ନୂଆଦିଲ୍ଲୀ ୧୧।୦୭: ଦେଶରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି । ସାଧାରଣଲୋକମାନେ ଅପେକ୍ଷ କରି ବସିଛନ୍ତି ଯେ, କେବେ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଟୀକା ବା ଭ୍ୟାକ୍ସିନ ଆସିବ , ଏବଂ ଏଭଳି ମାରାତ୍ମକ ଭାଇରସରୁ ରକ୍ଷା ପାଇବେ । ଦେଶରେ କରୋନା ଭ୍ୟାକ୍ସିନ୍ର ହ୍ୟୁମାନ ଟ୍ରାଏଲ୍ ଉପରେ କାମ ଆରମ୍ଭ ହୋଇସାରିଛି । ଏଭଳି ସମୟରେ ବହୁତ ଜଲ୍ଦି ଭ୍ୟାକ୍ସିନ୍ ଆସିବା ଭଳି ମନେ ହେଉଥିଲା । ଏମିତିକି କେହି କେହି ଅଗଷ୍ଟ ୧୫କୁ କରୋନା ଭ୍ୟାକ୍ସିନ୍ର କିଛି ନୂଆ ତଥ୍ୟ ଓ ବା ଟୀକା ଉପଲବ୍ଧ ନେଇ ଘୋଷଣା କରାଯାଇପାରେ ବୋଲି ଆଶଙ୍କା କରୁଥିଲେ । କିନ୍ତୁ ସମସ୍ତଙ୍କ ଆଶା ଏବେ ଆଶଙ୍କାରେ ରହିଯାଇଛି । ସଂସଦୀୟ ସମିତିକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୧ପୂର୍ବରୁ କରୋନା ଭାଇରସ୍ ବା ଟୀକା ଆସିବା ସମ୍ଭବ ନୁହେଁ ।
୨୦୨୧ ପୂର୍ବରୁ ଆସିପାରିବ ନାହିଁ କରୋନା ଭ୍ୟାକସିନ୍ । ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି ବିଜ୍ଞାନ ଓ ବୈଷୟିକ କୌଶଳ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି। ଏହାପୂର୍ବରୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ-ICMR ଅଗଷ୍ଟ ୧୫ ସୁଦ୍ଧା କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାକୁ ଟାର୍ଗେଟ୍ ରଖିଥିଲା। ଏପରି ଟାର୍ଗେଟ୍ ରଖାଯିବାକୁ ବିଶେଷଜ୍ଞ ମାନେ ସମାଲୋଚନା କରିଥିଲେ। ତେବେ ପରେ ଏନେଇ ICMR ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ, ଭ୍ୟାକସିନ୍ ପ୍ରସ୍ତୁତିରେ କୌଣସି ପ୍ରଶାସନିକ ବାଧା ନ ରହିବା ପାଇଁ ଏପରି ନିର୍ଦ୍ଦେଶ ରହିଥିଲା।
ତେବେ ଗତକାଲି ସଂସଦ ଭବନ ପରିସରରେ ବିଜ୍ଞାନ ଓ ବୈଷୟିକ କୌଶଳ ସଂପର୍କିତ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା। ଏଥିରେ୨୦୨୧ ପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ ପ୍ରସ୍ତୁତ ହେବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ ମାନେ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ସୂଚନା ଦେଇଥିଲେ। ଏହାପରେ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏବେ କରୋନା ଭ୍ୟାକସିନ୍ ଆସିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ସୂଚନା ଦିଆଯାଇଛି। କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ ନେତୃତ୍ବରେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ବୈଠକ ବସିଥିଲା। .