ଝୁମିଲେ , ନାଚିଲେ ମଦ ପିଇ ମାତାଲ ହେଲେ : ରାଜଧାନୀର ଡ୍ୟାନ୍ସ ବାର୍‌କୁ ଲାଗୁନି ଲକ୍‌ଡାଉନ୍‌ ବ୍ରେକ୍

Published By : Prameya-News7 Bureau | June 22, 2020 IST

ଭୁବନେଶ୍ୱର ୨୨।୦୬: ଚାରିଆଡେ କରୋନା ନେଇ ଲକ୍‌ଡାଉନ୍‌ ଜାରି ହୋଇଛି । କିନ୍ତୁ କିଛି ସ୍ଥାନରେ ଏହି ନିୟମକୁ ଉଲ୍ଲଂଘନ କରୁଥିବାର ନଜର ଆସିଛି । ହାତରେ ଧରିଛନ୍ତି ମଦ ଗ୍ଲାସ୍‌ । ପଛଆଡୁ ଶୁଭୁଛି ବଲିଉଡର ପ୍ରସିଦ୍ଧ ଗୀତ ‘ନାଗିନ୍‌’ ମ୍ୟୁଜିକ୍‌ । ମଦ ପିଇବା ସାଙ୍ଗକୁ କିଛି ଯୁବକ ମତୁଆଲା ନାଚରେ ମସଗୁଲ ଅଛନ୍ତି । ଲକ୍‌ଡାଉନ୍‌ ବେଳେ ରାଜଧାନୀରୁ ଏମିତି କିଛି ସାଙ୍ଗାତିକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହାର ଏକାଧିକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଡ୍ୟାନ୍ସ ବାର୍‌ର ହବ୍‌ ବୋଲାଉଥିବା କଟକ ରୋଡ଼ର ଏକ ବାରରେ ଗତ କିଛି ଦିନ ତଳେ ଏମିତି ଘଟିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଲକ୍‌ଡାଉନ୍‌ ନିୟମ ଲଂଘି କିଛି ପ୍ରତିଷ୍ଠିତ ବ୍ୟବସାୟୀ ଓ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକେ ଏମିତି ନୃତ୍ୟ କରୁଛନ୍ତି ।  

ସାମାଜିକ ଦୂରତା ବଜାୟ ରଖିବା ଲକ୍ଷ୍ୟରେ ରାଜଧାନୀର ସମସ୍ତ ଡ୍ୟାନ୍ସ ବାର୍‌ରେ ତାଲା ଝୁଲିଛି । ବାର୍‌ରେ ବସି ମଦ ପିଇବାରେ ରୋକ୍‌ ଲଗାଯାଇଛି । କେବଳ ଅନ୍‌ଲାଇନ୍‌ରେ ମଦ ହୋମ୍‌ ଡେଲିଭରି ପାଇଁ ଅନୁମତି ମିଳିଛି । ଏପରିସ୍ଥଳରେ କଟକ ରୋଡ ଲକ୍ଷ୍ମୀସାଗରରେ ଥିବା ଏକ ଡ୍ୟାନ୍ସ ବାରରେ ଏମିତି ଘଟଣା ସାମ୍ନା ଆସିଛି । ଭାଇରାଲ୍‌ ହୋଇଥିବା ଭିଡିଓରେ କିଛି ଯୁବକ ଡ୍ୟାନ୍ସ ଫ୍ଲୋରରେ ମତୁଆଲା ଅବସ୍ଥାରେ ନାଚୁଛନ୍ତି । ଏପରିକି ଯୁବକମାନେ ନିଶାସକ୍ତ ଅବସ୍ଥାରେ ସାର୍ଟ ଖୋଲି ବଡ ପାଟିରେ ଚିତ୍କାର କରୁଛନ୍ତି । ସାମାଜିକ ଦୂରତା ନିୟମକୁ ଏମାନେ ଦଳିମକଚି ଦେଇଥିବା ଉକ୍ତ ଭିଡିଓରୁ ସ୍ପଷ୍ଟ ବାରି ହୋଇପଡୁଛି ।

