କୋଭାକ୍ସିନକୁ ଜରୁରୀକାଳିନ ବ୍ୟବହାର ପାଇଁ ମନା କଲା ଆମେରିକା, ବାୟୋଲୋଜିକାଲ ଲାଇସେନ୍ସ ପଦ୍ଧତିରେ ଆବେଦନ ପାଇଁ ଦେଲା ପରାମର୍ଶ

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ,୧୨/୦୬:  ଭାରତୀୟ ଭାକସିନ୍ ନିର୍ମାତା ଭାରତ ବାୟୋଟେକକୁ ଆମେରିକାରେ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ । ଆମେରିକା ଏବେ କୋଭାକ୍ସିନର ଜରୁରୀକାଳିନ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛି । ୟୁଏସ୍ ଫୁଡ୍ ଓ ଆଡମିନିଷ୍ଟ୍ରେସନ୍ ଅର୍ଥାତ ଏଫଡିଏ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାକୁ ଜରୁରୀକାଳିନ ବ୍ୟବହାର ଆବେଦନକୁ ଖାରଜ କରିଦେଇଛି । ସୂଚନାଯୋଗ୍ୟ, ନିକଟରେ ଭାରତ ବାୟୋଟେକ୍ ବିଭିନ୍ନ ଦସ୍ତାବିଜକୁ ଏଫଡିଏ ନିକଟରୁ ପଠାଇବା ସହ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଥିଲା ।

କୋଭାକ୍ସିନର ଆମେରିକୀୟ ଅଂଶିଦାର ଆକ୍ୟୁଜେନ୍ କହିଛି ଯେ.କମ୍ପାନୀ ଆମେରିକାରେ କୋଭାକ୍ସିନର ବ୍ୟବହାର ପାଇଁ ପୁଣିଥରେ ଆବେଦନ ହେବ । କାରଣ ସରକାର କମ୍ପାନୀକୁ ଅତିରିକ୍ତ ପରୀକ୍ଷଣ ଆରମ୍ଭ କରିବାକୁ କହୁଛନ୍ତି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଙ୍କର ମୁସୁନିରି କହିଛନ୍ତି ଯେ, ଆବେଦନକୁ ମଞ୍ଜୁରୀ ମିଳିବାକୁ ବିଳମ୍ବ ହେଲେ ମଧ୍ୟ କୋଭାକ୍ସିନକୁ ଆମେରିକା ଆଣିବା ପାଇଁ ସେ ପ୍ରତିବଦ୍ଧ ଅଛନ୍ତି ।

ଆକ୍ୟୁଜେନ୍ ଏଫଡିଏ ନିକଟକୁ ସମୀକ୍ଷା ପାଇଁ ପ୍ରୋକ୍ଲିନିକାଲ, ଅଧ୍ୟୟନ, ରସାୟନ, ବିନିର୍ମାଣ ଓ ନିୟନ୍ତ୍ରଣର ଫଳାଫଳର ଫାଇଲ୍ ପଠାଇଥିଲା । ଭାରତ ବାୟୋଟେକ୍ ଏବେସୁଦ୍ଧା ଫେଜ୍ ୩ ଟ୍ରାଏଲରର ତଥ୍ୟ ପ୍ରଦାନ କରିନାହିଁ । ୟାହାକୁ ନେଇ ବିତର୍କ ମଧ୍ୟ ହୋଇଛି । ଏପରିକି ବିବାଦ ମଧ୍ୟ ଦେଖାଦେଇଛି ।

ସୂଚନାଯୋଗ୍ୟ, ଆକ୍ୟୁଜେନ୍ ଆମେରିକାର ଏକ ବାୟୋଫାର୍ମା କମ୍ପାନୀ ଅଟେ । ଯିଏ କି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ସହ କୋଭାକ୍ସିନ୍ ପ୍ରସ୍ତୁତ କରିବା କାମ କରୁଛି । ଆକ୍ୟୁଜେନ୍ ନିକଟରେ କାନାଡାରେ ଭାକସିନ୍ ବିକ୍ରି କରିବାକୁ ସ୍ୱତନ୍ତ୍ର ଅଧିକାର ପ୍ରାପ୍ତ କରିଥିଲା । ଯଦି ଆମେରିକା ଭବିଷ୍ୟତରେ କୋଭାକ୍ସିନର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରେ ତେବେ ଏହା ଭାରତ ପାଇଁ ଏକ ବଡ ଉପଲବ୍ଧି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.