ଭାରତରେ କମ୍ୟୁନିଟୀ ଟ୍ରାନ୍ସମିଶନର ବିପଦ ନାହିଁ, ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
10/04/2020 at 4:04 PM

ନୂଆଦିଲ୍ଲୀ, ୧୦|୦୪: ଭାରତରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଏହା କମ୍ୟୁନିଟୀ ଟ୍ରାନ୍ସମିଶନ ବା ଗୋଷ୍ଠୀ ସଂକ୍ରମଣର ଆଡେ ଗତି କରୁଛି ବୋଲି ମଧ୍ୟ କୁହାଯାଉଛି । ତେବେ ଭାରତରେ ଏହି ଭୟ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍ପଷ୍ଟ କରିଛି। ସଙ୍ଗଠନ ପୂର୍ବରୁ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲା, ସେଥିରେ ସାମାନ୍ୟ ଭୁଲ ଥିଲା ଓ ଦେଶରେ କମ୍ୟୁନିଟୀ ଟ୍ରାନ୍ସମିଶନର ଆଶଙ୍କା ରହିଥିବା ଦର୍ଶାଯାଇଥିଲା । ଏବେ କିନ୍ତୁ ଏପରି କିଛି ଆଶଙ୍କା ନଥିବା ସଙ୍ଗଠନ ସ୍ପଷ୍ଟ ଭାବେ କହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ଭାରତର କିଛି ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହାକୁ କ୍ଲଷ୍ଟର କେସ୍ କୁହାଯାଏ । ରିପୋର୍ଟରେ ଭୁଲରେ କମ୍ୟୁନିଟୀ ଟ୍ରାନ୍ସମିଶନ ବାବଦରେ କୁହାଯାଇଥିଲା । ଯେଉଁଥିରେ ଭାରତରେ କରୋନା ଭାଇରସକୁ ନେଇ ଭୟ ସୃଷ୍ଟି ହୋଇଥିଲା । ଏହାପରେ ସରକାର ଏହି ରିପୋର୍ଟକୁ ବିରୋଧ କରିବା ସହ ଦେଶ ତୃତୀୟ ପର୍ଯ୍ୟାୟରେ ପହଁଚି ନଥିବା କହିଥିଲେ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଭାରତରେ କରୋନା ଭାଇରସର ୬୪୧୨ଟି ମାମଲା ରହିଛି । ୧୯୯ଜଣ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ୩୩ଜଣ ପ୍ରାଣ ହରାଇଛନ୍ତି । ୨୧ ଦିନିଆ ଲକଡାଉନ ପାଇଁ ଏହି ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଧନ କହିଥିଲେ ଯେ, ଦେଶରେ ପ୍ରାୟ ୬୦୦ ଜିଲ୍ଲାରୁ ୪୦୦ଟି ଜିଲ୍ଲାରେ କରୋନା ପହଁଚି ନାହିଁ । ତେଣୁ କମ୍ୟୁନିଟୀ ଟ୍ରାନ୍ସମିଶନର ବିପଦ ନାହିଁ । ୧୩୩ଟି ଜିଲ୍ଲାକୁ ହଟସ୍ପଟ୍ କରାଯାଇଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି ବୋଲି ସେ କହିଥିଲେ ।