ଚାରି ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ଯାଇନି ଜଣଙ୍କ ବି ପ୍ରାଣ, ଜାତୀୟ ମୃତ୍ୟୁହାର ବି କମୁଛି

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୦୯।୦୫: ଦେଶରେ କରୋନାର ଦ୍ଵିତୀୟ  ଲହରର ପ୍ରକୋପ ଚରମରେ ରହିଛି। ଗତ ୨୪ ଘଣ୍ଟାରେ ୪,୦୩, ୭୩୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ କେବଳ ୧୦  ରାଜ୍ୟରୁ ସର୍ବାଧିକ ୭୧.୭୫ ପ୍ରତିଶତ କେସ୍ ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ସର୍ବାଧିକ ୫୬, ୫୭୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କର୍ଣ୍ଣାଟକରେ ୪୭,୫୬୩ ଏବଂ କେରଳରେ ୪୧, ୯୭୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶରେ ମୋଟ୍ ୩୦.୨୨ କୋଟି ନମୂନା ଯାଞ୍ଚ କରାଯାଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଜାତୀୟ ମୃତ୍ୟୁହାରରେ ହ୍ରାସ ଘଟିଛି।

ଦେଶରେ ମୋଟ୍ ରୋଗୀଙ୍କ ସଂଖ୍ୟା ୩୭,୩୬, ୬୪୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୧୩, ୨୦୨ ହ୍ରାସ ଘଟିଥିବା ବେଳେ ୪,୦୯୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥି ମଧ୍ୟରୁ ୭୪.୯୩ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ୧୦ ରାଜ୍ୟରୁ ଆସିଛି। ମହାରାଷ୍ଟ୍ରରେ ସର୍ବାଧିକ ୮୬୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। କର୍ଣ୍ଣାଟକରେ ୪୮୨ ରୋଗୀଙ୍କ ପ୍ରାଣହାନୀ ଘଟିଛି। ଦେଶରେ ସଂପ୍ରତି ଜାତୀୟ ମୃତ୍ୟୁହାର ୧.୦୯ ପ୍ରତିଶତ ରହିଛି।  ଆଶ୍ଵସ୍ତିକର ଖବର, ଚାରି ରାଜ୍ୟ ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ଲାକ୍ଷାଦ୍ଵୀପରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ଜଣେ ହେଲେ ରୋଗୀଙ୍କ ମୃତ୍ୟୁ ଘଟିନି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରତି ୧୦  ଲକ୍ଷ ଜନସଂଖ୍ୟାରେ ୧୭୬ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଏହି ହିସାବରେ ୨୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ମୃତ୍ୟୁହାର ଜାତୀୟ ହାରଠୁ କମ୍ ରହିଥିବା ବେଳେ ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଜାତୀୟ ହାରଠୁ ଅଧିକ ରହିଛି। ଦେଶରେ ଏ ପର୍ଯ୍ୟନ୍ତ ୧୬.୯୪ କୋଟି ଲୋକଙ୍କ କରୋନା ଟିକାକରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.