ଏହି କାରଣରୁ ଏଥର ରାଜ୍ୟରେ ଆମ୍ବ ଗଛରେ ବଉଳ ନାହିଁ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ୱର ୨୫।୧୨ - ସଂସ୍କୃତିର ପାରମ୍ପରିକ ପର୍ବ ବଉଳ ଅମାବାସ୍ୟା । ଠାକୁରଙ୍କ ନିକଟରେ ଭକ୍ତ ଆମ୍ବ ବଉଳ ଲାଗି କରିବେ । ପିଠା ପୁରରେ ପକାଇ ଭୋଗ ଚଢ଼ାଇବେ । ହେଲେ ଖୋଜା ପଡ଼ିଛି ବଉଳ । କଦବା କ୍ୱଚିତ୍‌କୁ ଛାଡ଼ି ଦେଲେ କେଉଁ ଆମ୍ବଗଛରେ ଖଣ୍ଡିଏ ବି ବଉଳ ଉତ୍ତୁରି ନାହିଁ । ଆମ୍ବ ଗଛରେ ବି ସତେଜତା ଦେଖାଯାଉନି । ସତେ ଯେମିତି ଫୋନି ବାତ୍ୟାର ପ୍ରବଳ ମାଡ଼ରୁ କୌଣସି ମତେ ବଞ୍ଚି ଯାଇଥିବା ଆମ୍ବ ଗଛ ଗୁଡ଼ିକ ପ୍ରାଣରେ ଖାଦ୍ୟ ଉପୁଜାଇବା ଶକ୍ତି ନାହିଁ ।
ଫନି ବାତ୍ୟା ଉପକୂଳବର୍ତ୍ତୀ ଓଡ଼ିଶାର ପରିବେଶକୁ ଦୋହଲାଇ ଦେଇଛି । ମେ ମାସରେ ଏହି ମହାବାତ୍ୟା ମାଡ଼ି ଆସିଲା । ସେତେବେଳକୁ ଆମ୍ବଗଛରେ ଛନଛନିଆ ପତ୍ର ସହିତ ଫଳ ଭର୍ତ୍ତି ହୋଇଥିଲା । ୨୦୦ କିମି ବେଗର ପବନ ମାଡ଼ରେ ବହୁ ଆମ୍ବ ଗଛ ଧରାଶାୟୀ ହେଲେ । ଯାହା କିଛି ବଞ୍ଚିଗଲେ ସେମାନଙ୍କ ଡାଳରେ ଗୋଟିଏ ବି ପତ୍ରଫଳ ରହିଲା ନାହିଁ । ମୂଳ ବି ଦୋହଲି ଗଲା । ପରେ ଗଛରେ ପତ୍ର କଅଁଳିଲା ସତ, କିନ୍ତୁ ପତ୍ର ଗୁଡ଼ିକ ରୁଗ୍‌ଣ ଦେଖା ଯାଉଥିଲା । ପତ୍ର କିଛି ପରିମାଣରେ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଜୁନ୍‌ ମାସରେ ପୁଣି କିଛି ପରିମାଣରେ ବଉଳ ଫୁଟିବାକୁ ଲାଗିଲା । ସେଥିରେ ଆମ୍ବ କଷି ବି ଧରିଲା । ହେଲେ କଷି ଗୁଡ଼ିକ ଅଳ୍ପ ଦିନରେ ପାଚିଲା ହୋଇ ଡେମ୍ଫରୁ ଛିଡ଼ି ପଡ଼ିଲା । ଇତିମଧ୍ୟରେ ୭ ମାସ ବିତିଗଲାଣି । ଆମ୍ବ ଗଛ ଗୁଡ଼ିକ ସେମିତି ନିର୍ବଳୁଆ ହୋଇ ଠିଆ ହୋଇଛନ୍ତି । ଋତୁ ପରିବର୍ତ୍ତନ ମୁତାବକ ପୌଷ ମାସ ଅମାବାସ୍ୟାରେ ଆମ୍ବ ଗଛ ଗୁଡ଼ିକରେ କଷି ବଉଳ ଆସିଯିବା କଥା । ହେଲେ ଚଳିତ ବର୍ଷ ବଉଳ ପାଲଟିଛି ସାତସପନ । ପର୍ବରେ ଲାଗି କରିବା ପାଇଁ ବଉଳ ଦୁର୍ଷ୍ପାପ୍ୟ ଜିନିଷ ପାଲଟିଛି ।


ଖାଲି ସେତିକି ନୁହେଁ ଚଳିତ ବର୍ଷ ଶୀତ ଋତୁରେ ପାଗ ମଧ୍ୟ ଅଲଗା ରକମର । ବାୟୁମଣ୍ଡଳରେ ଜଳୀୟ ବାଷ୍ପ ସଂଖ୍ୟାର ଅହେତୁକ ବୃଦ୍ଧି ଏବଂ ଓଲଟା ପବନ ଯୋଗୁ ଶୀତ ସେତେଟା ହେଉନି । ସାଧାରଣତଃ ବଉଳ ଅମାବାସ୍ୟା ବେଳେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହୋଇଥାଏ । ଚଳିତ ବର୍ଷ ପାଗର ଏଭଳି ଅବସ୍ଥା ମଧ୍ୟ ଗଛର ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଫଳରେ ଆମ୍ବ ଗଛରେ ବଉଳ ଆସୁନି ବୋଲି କହିଛନ୍ତି ପରିବେଶବିତ ଜୟନ୍ତୀ ଦେବୀ । ଅନୁରୂପ ଭାବେ ଓଡ଼ିଶା ବାୟୋ ଡାଇଭରସିଟି ବୋର୍ଡର ସାଇଣ୍ଟିଷ୍ଟ୍‌ ପ୍ରକାଶ କୁମାର ଦାସ ମଧ୍ୟ ଏଭଳି ଅବସ୍ଥାକୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କହିଛନ୍ତି । ଚଳିତ ବର୍ଷ ଶୀତଦିନେ ଓଡ଼ିଶାର ପାଗରେ ଯେଉଁ ବ୍ୟତିକ୍ରମ ଦେଖା ଦେଇଛି ତାହାର ପ୍ରତିକୂଳ ପ୍ରଭାବ ବୃକ୍ଷ ଜଗତରେ ଦେଖାଦେଇଛି । ଫୋନି ବାତ୍ୟା ମଧ୍ୟ ବଡ଼ ବଡ଼ ଗଛରେ ଆବଶ୍ୟକ ସଂଖ୍ୟକ ସୁସ୍ଥସବଳ ପତ୍ର ନଥିବାରୁ ଗଛ ଗୁଡ଼ିକର ଖାଦ୍ୟ ପ୍ରସ୍ତୁତ ପ୍ରକ୍ରିୟା ଦୁର୍ବଳ ହୋଇ ଯାଇଛି । ଆମ୍ବ ଗଛ ବି ସମ ଅବସ୍ଥା ଭୋଗୁଛି । ତେଣୁ ଠିକଣା ସମୟରେ ବଉଳ ଫୁଟୁନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.