ପୂରା ଦେଶରେ କରୋନା ସଙ୍କଟ : ଏହି ରାଜ୍ୟକୁ ଏବେ ଯାଏଁ ଛୁଇଁ ପାରିନାହିଁ କରୋନା

Published By : Prameya-News7 Bureau | April 16, 2020 IST

ଦୁନିଆର ପାଖାପାଖି ପ୍ରତ୍ୟେକ କୋଣକୁ କରୋନା କବଳିତ କରିସାରିଛି | ଅଳ୍ପ କିଛି ଦେଶ ରହିଛି ଯେଉଁଠାରେ କରୋନା ଏବେ ଯାଏଁ ପହଞ୍ଚି ପାରିନାହିଁ | ଦେଶର ୨୮ ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟରେ ଏବେ ପର୍ଯ୍ୟନ୍ତ କରୋନା ପହଞ୍ଚି ପାରିନାହିଁ | ଶିକ୍କିମ ଠାରୁ କରୋନା ଏପର୍ଯ୍ୟନ୍ତ ଦୁରେଇ ରହିଛି |

ଦୁନିଆର ୨୧୩ ଦେଶରେ କରୋନା ସଂକ୍ରମଣ କବଳିତ କରିସାରିଛି | ଏବେ ମଧ୍ୟ କିଛି ଦେଶରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ | ଏହି ଦେଶଗୁଡିକ ହେଲା ତୁର୍କମେନିସ୍ତାନ, ଉତ୍ତର କୋରିଆ, କୋମୋରୋସ, କିରିବାତି, ଲେସୋଟୋ, ମାର୍ଶାଲ ଆଇଲ୍ୟାଣ୍ଡ, ମାଇକ୍ରୋନେସିଆ, ନୋରୁ | ବିଶେଷଜ୍ଞଙ୍କ କହିବାନୁଯାୟୀ ଏହିସବୁ ଦେଶମାନଙ୍କୁ ଲୋକଙ୍କ ଯାତାୟାତ କମ ହୋଇଥାଏ | ଦୁନିଆ ମାନଚିତ୍ରରେ ଏହି ଦେଶର ଅଂଶ ବହୁତ ଛୋଟ | ଏହି ଦେଶଗୁଡିକର ଜନସଂଖ୍ୟା ମଧ୍ୟ କମ | ସେଥିପାଇଁ ଏଠାରେ କରୋନା ପହଞ୍ଚି ନଥିବା ଆଶଙ୍କା କରାଯାଉଛି | ତେବେ ଏଠାରେ ମଧ୍ୟ ଲୋକେ କରୋନା ସଂକ୍ରମଣର ଶିକାର ହେଲେ ଏହା ଦ୍ରୁତ ଗତିରେ ବଢିପାରେ ବୋଲି ସନ୍ଦେହ କରାଯାଉଛି | ଏବେ ଯାଏଁ ଏହିସବୁ ଦେଶ ସୁରକ୍ଷିତ ଅଛନ୍ତି | ଆଉ କିଛି ଦେଶରେ ୧୦୦ ରୁ ଅଧିକ ସଂକ୍ରମିତ ହୋଇଥିଲେ ସୁଦ୍ଧା ଜଣକର ବି ମୃତ୍ୟୁ ହୋଇନାହିଁ | 

ଦୁନିଆର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | କିନ୍ତୁ ତୁର୍କମେନିସ୍ତାନ ଓ ଉତ୍ତର କୋରିଆରେ ଏବେ ଯାଏଁ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ | ଏହାକୁ ନେଇ ପ୍ରଶ୍ନ ଉଠୁଛି | ତେବେ ଉଭୟ ଦେଶର ସରକାର ସତ ଲୁଚାଉଥିବା କିଛି ବିଶେଷଜ୍ଞ ଆଶଙ୍କା କରୁଛନ୍ତି |

ତୁର୍କମେନିସ୍ତାନରେ ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସାଇକଲ ରାଲି ବାହାର କରାଯାଇଥିଲା | ନିକଟରେ ଉତ୍ତର କୋରିଆ ମିସାଇଲ ପରୀକ୍ଷଣ କରିଥିଲା | ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଶ୍ୱ ସଙ୍କଟ ଦେଇ ଗତି କରୁଥିବାବେଳେ ଏହି ଦୁଇ ଦେଶକୁ କିଛି ଫରକ ପଡୁନି | ବିଶେଷଜ୍ଞମାନେ ଦାବି କରିଛନ୍ତି ତୁର୍କମେନିସ୍ତାନରେ ଏଡ୍ସ ପୀଡିତ କୌଣସି ରୋଗୀ ରହିପାରିବେ ନାହିଁ | କିଛି ଦଶକ ପୂର୍ବରୁ ଏଠାରେ ମଧ୍ୟ ପ୍ଲେଗ ରୋଗ ବ୍ୟାପିଥିଲା କିନ୍ତୁ ଅଧିକାଂଶ ପ୍ରମାଣ ନଷ୍ଟ କରିଦିଆଯାଇଥିବା ଦାବି ହୋଇଥିଲା | ଅପରପକ୍ଷରେ ଉତ୍ତର କୋରିଆରୁ ସଠିକ ସଂଖ୍ୟା ବାହାରିବା ମୁସ୍କିଲ ବୋଲି କୁହାଯାଉଛି |   

