ଜାମ୍ମୁ ବାୟୁସେନା ଷ୍ଟେସନରେ ଆକ୍ରମଣ ପରେ ଶ୍ରୀନଗରରେ ଡ୍ରୋନ୍ ଉପରେ ଲାଗିଲା ପ୍ରତିବନ୍ଧକ

Published By : Prameya-News7 Bureau | July 04, 2021 IST

ଶ୍ରୀନଗର ୦୪/୦୭ : ଜାମ୍ମୁ କାଶ୍ମୀର କାଠୁଆ, ରଜୌରି ପରେ ଶ୍ରୀନଗରରେ ମଧ୍ୟ ପ୍ରଶାସନ ଡ୍ରୋନ ଓ ଉଡୁଥିବା ଅନ୍ୟ ବସ୍ତୁ ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରବିବାର ଦିନ ଜାରି କରାଯାଇଥିବା ଅଫିସିଆଲ ବୟାନରେ କୁହାଯାଇଛି ଯେ ନିକଟରେ ଜାମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଡ୍ରୋନ ହମଲା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀନଗରରେ ଉଡୁଥିବା ବସ୍ତୁ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଆଦେଶ ଅନୁଯାୟୀ, କୌଣସି ପ୍ରକାର ଡ୍ରୋନ କିମ୍ବା ଅନ୍ୟ ଅନମେଡ ଏରିଏଲ ହ୍ୱିକଲ (UAVs) ରଖିବା ପ୍ରତିବନ୍ଧିତ ହେବ। ପ୍ରଶାସନ କହିଛି ଯେ ଯାହା ପାଖରେ ଏହିଭଳି ଡିଭାଇସ ଅଛି ତାକୁ ନିକଟସ୍ଥ ଥାନାରେ ଜମା କରିଦିଅନ୍ତୁ। ଶ୍ରୀନଗର ଜିଲ୍ଲା ଅଧିକାରୀ ମହମ୍ମଦ ଏଜାଜ ନିଜ ଆଦେଶରେ କହିଛନ୍ତି ଯେ ଏସଏସପିଙ୍କ ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ଡ୍ରୋନ କିମ୍ବା UAVs ରଖିବା, ବିକ୍ରି କରିବା, ଜମା କରିବା, ବ୍ୟବହାର କରିବା କିମ୍ବା ଟ୍ରାନ୍ସପୋର୍ଟ କରିବା ପ୍ରତିବନ୍ଧିତ। ଯେଉଁ ସରକାରୀ ବିଭାଗ ଡ୍ରୋନ ବ୍ୟବହାର କରନ୍ତି, ସେମାନଙ୍କୁ ବ୍ୟବହାର ପୂର୍ବରୁ ସ୍ଥାନୀୟ ଥାନାରେ ସୂଚନା ଦେବାକୁ ହେବ।

ଏହା ପୂର୍ବରୁ କାଠୁଆ ଜିଲ୍ଲା ଅଧିକାରୀ ରାହୁଲ ଯାଦବଙ୍କ ତରଫରୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଥିଲା ଯେ 'ସାମାଜିକ ଓ ସାଂସ୍କୃତିକ ସମାରୋହରେ ଫଟୋ ଉଠାଇବା ଓ ଭିଡିଓ ସୁଟିଂ ପାଇଁ ଡ୍ରୋନ କ୍ୟାମେରା ବହୁଳ ଭାବେ ବ୍ୟବହାର କରାଯାଉଛି। ରାଷ୍ଟ୍ର ବିରୋଧୀ ତତ୍ତ୍ୱ ଜାମ୍ମୁ କାଶ୍ମୀରର କିଛି ସ୍ଥାନରେ ମାନବ ଜୀବନକୁ କ୍ଷତି ପହଞ୍ଚାଇବା, ବିପଦ ସୃଷ୍ଟି କରିବାକୁ ଡ୍ରୋନ ଭଳି ବସ୍ତୁ ବ୍ୟବହାର କରିପାରନ୍ତି। ସେଥିପାଇଁ କାଠୁଆରେ ଏହିଭଳି ବସ୍ତୁ ଉପରେ ପ୍ରତିବନ୍ଧକ ଲଗାଯାଇଛି।'

ଜାମ୍ମୁରେ ହୋଇଥିବା ଡ୍ରୋନ ହମଲା ପରେ ଯାଞ୍ଚ ଦାୟିତ୍ୱରେ ଥିବା ଏନଆଇଏ ଅଧିକାରୀ ଗୁରୁବାର ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଅଫିସିଆଲ ତରିକାରେ ଯାଞ୍ଚ ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.