୦୦ ଭାକସିନ ବିକଶିତ କରାଯାଉଛି। ଟେଡ୍ରୋସ କହିଛନ୍ତି ​ କୋଭିଡ୍-୧୯ ପାଇଁ ଏହି ଟିକା ବର୍ତମାନ ପ୍ରିକ୍ଲିନିକାଲ ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ବିକଶିତ ପର୍ଯ୍ୟାୟରେ ଏମାନଙ୍କ ମଧ୍ୟରୁ କିଛିଟା ସଫଳ ଓ କିଛିଟା ଅସଫଳ ହେବ। ଭବିଷ୍ୟତରେ ଦେଶ ମଧ୍ୟରେ ଟିକାକୁ ସମାନ ବିତରଣ କରିବା ପାଇଁ ଏକ ମେକାନିଜମ ତିଆରି କରାଯାଉଛି। ସେ କହିଲେ ଏହି କୋଭାକ୍ସ ସୁବିଧା ସରକାରଙ୍କୁ ଭାକସିନ ବିକାଶ ଦିଗରେ ସକ୍ଷମ ଓ ସୁନିଶ୍ଚିତ କରିଥାଏ ଯେ ସେମାନଙ୍କ ନାଗରିକଙ୍କୁ ପ୍ରଭାବି ଟିକା ଖୁବଶୀଘ୍ର ମିଳିବ।

ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି କୋଭାକ୍ସ ସୁବିଧା ଏମିତି ଏକ ମେକାନିଜମ ଯାହା ବିଶ୍ବ ସ୍ତରରେ ସମନ୍ବିତ ଭୂମିକା ନିଭାଇବାରେ ପ୍ରଭାବୀ ହେବ। କୋଭାକ୍ସ ସୁବିଧା ମହାମାରୀକୁ ନିୟନ୍ତ୍ରଣରେ ଆଣିବ, ଜୀବନ ରକ୍ଷା କରିବ ଓ ଆର୍ଥିକ ସୁଧାରକୁ ଆଗକୁ ବଢ଼ାଇବାରେ ସାହାଯ୍ୟ ଓ ସୁନିଶ୍ଚିତ କରିବ। ଏହା ସହ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ କରୋନା ଭାକସିନ ଦିଗରେ ମିଶିକି କାମ କରିବାକୁ ଅନୁରୋଧ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.