ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ନାହିଁ ବୋଲି ସ୍ପଷ୍ଟ କଲେ ନବୀନ, ଆଶାୟୀ ଯୁବ ବିଧାୟକ ନିରାଶ

Published By : Prameya-News7 Bureau | January 09, 2019 IST

ଭୁବନେଶ୍ବର ୯|୧: ପ୍ରଦୀପ ମହାରଥୀ ମନ୍ତ୍ରିମଣ୍ଡଳରୁ ବିଦା ହେବାପରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଥିଲା । ଦଳର କିଛି ଯୁବ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଆଶାବାଦୀ ଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ନବୀନ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ କି ସଂପ୍ରସାରଣ ହେବାର ନାହିଁ ।

ସେହିଭଳି  କେନ୍ଦ୍ରରେ ଚାଲିଥିବା ମହାମେଣ୍ଟରେ ବିଜେଡି ସାମିଲ ହେବ ନାହିଁ ବୋଲି ଆଜି ପୁଣି ସ୍ପଷ୍ଟ କରିଛନ୍ତି ନବୀନ । ସେ କହିଛନ୍ତି ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିବା ନେଇ ଦଳ ଯୋଉଁ ନିଷ୍ପତ୍ତି ନେଇଥିଲା ସେଥିରେ ଦଳ ଏବେ ବି ଅଟଳ ରହିଛି ।ସୂଚନାଯୋଗ୍ୟ ଯେ, ମହାମେଣ୍ଟରେ ବିଜେଡି ସାମଲ ହେବ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଆଶୁଥିଲା । ଏହି ଚର୍ଚ୍ଚାରେ ମଧ୍ୟ ନବୀନ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

ପଞ୍ଚଦଶ ଅର୍ଥ କମିଶନ ବୈଠକରେ ଯୋଗ ଦେବା ପରେ ନବୀନ ଗଣମାଧ୍ୟକୁ ରାଜ୍ୟ ପକ୍ଷରୁ ରଖାଯାଇଥିବା ଦାବୀ ସମ୍ପର୍କରେ ସୂଚନା ଦେବା ଅବସରରେ ଏହା ପ୍ରକାଶ କରିଛନ୍ତି ।

ବେବିନା ପ୍ରସଂଗରେ ପ୍ରଦୀପ ମହାରଥୀ ବିବାଦୀୟ ମନ୍ତବ୍ୟ ଦେବା ଯୋଗୁଁ ବିରୋଧୀମାନେ ତାଙ୍କୁ ଏବଂ ଦଳକୁ ଘେରିଥିଲେ । ସେହିଭଳି ବାରିପଦା ସମାବେଶରେ ଖୋଦ ପ୍ରଧାନମନ୍ତ୍ରୀ ଏହି ପ୍ରସଂଗ ଉଠାଇଥିଲେ । ଦଳର ଓ ନିଜର ଭାବମୂର୍ତ୍ତି ପାଇଁ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା ।

ସେହିଭଳି ମନ୍ତ୍ରିମଣ୍ଡଳରେ ଥିବା ଆହୁରି ଦୁଇଜଣ ମନ୍ତ୍ରୀଙ୍କ ପାଇଁ ବିଭିନ୍ନ ପ୍ରସଂଗରେ ଦଳ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛି । ସେମାନେ ମଧ୍ୟ ଦଳରୁ ବିଦା ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ନାହିଁ ବୋଲି ସ୍ପଷ୍ଟ କରିବା ପରେ ଏହି ଦୁଇଜଣ ମନ୍ତ୍ରୀଙ୍କୁ ଆଶ୍ବସ୍ଥି ମିଳିଛି । ଦଳରୁ ୩ ଜଣ ମନ୍ତ୍ରୀ ବିଦା ହେବାପରେ ନିଶ୍ଚୟ ସଂପ୍ରସାରଣର ସୁଯୋଗ ସୃଷ୍ଟି ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ସେ ସମ୍ଭାବନା ଆଉ ନାହିଁ । ସାଧାରଣ ନିର୍ବାଚନ ଆଉ ତିନିମାସ ଥିବାବେଳେ ନବୀନ ମଧ୍ୟ କୌଣସି ରିସ୍କ ନେବାକୁ ଚାହୁଁ ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.