ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ ସୀମାନ୍ତ ଜିଲ୍ଲାରେ କ୍ୟାମ୍ପ କଲେ ବିହାର ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 29, 2020 IST

ପାଟଣା ୨୯।୦୩ : ସାରାଦେଶରେ ଏବେ କରୋନାକୁ ନେଇ ଚିନ୍ତା ବଢିବାର ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଖୁ ଦେଖୁ ସଂକ୍ରମିତଙ୍କ ସଂଖ୍ୟା ୯୦୦ ପାର୍‌ ହୋଇଗଲାଣି । ଏବଂ ମୃତକଙ୍କ ସଂଖ୍ୟା ୨୦ ରହିଛି । ତେବେ ସବୁଠାରୁ ଦେଶ ପାଇଁ ବଡ ସମସ୍ୟା ଏବେ ପାଲଟିଛି ପ୍ରବାସୀ ଶ୍ରମିକଙ୍କ ଚିନ୍ତା । ସେପଟେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଶିବିର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶିବିରଗୁଡ଼ିକ ବିହାରର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲାଗିବ । ଏଠାରେ ଅନ୍ୟ ରାଜ୍ୟରୁ ମଜୁରୀ କରିବାକୁ ଆସିଥିବା ଲୋକଙ୍କୁ ରଖାଯିବ । ଏହି ଶିବିରରେ ଶ୍ରମିକମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦିଆଯିବ । ସେହିଭଳି ଚିକିତ୍ସା ପାଇଁ ମଧ୍ୟ ସୁବିଧା ଯୋଗାଇଦିଆଯିବ ବୋଲି ଘୋଷଣା କରାଯାଇଛି  ।  

ଶନିବାର ଦିନ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ  ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମୁଖ୍ୟ ସଚିବ ଯୋଗଦେଇଥିଲେ । ବୈଠକରେ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିବିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୀମାବର୍ତ୍ତୀ ଶିବିର ନେପାଳ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ସ୍ଥାପନ କରାଯିବ । ଶିବିରରେ ଖାଇବା ଓ ଶୋଇବା ବ୍ୟତୀତ ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ବିଧାୟକ କଲ୍ୟାଣ ପାଣ୍ଠିରୁ ୬ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । 

ଦେଶରେ ଲକଡାଉନ ଘୋଷଣା ହେବା ପରେ ଦେଶର କୋଣ-ଅଣୁକୋଣରେ କାମକରୁଥିବା ବିହାରର ଲୋକେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ଲକଡାଉନ ଯୋଗୁଁ ସେମାନଙ୍କ ଆସିବାରେ ସମସ୍ୟା ଦେଖାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି ।  ସେପଟେ ଶନିବରା ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ ଆଦିତ୍ୟନାଥ ପ୍ରବାସୀ ଶ୍ରମିକମାନଙ୍କୁ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଘୋଷଣା କରିଥିଲେ । ଯେଉଁ ଶ୍ରମିକ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ରାଜ୍ୟକୁ ପଠାଯିବାକୁ ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.