ଅଭିଯୋଗ ହେଉଛି, ଉକ୍ତ ବାର୍‌ ମାଲିକଙ୍କଠାରୁ ସମ୍ପୃକ୍ତ ଯୁବକମାନେ ଏକ ପ୍ରାଇଭେଟ ପାର୍ଟି ପାଇଁ ଅନୁମତି ଆଣିଥିଲେ । ଅନୁମତି ପରେ ସେମାନେ ଦିନ ବେଳା ଦୀର୍ଘ ୫ ଘଣ୍ଟା ଧରି ନାଚଗୀତରେ ମସଗୁଲ ରହିଥିଲେ । ସେପଟେ ବାର୍‌ରେ ଏମିତି ନାଚ ଚାଲିଥିବା ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ପାଖେ କୌଣସି ଖବର ନାହିଁ । ଥାନା ଅଧିକାରୀ ଦୟା ନାୟକ କହିଛନ୍ତି, ଏକ ଭିଡିଓ ଭାଇରାଲ ହୋଇଥିବା ନେଇ ଖବର ପାଇଛୁ । ପ୍ରଥମତଃ କେଉଁ ବାର୍‌ରେ ଏହି ଭିଡିଓଟି ରେକର୍ଡିଂ କରାଯାଇଛି, ସେନେଇ ତଦନ୍ତ ଚାଲିଛି । ଦ୍ୱିତୀୟରେ ଭିଡିଓଟି ଲକ୍‌ଡାଉନ୍‌ ବେଳର କିମ୍ବା ଲକ୍‌ଡାଉନ୍‌ ପୂର୍ବର, ତାହା ମଧ୍ୟ ସ୍ପଷ୍ଟ ନାହିଁ ।

ଚାଲିଥିଲା ମଦ କଳାବଜାରି

ଲକ୍‌ଡାଉନ୍‌ ବେଳେ କଟକ ରୋଡର ବାର୍‌ ଓ ମଦ ଦୋକାନ ବେଶ୍‌ ଚର୍ଚ୍ଚାରେ ରହିଥିଲା । କିଛି ଦୋକାନରେ ମଦ କଳାବଜାରି ଚାଲିଥିବା ଅଭିଯୋଗ ଉଠିଥିଲା । ଗତ ମେ ୨୪ ତାରିଖରେ ଥିବା ‘ରେନ୍‌-ଦ କ୍ଲବ’ରେ ଚଢ଼ଉ କରିଥିଲା କୁଇକ୍‌ ଆକ୍ସନ ଟିମ୍‌(କ୍ୟୁଏଟି) । ବାର୍‌ ଭିତରୁ ମିଳିଥିଲା ପୁଳା ପୁଳା ବିଦେଶୀ ବ୍ରାଣ୍ଡେଡ୍‌ ମଦ । ପୁଲିସ ସେଠାରୁ ପାଖାପାଖି ୨ ଶହ ଲଟର ମଦ ଜବତ କରିବା ସହ ଦୁଇ ବାର୍‌ କର୍ମଚାରୀଙ୍କୁ ଗିରଫ କରିଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ । ସେଠାରେ ୪ ଗୁଣା ଦରରେ ବିଦେଶୀ ମଦ ଚୋରାରେ ବିକା ଯାଉଥିବା ଘଟଣା ସାମ୍ନା ଆସିଥିଲା । ଚଢ଼ଉ ପରେ ବାର୍‌ରେ ମଦ କଳାବଜାରି ଅନେକାଂଶରେ କମିଥିଲା । କିନ୍ତୁ ଏବେ କିଛି ଖାସ୍‌ ଓ ଚିହ୍ନା ପରିଚିତ ଗ୍ରାହକଙ୍କୁ ବାର୍‌ ଭିତରେ ମଦ ପିଇବାକୁ ସୁବିଧା ମିଳୁଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.