କରୋନା ଚାର୍ଜ ହଟିବ, ଶସ୍ତା ହେବ ମଦ

Published By : Prameya-News7 Bureau | May 21, 2020 IST

ନୂଆଜିଲ୍ଲୀ, ୨୧|୦୫: ନୂଆଦିଲ୍ଲୀରେ ଶସ୍ତା ହେବ ମଦ । କମ ଟଙ୍କାରେ ମିଳିବ । କାରଣ ଦିଲ୍ଲୀରେ ଶାସନାଧିନ ଅରବିନ୍ଦ କେଜ୍ରିଓ୍ୱାଲ ସରକାର ୭୦ ପ୍ରତିଶ କରୋନା ସେସ୍ ନିଷ୍ପତ୍ତି ଫେରସ୍ତ ନେଇଛନ୍ତି । ସରକାରଙ୍କ କହିବାନୁସାରେ ଉତ୍ତର ପ୍ରଦେଶ-ହରିୟାଣା ସୀମା ଖୋଲିବା ପରେ ଚୋରା ମଦ କାରବାର ବୃଦ୍ଧି ପାଇଛି । ତେଣୁ ଏପରି କିଛି ନିଷ୍ପତ୍ତି ନେଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ନେତୃତ୍ୱାଧୀନ ଦିଲ୍ଲୀର ଆପ୍ ସରକାର । ତେବେ ସୂଚନାନୁଯାୟୀ ଏନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

ଲକଡାଉନ୍ ୩.୦ ଆରମ୍ଭ ହେବା ପରେ ଦିଲ୍ଲୀରେ ମଦ ବିକ୍ରି ଆରମ୍ଭ ହୋଇଥିଲା । ମେ ୪ ବେଳକୁ ମଦ ଦୋକାନରେ ଅସମ୍ଭାଳ ଭୀଡ ପରିଲକ୍ଷିତ ହୋଇଥିଲା । ଏପରିକି ଗ୍ରାହକ ସାମାଜିକ ଦୂରତାକୁ ଖାତିର କରିନଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।

ଏହାପରେ କେଜ୍ରିଓ୍ୱାଲ ସରକାର ବିଳମ୍ବିତ ରାତ୍ରରେ ମେ ୫ରୁ ମଦ ଉପରେ ୭୦ ପ୍ରତିଶତ କରୋନା ଟିକସ ଲଗାଇଥିଲେ । ମଦ ଉପରେ କରୋନା ଟିକସ ଲାଗୁ ହେବା ପରେ ମଧ୍ୟ ଦୋକାନ ସାମ୍ନାରେ ଭୀଡ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ହରିୟାଣା ସରକାର ମଧ୍ୟ ମଦ ଉପରେ କୋଭିଡ-୧୯ ସେସ୍ ଲଗାଇ ଲୋକଙ୍କୁ ଝଟକା ଦେଇଥିଲେ ।

ଅନ୍ୟପକ୍ଷରେ ନକଲି ମଦ କାରବାରକୁ ରୋକିବା ତଥା ମଦ ମୃତ୍ୟୁ ଆଶଙ୍କାକୁ ଏଡ଼ାଇବା ପାଇଁ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ଦିଗରେ ପଦକ୍ଷେପ ନେବାକୁ ନିକଟରେ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଦିଲ୍ଲୀ, କର୍ଣ୍ଣାଟକ ଆଦି ଅନେକ ରାଜ୍ୟରେ ଅନ୍‌ଲାଇନ୍‌ ଜରିଆରେ ମଦର ହୋମ୍‌ ଡେଲିଭରି ହେଉଛି । ଅନ୍ୟପକ୍ଷରେ ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ରାଜ୍ୟରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବା ଦ୍ୱାରା ସରକାରଙ୍କର ବିପୁଳ ରାଜସ୍ୱହାନି ହେଉଛି । ରାଜସ୍ୱ ଭରଣା ଓ ଲକ୍‌ଡାଉନ୍‌ ସମୟରେ ମଦ ଦୋକାନରେ ଗହଳି ଆଦି ସମସ୍ୟାକୁ ଦୃଷ୍ଟିରେ ରଖି ହଠାତ୍‌ ମଦ ଦୋକାନଗୁଡ଼ିକୁ ନଖୋଲି ଅନ୍‌ଲାଇନ୍‌ ଜରିଆରେ ମଦ କାରବାର ପାଇଁ ରାଜ୍ୟ ସରକାର ଏବେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଜିଲ୍ଲା ଅବକାରୀ ଅଧୀକ୍ଷକମାନଙ୍କଠାରୁ ମତାମତ ମଧ୍ୟ ନିଆଯାଇଥିବା ସୂଚନା ମିଳିଛି ।

ଓଡିଶାରେ ଅନ୍‌ଲାଇନ୍‌ରେ ମଦ ହୋମ୍‌ ଡେଲିଭରି ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତି ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ଶୀଘ୍ର ଏ ସମ୍ପର୍କରେ ସରକାର ଏକ ନିର୍ଦ୍ଦେଶନାମା ଜାରି କରିପାରନ୍ତି ବୋଲି ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.