ଦୁଇ ପୁରୁଷ ବନ୍ଧୁଙ୍କୁ ଅପହରଣ କରି ନେଇଥିଲେ ତିନି ଛାତ୍ରୀ, କୋର୍ଟ ଏବେ ଦେଉ ନାହାନ୍ତି ଜାମିନ

Published By : Prameya-News7 Bureau | July 21, 2020 IST

ବେଙ୍ଗାଲୁରୁ ୨୧।୦୭: ଆପଣମାନେ ସର୍ବଦା ଯୁବତୀଙ୍କ ଅପହରଣ ଖବର ଶୁଣି ଆସିଥିବେ। ହେଲେ ବେଙ୍ଗାଲୁରୁ ସହରର ଏକ  ପ୍ରସିଦ୍ଧ କଲେଜର ତିନି ଜଣ ଯୁବତୀ ଦୁଇ ଜଣ ପୁରୁଷ ବନ୍ଧୁକୁ ଅପହରଣ କରିଥିବା ଖବର ସାମ୍ନାକୁ ଆସିଛି। ସିଟି କୋର୍ଟ ତିନି ଯୁବତୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଅଭିଯୁକ୍ତ ତିନି ଯୁବତୀ ଦ୍ଵିତୀୟ ବର୍ଷ ଡିଗ୍ରୀ କଲେଜ୍‌ର ଛାତ୍ରୀ।

୨୦୧୯ ଡିସେମ୍ବର ୨ରେ ମୁଖ୍ୟ ଅଭିଯୁକ୍ତ ଯୁବତୀ ନିଜର ବନ୍ଧୁଙ୍କୁ ମୁଦିନାପଲ୍ଲାରେ ଏକ ବିବାହ ସମାରୋହକୁ ଡାକିଥିଲେ। ଏଠାରେ ତାଙ୍କ ବନ୍ଧୁଙ୍କ ବିବାହ ହେଉଥିବା ଯୁବକଙ୍କୁ କହିଥିଲେ। ଯୁବକ ନିଜର ଏକ ସାଙ୍ଗ ସହ ସେଠାକୁ ପହଞ୍ଚିଥିଲେ। ମାତ୍ର ଚାରି ଜଣ ଲୋକ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରି ଅପହରଣ କରିଥିଲେ।

ଏହା ପରେ ଅପହରଣକାରୀ ୨ ଲକ୍ଷ ଟଙ୍କା ଦାବି କରିଥିଲେ ଏବଂ ଲ୍ୟାପଟପ୍‌କୁ କିଛି ଫଟୋ ହଟାଇ ଦେବାକୁ କହିଥିଲେ। ଅପହରଣକାରୀ ଦୁଇ ଯୁବକଙ୍କୁ ହସର ରୋଡ ୟେଦିପୁର ନିକଟକୁ ନେଇ ଯାଇଥିଲେ। ସେଠାରୁ କୌଶଳ କ୍ରମେ ଜଣେ ଯୁବକ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହାର ପରଦିନ ସକାଳେ ଅପହରଣକାରୀ ଆଉ ଜଣେ ଯୁବକଙ୍କୁ ମଧ୍ୟ ଛାଡି ଦେଇଥିଲେ।

ପରେ ପୀଡିତ ଯୁବକ ଅନ୍ନପୂର୍ଣ୍ଣେଶ୍ଵରୀ ନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ କେସ୍ ରୁଜୁ କରିଥିଲେ ତଦନ୍ତ ଆରମ୍ଭ କରିବା ପରେ ଜଣା ପଡିଲା ଯେ, ଅଭିଯୋଗକାରୀ ଯୁବକ ଓ ଅନ୍ୟ ଯୁବକ ଅଭିଯୁକ୍ତ ତିନି ଯୁବତୀଙ୍କ ବନ୍ଧୁ ଅଟନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିଲା। ଏହା ପରେ ଅଭିଯୁକ୍ତ ଯୁବତୀମାନେ ଅପହରଣ ଷଡଯନ୍ତ୍ର ରଚିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ।

ଗିରଫଦାରୀ ଭୟୟରେ ତିନି ଯୁବତୀ ଅନ୍ତରୀଣ ଜାମିନ ପାଇଁ ୬୨ମ ଅତିରିକ୍ତ ସିଟି ସିଭିଲ୍ ଆଣ୍ଡ ସେସନ୍ସ କୋର୍ଟରେ ଆବେଦନ ଦାଖଲ କରିଥିଲେ। ଅଭିଯୁକ୍ତଙ୍କ ଓକିଲ କୋର୍ଟରେ କହିଥିଲେ ଯେ, ତାଙ୍କ ମହକିଲ ନିରିହ। ଅଭିଯୋଗ କିମ୍ବା ଏଫଆଇଆରରେ ଯାଚିକାକର୍ତ୍ତା ନାମ ଖୁଲାସା କରି ନାହାନ୍ତି। ଯଦି ଅପରାଧ ବିନା ସେମାନଙ୍କୁ ଗିରଫ କରାଯାଏ ତେବେ ସେମାନଙ୍କ  ଜୀବନ ଓ କ୍ୟାରିୟର ଖରାପ ହୋଇଯିବ ବୋଲି ଯୁବତୀଙ୍କ ଓକିଲ କହିଥିଲେ।

ଏହା ଉପରେ ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ତଦନ୍ତ ଚାଲିଛି। ଯଦି ଅଭିଯୁକ୍ତଙ୍କୁ ଜାମିନ ଦିଆଯାଏ ତେବେ ସେମାନେ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରି ପାରନ୍ତି ଏବଂ ଧମକ ମଧ୍ୟ ଦେଇ ପାରନ୍ତି। ସେମାନଙ୍କୁ ଜାମିନ ମିଳିବା କଥାକୁ ଆମେ ବିରୋଧ କରୁନୁ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଜାମିନ ଦିଆନଯାଉ ବୋଲି କହିଥିଲେ। ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଆର ଅଙ୍କରପା ତିନି ଯୁବତୀଙ୍କ ଜାମିନ ଖାରଜ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.