ଆମ୍ବୁଲାନ୍ସ ନ ମିଳିବାରୁ ୨୫ବର୍ଷ ବୟସ୍କା ଅଭିନେତ୍ରୀ ଏବଂ ନବଜାତ ଶିଶୁର ମୃତ୍ୟୁ : ୨ଟି ଫିଲ୍ମରେ କରିଥିଲେ ଅଭିନୟ

Published By : Prameya-News7 Bureau | October 22, 2019 IST

ମୁମ୍ବାଇ ୨୨/୧୦: ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲ୍ଲାରେ ଗତ ରବିବାର ଠିକ୍ ସମୟରେ ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ୨୫ବର୍ଷ ବୟସ୍କା ମରାଠୀ ଅଭିନେତ୍ରୀ ପୂଜା ଝୁଞ୍ଜର ଏବଂ ତାଙ୍କ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ଅଭିନେତ୍ରୀଙ୍କ ପରିବାର ଲୋକଙ୍କ କହିବାନୁସାରେ ଯଦି ଠିକ୍ ସମୟରେ ଆମ୍ଭୁଲାନ୍ସ ମିଳିଯାଇଥାଆନ୍ତା ତେବେ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଯାଇଥାଆନ୍ତା।

ପୋଲିସଙ୍କ କହିବାନୁସାରେ, ରାତି ୨ଟାରେ ଅଭିନେତ୍ରୀ ପୂଜାଙ୍କର ପ୍ରସବପୀଡ଼ା ହେବା କାରଣରୁ ତୁରନ୍ତ ତାଙ୍କୁ ଗୋରେଗାଁଓ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପ୍ରସବର କିଛି ମିନିଟ୍ ପରେ ତାଙ୍କ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଡାକ୍ତରମାନେ ପରିବାର ଲୋକଙ୍କୁ ପୂଜାଙ୍କୁ ହିଙ୍ଗୋଲିର ସିଭିଲ୍ ହସ୍ପିଟାଲକୁ ନେଇ ଯିବାକୁ କହିଥିଲେ। ଏହା ଗୋରେଗାଁଓଠୁ ପାଖାପାଖି ୪୦କିଲୋମିଟର ଦୂରରେ ଥଲା।

ଏପରି ପରିସ୍ଥିତିରେ ତାଙ୍କ ପରିବାର ଲୋକେ ଦୀର୍ଘ ସମୟ ଯାଏଁ ଆମ୍ଭୁଲାନ୍ସ ଖୋଜିଥିଲେ। କୌଣସିମତେ ପରିବାର ଲୋକେ ଏକ ପ୍ରାଇଭେଟ୍ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ କିନ୍ତୁ ପୂଜା ଅଧା ରାସ୍ତାରେ ଆଖି ବୁଜି ଦେଇଥିଲେ।

ପୂଜା ଝୁଞ୍ଜର ଦୁଇଟି ମରାଠୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ପ୍ରେଗନେନ୍ସି ପାଇଁ ସେ କାମରୁ ବିରତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.