ଖୁବ୍ ଶୀଘ୍ର ଅନଲାଇନ୍ ଟଙ୍କା ନେଣଦେଣ ପ୍ରକ୍ରିୟା ଆରମ୍ଭ କରିବ ହ୍ବାଟ୍ସଆପ୍ : ମାଗଣାରେ ଏହି ସୁବିଧା ପାଇବେ ଗ୍ରାହକ

Published By : Prameya-News7 Bureau | November 06, 2020 IST

ନୂଆଦିଲ୍ଲୀ ୦୬/୧୧ : ଖୁବଶୀଘ୍ର ହ୍ବାଟ୍ସଆପ ଆରମ୍ଭ କରିବାକୁ ଯାଉଛି ଅନଲାଇନ ଟଙ୍କା ନେଣଦେଣ ବ୍ୟବସ୍ଥା । ହ୍ବାଟ୍ସଆପ ମାଧ୍ୟମରେ ଅନଲାଇନ କାରବାର ତଥା ଟଙ୍କା ନେଣଦେଣ ପାଇଁ ଆବେଦନ କରାଯାଇଥିଲା । ତେବେ ମଙ୍ଗଳବାର ଏନପିସିଆଇ ପକ୍ଷରୁ ହ୍ବାଟ୍ସଆପକୁ ଗ୍ରୀନ ସିଗନାଲ ମିଳିବା ସହ ୟୁ.ପି.ଆଇ. ମାଧ୍ୟମରେ ଟଙ୍କା କାରବାରକୁ ଅନୁମତି ମିଳିଛି । ତେବେ ଏହାରି ମଧ୍ୟରେ ଆଉ ଏକ ବଡ ଘୋଷଣା କରିଛନ୍ତି ହ୍ବାଟ୍ସଆପ ଏବଂ ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ । ହ୍ବାଟ୍ସଆପ ମାଧ୍ୟମରେ ଅନଲାଇନ କାରବାର କଲେ ଗ୍ରାହକଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । ଅର୍ଥାତ ସମ୍ପୂର୍ଣ୍ଣ ମାଗଣାରେ ଗ୍ରାହକମାନେ ଅନେକ ଗୁଡିଏ ସୁବିଧା ପାଇପାରିବେ ।

ଏକ ଭିଡିଓ ଜାରି କରି ଜୁକରବର୍ଗ କହିଛନ୍ତି ପ୍ରାୟ ୧୪୦ଟି ବ୍ୟାଙ୍କ ସହିତ ବୁଝାମଣା କରି ଏହି ପ୍ରକ୍ରିୟାକୁ ଆରମ୍ଭ କରିବାକୁ ଯାଉଛି ହ୍ବାଟ୍ସଆପ । ଆପଣ ବର୍ତ୍ତମାନ ଆପଣଙ୍କ ବନ୍ଧୁ ପରିଜନଙ୍କୁ ବହୁତ ସହଜ ଓ ବିନା କୌଣସି ଦେୟରେ ଟଙ୍କା ପଠାଇ ପାରିବେ । ଟଙ୍କା ନେଣଦେଣ ତା ସହିତ ସମ୍ପୂର୍ଣ୍ଣ ବିବରଣୀ ଭାରତର ୧୦ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବା ସହ ଟଙ୍କା କାରବାରର ସମ୍ପୂର୍ଣ୍ଣ ତଥ୍ୟ ଗୋପନୀୟ ରହିବ । ତେବେ ଆପଣ ଏହାକୁ କିପରି ବ୍ୟବହାର କରିବେ ? ଜୁକରବର୍ଗଙ୍କ କହିବା ଅନୁଯାୟୀ ଆପଣଙ୍କ ପାଖରେ ଯଦି ଡେବିଟ କାର୍ଡ ଅଛି ତେବେ ୟୁପିଆଇ ମାଧ୍ୟମରେ ଏହାକୁ ବ୍ୟବହାର କରିହେବ ।  ହ୍ବାଟ୍ସଆପର ନୂଆ ଭର୍ସନରେ ଏହି ଅନଲାଇନ ଟଙ୍କା ନେଣଦେଣ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ।

ତେବେ ଗ୍ରାହକମାନଙ୍କ ସହଜ ଏବଂ ସୁରକ୍ଷିତ ଟଙ୍କା କାରବାରକୁ ଆଖି ଆଗରେ ରଖି ଏନପିସିଆଇ ସହିତ ବ୍ୟକ୍ତିଗତ ମୁଚାଲିକା କରି ୟୁପିଆଇ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସୂଚନା ଦିଆଯାଇଛି । ତେବେ ଭାରତ ଭଳି ଦେଶ ଏହା ଦ୍ବାରା ଲାଭବାନ ହେବା ସହିତ ବ୍ୟବସାୟିକ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମାର୍କ ଜୁକରବର୍ଗ କହିଛନ୍ତି । ତେବେ ଏହି ପ୍ରକ୍ରିୟାରେ ଅତି ବେଶିରେ ୨୦ ମିଲିୟନ ପର୍ଯ୍ୟନ୍ତ ଗ୍ରାହକ ସାମିଲ ହୋଇପାରିବେ ବୋଲି ଏନପିସିଆଇ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.