ନିଜାମୁଦ୍ଦିନ ଟେନସନ୍ : ତବଲିଗି ଜମାତ୍ ସହ ଜଡିତ ୨୫ ହଜାର ଲୋକ ଏବେ କ୍ଵାରେଣ୍ଟାଇନରେ, ଯୁବପୀଢିଙ୍କୁ କରୋନା ଭୟ ବେଶୀ

Published By : Prameya-News7 Bureau | April 06, 2020 IST

ଭୁବନେଶ୍ୱର ୦୬।୦୪: ଦିଲ୍ଲୀ ନିଜାମୁଦିନ ତବଲିଗି ଜମାତ ସହ ଜଡିତ ପ୍ରାୟ ୨୫ହଜାର ଲୋକଙ୍କୁ  କ୍ବାରେଣ୍ଟାଇନ୍ ରେ ନିଆଯାଇଛି । ଗତ ୨୪ଘଣ୍ଟାରେ ଦେଶରେ ୬୯୩ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ତବଲିଗି ଜମାତିଙ୍କୁ ଖୋଜି ଖୋଜି ଆଇସୋଲେସନରେ ରଖାଯାଉଥିବା ବେଳେ କ୍ବାରେଣ୍ଟାଇନ କେନ୍ଦ୍ରରେ ରହି ଏମାନେ ଏବେ ବିରିୟାନି ଦାବି କରୁଥିବା ସ୍ଥିତି ବଡ଼ ଜଟିଳ ହେବାରେ ଲାଗିଛି।  

ଦିଲ୍ଲୀ ନିଜାମୁଦିନ ତବଲିଗ୍ ଜମାତ ସହ ଜଡିତ ୨୫ହଜାର ଲୋକ ଏବେ କ୍ବାରେଣ୍ଟାଇନ୍‌ରେ । ଦେଶରେ ମୋଟ ୪ହଜାର ୬୭କେସ୍ ମଧ୍ୟରୁ ୧୪୪୫ହେଉଛି ଦିଲ୍ଲୀ ତବଲିଗ୍ ଜମାତ ସହ ସଂପୃକ୍ତ।  ଗତ ୨୪ଘଣ୍ଟାରେ ୬୯୩ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧୩ ଜଣଙ୍କର ମୃତ୍ୟୁ ହୋଇଛି।  ସେପଟେ ନିଜାମୁଦ୍ଦିନ ତବଲିଗି ଜମାତି ଉପରେ ଗତକାଲି ଦିଲ୍ଲୀ ପୋଲିସ ଚଢ଼ାଉ କରିବା ସହିତ ସେଠାରୁ ଅନେକ କିଛି ଦସ୍ତାବିଜ ଜବତ କରିଛି। ଉର୍ଦ୍ଦୁ ବିଶେଷଜ୍ଞଙ୍କ ସହାୟତାରେ ଏସବୁର ଅନୁଧ୍ୟାନ କରାଯାଉଛି। ଏହି ଅଟ୍ଟାଳିକା ବେଆଇନ ହୋଇଥିବାରୁ ଏହାକୁ ଭଙ୍ଗାଯିବା ନେଇ ଦିଲ୍ଲୀ ମୁନିସିପାଲିଟି କର୍ପୋରେସନ ପ୍ରକ୍ରିୟା ଆରମ୍ଭ କରିଛି।

 ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ୪୫ ପ୍ରତିଶତଙ୍କ ବୟସ ୪୦ବର୍ଷରୁ କମ,୧୯ପ୍ରତିଶତଙ୍କ ବୟସ ୬୦ବର୍ଷରୁ ଅଧିକ ଓ ୪୩ପ୍ରତିଶତ ସଂକ୍ରମିତଙ୍କ ବୟସ ୪୧ରୁ ୬୦ବର୍ଷ ମଧ୍ୟରେ। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬ପ୍ରତିଶତ ପୁରଷ ଓ ୨୪ ପ୍ରତିଶତ ମହିଳା ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । 

କରୋନା ସ୍ଥିତି ମୁକାବିଲାକୁ ଦୃଷ୍ଟିରେ ରଖି କେନ୍ଦ୍ର କ୍ୟାବିନେଟ୍ ଆଜି ବଡ଼ ନିଷ୍ପତ୍ତି ନେଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସମସ୍ତ ସାଂସଦ ମାନଙ୍କର ଦରମାର ୩୦ ପ୍ରତିଶତ ଅର୍ଥ ଆଗାମୀ ଏକବର୍ଷ ପର୍ଯ୍ୟନ୍ତ କଟାଯିବ । ସବୁ ରାଜ୍ୟର ରାଜ୍ୟପାଳଙ୍କ ଦରମାର ମଧ୍ୟ ୩୦ ପ୍ରତିଶତ କାଟିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।  ସେହିପରି ୨ ବର୍ଷ ପର୍ଯ୍ୟନ୍ତ ଏମ୍ ପି ଲ୍ୟାଡ୍  ଫଣ୍ଡକୁ ବନ୍ଦ କରିଦିଆଯାଇଛି । ଏହି ବାବଦରେ ସମସ୍ତ ଅର୍ଥ କନସୋଲିଡେଟେଡ୍  ଫଣ୍ଡ୍  ଅଫ୍ ଇଣ୍ଡିଆକୁ ଯିବ ।  ଏମପି ଲ୍ୟାଡ୍ ଫଣ୍ଡ ବନ୍ଦ ହେବା ଦ୍ବାରା ପ୍ରାୟ ୭ ହଜାର ୯୦୦ କୋଟି ଟଙ୍କା କନସୋଲିଡେଟେଡ୍  ଫଣ୍ଡରେ ଜମା ହୋଇପାରିବ । ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର ଏହି ସୂଚନା ଦେଇଛନ୍ତି। ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତା ମାନଙ୍କ ସହ ମଧ୍ୟ ବିଚାର ବିମର୍ଷ କରିଛନ୍ତି .

ସେହିପରି ମୁମ୍ବାଇରେ କରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା  ୱକହର୍ଡ ହସ୍ପିଟାଲକୁ ଆଜି ସିଲ କରିଛନ୍ତି କର୍ତ୍ତୁପକ୍ଷ । ଏହି ହସ୍ପିଟାଲର ୩ ଜଣ ଡାକ୍ତର ଓ ୨୬ ଜଣ ନର୍ସ କରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇର ବହୁ କରୋନା ସଂକ୍ରମିତ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ। ମୁମ୍ବାଇରେ ଏ ପର୍ଯ୍ୟନ୍ତ ୪୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.