ଭାରତର ଶିକ୍କିମକୁ ଛାଡିଦେଲେ ବାକି ସମସ୍ତ ରାଜ୍ୟକୁ କରୋନା ସଂକ୍ରମଣ ବ୍ୟାପି ସାରିଛି | ଯେତେବେଳେ ଦୁନିଆ କରୋନାକୁ ମହାମାରୀ ଘୋଷଣା କରିବାକୁ ବିଚାର କରୁଥିଲା ସେତେବେଳେ ଶିକ୍କିମ ପ୍ରଶାସନ ଜାନୁଆରୀ ୨୭ ତାରିଖରୁ ସମସ୍ତ ପ୍ରବେଶ ପଥରେ ସ୍କ୍ରିନିଙ୍ଗ ବାଧ୍ୟତାମୂଳକ କରିଥିଲେ | ଶିକ୍କିମ ବହୁତ ପୂର୍ବରୁ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ କଡା ପଦକ୍ଷେପ ଗ୍ରହଣ କରିଥିଲା | ଯେଉଁଥିପାଇଁ ଏହି ମହାମାରୀ ରାଜ୍ୟକୁ ପ୍ରବେଶ କରିପାରିନଥିଲା | ପଶ୍ଚିମବଙ୍ଗ ଓ ଆସାମ ପ୍ରୟୋଗଶାଳାକୁ ଶିକ୍କିମରୁ ୭୦ରୁ ଅଧିକ ନମୁନା ପଠା ଯାଇଥିଲା | ସମସ୍ତ ନମୁନା ନେଗେଟିଭ ବାହାରିଥିଲା | ସ୍କ୍ରିନିଙ୍ଗ ସମୟରେ ବିଦେଶ ଯାତ୍ରା କରିଥିବା ବ୍ୟକ୍ତିଙ୍କୁ ସରକାରୀ କ୍ଵାରେଣ୍ଟିନ ସୁବିଧା ପ୍ରଦାନ କରାଯାଇଥିଲା ଏବଂ ସେଲ୍ଫ ଆଇସୋଲେସନ ପାଇଁ ପ୍ରୋତ୍ସାହିତ କରାଯାଇଥିଲା | ଲୋକ ମଧ୍ୟ ସଚେତନତା ଅବଲମ୍ବନ କରିଥିଲେ | 

ମାର୍ଚ୍ଚ ୫ ତାରିଖରେ ଶିକ୍କିମ ସରକାର ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ | ଦେଶବ୍ୟାପୀ ଲକଡାଉନ ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ସ୍କୁଲ କଲେଜ, ଜିମ, ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ବନ୍ଦ କରିଦିଆଯାଇଥିଲା | ଏହାପରେ ସେମାନଙ୍କ ଉପରେ ନଜର ରଖାଯାଇଥିଲା ଯେଉଁମାନେ ଦିଲ୍ଲୀ ଏବଂ ଅନ୍ୟ ସଂକ୍ରମିତ ମହାନଗରୀରୁ ଫେରୁଥିଲେ | ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସେଲ୍ଫ ଆଇସୋଲେଟ କରାଯାଇଥିଲା | ସ୍ୱାସ୍ଥ୍ୟ କର୍ମୀ ପ୍ରତିଦିନ ସେମାନଙ୍କ ଯାଞ୍ଚ କରୁଥିଲେ | ଯାତ୍ରା ଇତିହାସ ଲୁଚାଉଥିବା ଲୋକଙ୍କୁ କାବୁ କରିବା ପାଇଁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା | ଏହିସବୁ ପ୍ରୟାସ ଯୋଗୁଁ ଶିକ୍କିମକୁ କରୋନା ଭଳି ମହାମାରୀ ଛୁଇଁ ପାରିନାହିଁ | ତେବେ ଏହା ନିଶ୍ଚୟ ପ୍ରଶଂସା ଯୋଗ୍ୟ ପଦକ୍ଷେପ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.