ଖାଲି ପଦବୀ ତୁରନ୍ତ ପୂରଣ କର, ନହେଲେ ଆଗାମୀ ଦିନ ରାଜରାସ୍ତାକୁ ଓହ୍ଲାଇବେ ଅଞ୍ଚଳବାସୀ

Published By : Prameya-News7 Bureau | September 08, 2020 IST

ଅନୁଗୁଳ ୦୮।୦୯: ଛେଣ୍ଡିପଦା ଡ଼ାକ୍ତରଖାନାର ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗରେ ଡାକ୍ତର ଅଭାବକୁ ନେଇ ଜନ ଅସନ୍ତୋଷ । ମେଡିକାଲର ବିଭିନ୍ନ ବିଭାଗରେ ୧୧ଟି ଡାକ୍ତରୀ ପଦ ଖାଲି ରହିଛି । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଛି ଯୁବମଞ୍ଚ ।

ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ଡାକ୍ତରଙ୍କୁ କିଛି ଦିନ ତଳେ ବଦଳି କରାଯାଇଥିଲା । କିନ୍ତୁ ଏହାପରେ ଆଉ ସେ ପଦବୀକୁ ପୂରଣ କରାଯାଇନଥିଲା । ଯହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଛେଣ୍ଡିପଦା ଯୁବମଞ୍ଚ ପକ୍ଷରୁ ତୁରନ୍ତ ପଦବୀ ପୂରଣ ନିମନ୍ତେ ଏକ ଦାବିପତ୍ର ଅନୁଗୁଳ ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କୁ ଦିଆଯାଇଛି। ଗତ ୨୬ ତାରିଖରୁ ଡାକ୍ତରଖାନାରୁ ସ୍ତ୍ରୀ ରୋଗ ଡାକ୍ତରଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ବଦଳି କରାଯାଇଛି । କିନ୍ତୁ ସେଠାରୁ ସ୍ତ୍ରୀ ରୋଗ ଡାକ୍ତର ଛେଣ୍ଡିପଦା ଡାକ୍ତରଖାନାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆସି ନାହାନ୍ତି । ଯାହାଫଳରେ ପ୍ରତିଦିନ ଅନେକ ପ୍ରସ୍ତୁତି ମହିଳା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଏହି ଡାକ୍ତରଖାନା ଉପରେ ଛେଣ୍ଡିପଦା ବ୍ଲକର ସମସ୍ତ ପଞ୍ଚାୟତ , ଦେବଗଡ଼ ଏବଂ ରିଆମାଳର ଅନେକ ମହିଳା ନିର୍ଭର କରିଥାନ୍ତି । ଖାଲି ସେତିକି ନୁହେଁ ଏଠି ବିଭିନ୍ନ ବିଭାଗରେ ୧୧ ଜଣ ଡାକ୍ତର ପଦବୀ ଖାଲି ରହିଛି। ତେଣୁ ତୁରନ୍ତ ଡାକ୍ତର ନିଯୁକ୍ତି ନ ହେଲେ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.