ଉହାନରେ ସୁସ୍ଥ ହେଲେ ସମସ୍ତ କରୋନା ସଂକ୍ରମିତ, ହସ୍ପିଟାଲରେ ନାହାଁନ୍ତି କୌଣସି ଆକ୍ରାନ୍ତ
26/04/2020 at 7:17 PM

ବେଜିଂ, ୨୬|୦୪: ଚୀନର ଉହାନ ସହରରେ ରବିବାର ପ୍ରଥମ ଥର ପାଇଁ କୌଣସି କରୋନା ଭାଇରସ ସଂକ୍ରମିତଙ୍କ ମାମଲା ଆସିନାହିଁ । ଏଠାରେ ହସ୍ପିଟାଲରେ ମଧ୍ୟ ସଂକ୍ରମିତ ଆଉ ନାହାଁନ୍ତି । ଏଠାରେ ୭୬ ଦିନ ପାଇଁ ଲକଡାଉନ୍ ଲାଗୁ ହୋଇଥିଲା । ଯାହା ଏପ୍ରିଲ ୮ ତାରିଖରେ ଶେଷ ହୋଇଥିଲା ।
ଚୀନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗର ପ୍ରବକ୍ତା ମୀ ପେଙ୍ଗ୍ କହିଛନ୍ତି ଯେ, ଉହାନ ଡାକ୍ତରଙ୍କ ପ୍ରୟାସ ପାଇଁ କରୋନା ଭାଇରସ ସହ ମୁକାବିଲା ସଫଳ ହୋଇଛି ।ଉହାନ ସହରର ଶେଷ ସଂକ୍ରମିତ ଶୁକ୍ରବାର ସୁସ୍ଥ ହୋଇଥିଲେ ।ଫଳରେ ଏବେ ଏଠାରେ ଆଉ କେହି ଆକ୍ରାନ୍ତ ନାହାଁନ୍ତି ।

ଉହାନ ହେଉଛି ହୁବେଇର ରାଜଧାନୀ । ଏଠାକାର ସ୍ବାସ୍ଥ୍ୟ ଆୟୋଗ କହିଛନ୍ତି ଯେ, ଶନିବାର କରୋନା ଭାଇରସ ପାଇଁ ଏଠାରେ କେହି ପ୍ରାଣ ହରାଇ ନାହାଁନ୍ତି । ନୂଆ ସଂକ୍ରମିତ ମଧ୍ୟ ଆସିନାହାଁନ୍ତି ।୧୧ଜଣଙ୍କୁ ଉହାନ ହସ୍ପିଟାଲୁ ସୁସ୍ଥ ହେବା ପରେ ଘରକୁ ପଠାଇ ଦିଆଯାଇଛି ।
ହୁବେଇରେ ଏବେସୁଦ୍ଧା ୬୮,୧୨୮ଟି ମାମଲା ସାମ୍ନାକୁ ଆସିଥିଲା । କେବଳ ଉହାନରେ ୫୦,୩୩୩ଟି ମାମଲା ଆସିଥିଲା । ଜାନୁଆରୀରେ ଏଠାରେ କରୋନା ଭାଇରସ ତାଣ୍ଡବ ରଚିଥିଲା ।