ରାଜ୍ୟ ପାଇଁ ଖୁସି ଖବର : ୨୪ଘଣ୍ଟାରେ କେହି ବି କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇନାହାନ୍ତି
6/01/2021 at 11:02 AM

ଭୁବନେଶ୍ବର ୬।୧: କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରଙ୍କୁ ଆଉ ଏକ ସଫଳତା । ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ପାଇଁ ଏକ ଖୁସି ଖବର ରହିଛି । ୨୪ ଘଣ୍ଟା ମଧ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି ।
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଟ୍ବିଟ୍ରେ ଉଲ୍ଲେଖ ରହିଛି ଯେ, ‘ଖୁସି ଖବର, ଦୀର୍ଘ ୬ମାସ ପରେ ପ୍ରଥମ ଥର ଜାନୁଆରୀ ୫ ତାରିଖରେ ରାଜ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । କୋଭିଡ୍ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପରସେବା ଦ୍ବାରା ଏହା ସମ୍ଭବ ହୋଇପାରିଛି । ସେହି କୋଭିଡ୍ ଯୋଦ୍ଧାମାନଙ୍କୁ ସାଲ୍ୟୁଟ୍ ।’
Happy to share that after over six months, there are no Covid deaths reported in the State on 5th January 2021. We salute our Covid Warriors whose tireless efforts have made this possible.
— H & FW Dept Odisha (@HFWOdisha) January 6, 2021
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୯୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୨୦୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୨୬୭୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮୮୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୭୦୬୫୦୭୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।