ଥମୁନି କରୋନା ପ୍ରକୋପ: ଦେଶରେ ସଂକ୍ରମିତ ସଂଖ୍ୟା ୧୯୦୦ ନିକଟତର, ମହାମାରୀ ନେଲାଣି ୫୫ ମୁଣ୍ଡ
1/04/2020 at 10:34 PM

ନୂଆଦିଲ୍ଲୀ ୦୧।୦୪: ତବଲିଗି ଜମାତର ନିଜାମୁଦ୍ଦିନ ମରକଜ ଭାରତରେ କରୋନା ଭାଇରସ୍ ସଂକ୍ରମଣର ସବୁଠୁ ବଡ ବାହକ ଭାବେ ମୁଣ୍ଡ ଟେକିଛି। ଏଠାରେ ମାର୍ଚ୍ଚରେ ହୋଇଥିବା ଧାର୍ମିକ ସଭାରେ ଯୋଗ ଦେଇଥିବା ସମସ୍ତ ଲୋକଙ୍କ ଅଲଗା ଅଲଗା ରାଜ୍ୟରେ ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଏହା ମଧ୍ୟରେ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ପାଖାପାଖି ୧୯୦୦ ପର୍ଯ୍ୟନ୍ତ ପହଞ୍ଚିଛି। ଏହି ଘାତକ ଭାଇରସ୍ରେ ଦେଶରେ ଅତି କମରେ ୫୫ ଜଣଙ୍କ ମୃତ୍ୟୁ ଘଟି ସରିଲାଣି।
ମାର୍ଚ୍ଚରେ ନିଜାମୁଦ୍ଦିନ ମରକଜରେ ହୋଇଥିବା ଧାର୍ମିକ ସମାରୋହରେ କେଉଁ ରାଜ୍ୟରୁ କେତେ ଲୋକ ଆସିଥିଲେ, ସେମାନେଙ୍କ ଠିକଣା କଣ ଏବଂ କେଉଁ ମାଧ୍ୟମରେ ଯାତ୍ରା କରିଥିଲେ ଏହାର ସନ୍ଧାନ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି କାରଣରୁ କେନ୍ଦ୍ର ସବୁ ରାଜ୍ୟ ସରକାରଙ୍କୁ ତବଲିଗି ଜମତାରେ ସାମିଲ ଲୋକଙ୍କ ଚିହ୍ନଟ ଯୁଦ୍ଧକାଳୀଣ ଭିତ୍ତିରେ କରିବାକୁ କହିଛନ୍ତି।
ନିଜାମୁଦ୍ଦିନ ମରକଜରେ ଆସିଥିବା ତବଲିଗି ଜମାତ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ସନ୍ଧାନ ପାଇଁ ବଡ ଧରଣର ଅଭିଯାନ ଆରମ୍ଭ ହୋଇ ଯାଇଛି। ସବୁ ରାଜ୍ୟରେ ଏ ପର୍ଯ୍ୟନ୍ତ ୬୦୦୦ରୁ ଅଧିକ ଲୋକଙ୍କ ଚିହ୍ନଟ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଏହି ଲୋକଙ୍କୁ ଟ୍ରାକ୍ କରିବାରେ ଜୁଟି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫୦୦୦ ଲୋକଙ୍କୁ ବିଭିନ୍ନ ରାଜ୍ୟର ହସ୍ପିଟାଲରେ କ୍ଵାରେଣ୍ଟାଇନରେ ରଖାଯାଇଛି। ଏହା ବ୍ୟତୀତ ଗୁଜରାଟ, ତାମିଲନାଡୁ ଓ ତେଲଙ୍ଗାନାରେ ପ୍ରାୟ ୨୦୦୦ ଅନ୍ୟ ଲୋକଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଜାରି ରହିଛି।