ଏମିତି ଚାଲିଛି ସେବା ! ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସଟିଏ ବି ମିଳିଲାନି, ଘରକୁ ପଠାଇଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ

Published By : Prameya-News7 Bureau | July 15, 2021 IST

ଲକ୍ଷ୍ମୀପୁର ୧୫।୦୭ : କୋରାପୁଟ ଜିଲ୍ଲା ମେଡିକାଲରେ ଅସଲ ଚିତ୍ର ପଦାରେ ପଡିଛି । ସ୍ବାସ୍ଥ୍ୟ ସେବାକୁ ବିଶ୍ବ ସ୍ତରୀୟ କରିବା ପାଇଁ ସ୍ବପ୍ନ ଦେଖିଥିବା ରାଜ୍ୟ ସରକାର କେବଳ ଯୋଜନା ମାଧ୍ୟମରେ ହିଁ ଡିଣ୍ଡିମ ପିଟୁଛନ୍ତି ସିନା କିନ୍ତୁ ବାସ୍ତବରେ ଚିତ୍ର ଓଲଟା । ରୋଗୀଟିଏ ଭଲ ସ୍ବାସ୍ଥ୍ୟ ସେବା ଟିକେ ପାଇବା କଷ୍ଟକର ହୋଇପଡିଥିବା ବେଳେ ହସ୍ପିଟାଲ ଯିବା ପାଇଁ କିମ୍ବା ହସ୍ପିଟାଲରୁ ଫେରିବା ପାଇଁ ସାମାନ୍ୟ ଆମ୍ବଲାନ୍ସ ମଧ୍ୟ ସାତ ସ୍ବପ୍ନ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି । ମାଧବ ପୀଡିକା ନାମକ ଜଣେ ଯୁବକ କିଛିଦିନ ତଳେ ଛାତିରେ ଯନ୍ତ୍ରଣା ଭୋଗି କୋରାପୁଟ ଜିଲ୍ଲା ମେଡିକାଲରେ ଭର୍ତି ହୋଇଥିଲେ । ଛାତିରେ ଯନ୍ତ୍ରଣା ପାଇଁ ତାଙ୍କର ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିଲା । ଫଳରେ ସେଠାକାର ଡାକ୍ତର ତାଙ୍କର ବାମ ପାଖ ଅଣ୍ଟା ଓପରକୁ ଏକ ଅପରେସନ ମାଧ୍ୟମରେ ବାଇପାସ୍‌ ପାଇପ କାଢି ଏକ ରବର ଥଳି ସହ ସଂଯୋଗ କରିଥିଲେ । ଏହା ପରେ ତାଙ୍କର ଶ୍ବାସ ପ୍ରକ୍ରିୟା ସହଜ ହୋଇଥିଲା । କିନ୍ତୁ ଜିଲ୍ଲା ମେଡିକାଲରେ ୧୧ ଦିନ ରହିବା ପରେ ଆଜି ତାକୁ ନିଜ ଘରକୁ ଚାଲିଯିବା ପାଇଁ କହିଥିଲେ ଡାକ୍ତର । ଏହା ସହିତ ୧୫ ଦିନ ପରେ ଏଠାକୁ ଆସିଲେ ପାଇପ୍ ବାହାର କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ।

ତେବେ ତାଡନା ସେତିକିରେ ଶେଷ ହୋଇନଥିଲା, ଆଜି ବାମ ଦଳ ତରଫରୁ ବନ୍ଦ ପାଳନ କରା ଯାଇଥିବାରୁ କୋରାପୁଟ ବଷ୍ଟାଣ୍ଡରୁ ନିଜ ଘର ବନ୍ଧୁଗାଁ ଯିବାପାଇଁ କୌଣସି ବସ ନଥିବାରୁ ବାଧ୍ୟ ହୋଇ ଏକ ଅଟୋ ଭଡା କରିଥିଲେ । କୋରାପୁଟ ଠାରୁ ଲକ୍ଷ୍ମୀପୁର ୧୫ ସହ ଟଙ୍କା ନେବି ବୋଲି କହିବାରୁ ବହୁ କଷ୍ଟରେ ହଜାରେ ଟଙ୍କାରେ ରାଜି ହୋଇ ଅଟୋ ଚାଳକ ମାଧବ ଓ ତାଙ୍କ ସାଥିରେ ଥିବା ମା ଓ ଭାଉଜଙ୍କୁ ଆଣି ଲକ୍ଷ୍ମୀପୁର ବଜାରରେ ଛାଡି ଚାଲିଯାଇଥିଲା । ଲକ୍ଷ୍ମୀପୁର ବଜାରରେ ଅନ୍ୟ ଗାଡି ଅପେକ୍ଷାରେ ଏକ ଶୌଚାଳୟ ସମ୍ମୁଖରେ ବସିଥିବା ବେଳେ କିଛି ସାମ୍ବାଦିକଙ୍କ ନଜର ପଡିଥିଲା ।

ସେମାନେ ସମସ୍ତ ଘଟଣା ଜଣାଇଥିଲେ । ରବର ପାଇପ ସହ ଏକ ଥଳି ଧରିଥିବା ଦେଖିବାକୁ ମିଳିଥିଲା କଥା ହେବା ବେଳେ ସିଏ ବେଶ ଯନ୍ତ୍ରଣା ଭୋଗୁଥିବା ଜଣା ପଡିଥିଲା ହସ୍ପିଟାଲ ପକ୍ଷରୁ ସାମାନ୍ୟ ଆମ୍ବୁଲାନ୍ସଟିଏ ମଧ୍ୟ ଯୋଗାଇ ଦିଆଯାଇନଥିଲା । ଏଠି ପ୍ରଶ୍ନ ଉଠୁଛି ଅନ୍ୟ ମାନଙ୍କ ଗରିବ ଅସହାୟଙ୍ ପାଇଁ ସରକାରୀ ସହାୟତା କେତେ ଯୋଜନ ଦୂରରେ ? ଚିକିତ୍ସା କରୁଥିବା ଡାକ୍ତର ଯଦି ତାଙ୍କୁ ନିଜ ଘରକୁ ପଠାଇ ପୁନଃ ୧୫ ଦିନ ପରେ ଆସିବାକୁ କହି ପାରିଲେ ତେବେ ତାଙ୍କ ପାଇଁ ଆମ୍ବୁଲାନ୍ସ ଟିଏ ମଧ୍ୟ ବ୍ୟବସ୍ଥା କରିପାରିଥାନ୍ତେ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ଏତିକି ମଧ୍ୟ ଯୋଗାଇ ଦିଆଗଲା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.